କଣ୍ଟାବାଞ୍ଜି : ବିଶିଷ୍ଟ କଳାକାର ତଥା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି କେଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ନବୀନ ଚନ୍ଦ୍ର ମହାନ୍ତିଙ୍କ ବୁଧବାର ସକାଳେ ପରଲୋକ ଘଟିଛି। ସେ ଗତ କିଛିଦିନ ହେଲା ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ବର୍ଗତ ମହାନ୍ତି ଏହି କଲେଜରେ ବାଣିଜ୍ୟ ଅଧ୍ୟାପକ ଭାବେ ୧୯୮୫ ମସିହାରେ ଯୋଗ ଦେଇ ୧୯୯୩ ମସିହା ପର୍ଯ୍ୟନ୍ତ କାମ କରିଥିଲେ। ୧୯୯୪ରୁ ୨୦୨୦ ମସିହା ପର୍ଯ୍ୟନ୍ତ ସେ କଲେଜର ଅଧ୍ୟକ୍ଷ ଥିଲେ।
କଣ୍ଟାବାଞ୍ଜି ଆସିବା ପୂର୍ବରୁ କେସିଙ୍ଗା ଓ ପାଟକୁରାରେ ମଧ୍ୟ ବାଣିଜ୍ୟ ଅଧ୍ୟାପକ ଭାବେ କାମ କରିଥିଲେ। ଏହା ଛଡ଼ା କଣ୍ଟାବାଞ୍ଜିର ସାଂସ୍କୃତିକ ଅନୁଷ୍ଠାନ ପ୍ରତିଧ୍ୱନିର ଅନେକ ବର୍ଷ ଧରି ସଭାପତି ରହିଥିଲେ। ତାଙ୍କର ଲିଖିତ ଓ ନିର୍ଦେଶିତ ଅନେକ ଡ୍ରାମା ମଞ୍ଚସ୍ଥ ହୋଇ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଥିଲା। ସେ ହିନ୍ଦୀ, ଓଡ଼ିଆ ଟେଲିଭିଜନ ଓ ସିନେମା ଜଗତରେ ମଧ୍ୟ ବେଶ୍ ସୁନାମ ଅର୍ଜନ କରିଥିଲେ। ଅନେକ ଓଡ଼ିଆ ଚଳଚ୍ଚିତ୍ର ଓ ବିଭିନ୍ନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ସାରା ଆକାଶ, ସମଥିଙ୍ଗ୍ ସମଥିଙ୍ଗ୍, ସରପଞ୍ଚ ବାବୁ ଆଦି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ତାଙ୍କ ଗୋଟିଏ ଝିଅ ଓ ଗୋଟିଏ ପୁଅ। ପୁଅ ନିଖିଳ ମହାନ୍ତି ପୁରୀରେ ଜୁଡିସିଆଲ୍ ମାଜିଷ୍ଟ୍ରେଟ ଅଛନ୍ତି।
ବୁଧବାର ଅପରାହ୍ଣରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ କଣ୍ଟାବାଞ୍ଜିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଭୁବନେଶ୍ୱରସ୍ଥିତ ବାସଭବନକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଅନେକ କଳାକାର ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।