ଝାରସୁଗୁଡ଼ା: ଝାରସୁଗୁଡ଼ା ତଥା ପଶ୍ଚିମ ଓଡ଼ିଶାରେ ସୁଖ୍ୟାତି ଅର୍ଜନ କରିଥିବା ଡାକ୍ତର ସଖାରାମ ଦୁବେ (୭୯ ବର୍ଷ)ଙ୍କ ବୁଧବାର ସକାଳ ସାଢ଼େ ୧୧ ଟାରେ ରାୟପୁରଠାରେ ପରଲୋକ ହୋଇ ଯାଇଛି। କିଛି ଦିନ ଧରି ସେ ଅସୁସ୍ଥ ହୋଇ ରାୟପୁରଠାରେ ଚିକିତ୍ସିତ ହେଉଥିଲେ। ତାଙ୍କର ବିୟୋଗ ଖବର ଝାରସୁଗୁଡ଼ା ଠାରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜଣେ ଉତ୍ତମ ଚିକିତ୍ସକ ସହିତ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ସ୍ବର୍ଗତ ଦୁବେ। ତାଙ୍କ ପତ୍ନୀ ରାଜକୁମାରୀ ଦୁବେ, ପୁତ୍ର ଝାରସୁଗୁଡ଼ା ଡିଆର୍ଡିଏ ଏପିଡି (ଫାଇନାନ୍ସ) ହିମାଂଶୁ ଦୁବେଙ୍କ ସମେତ ୩ ଝିଅ ବିବାହ ହୋଇ ଅନ୍ୟତ୍ର ଅଛନ୍ତି।
ହୀରାକୁଦ ବୁଡ଼ି ଅଞ୍ଚଳର ଅର୍ନ୍ତଦୁଲି ଗ୍ରାମରେ ଡାକ୍ତର ଦୁବେ ପ୍ରାଥମିକ ଶିକ୍ଷା ପରେ ସମ୍ବଲପୁର ଜିଲ୍ଲା ସ୍କୁଲ, ଜିଏମ୍ କଲେଜରେ ପାଠ ପଢ଼ିଥିଲେ। ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜରୁ ଏମ୍ବିବିଏସ୍ ଓ ଏମ୍ଡି(ମେଡିସିନ) ପାସ କରିବା ପରେ ୧୯୭୦ ମସିହାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଡାକ୍ତର ଭାବରେ ଯୋଗ ଦେଇଥିଲେ। ସ୍ବର୍ଗତ ଦୁବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦପଦବିରେ ଅବସ୍ଥାପିତ ଥିଲେ। ୨୦୦୨ ମସିହାରେ ଚାକିରିରୁ ଅବସର ନେବା ପରେ ସେ ଝାରସୁଗୁଡ଼ା ବେହେରାମାଲ ଠାରେ ତାଙ୍କ ବାସଗୃହରେ ଚିକିତ୍ସା ସେବା ଜାରି ରଖିବା ସହିତ ବ୍ରାହ୍ମଣ ସମାଜ, ବରିଷ୍ଠ ନାଗରିକ ସମାଜ ତଥା ବିଭିନ୍ନ ସମାଜିକ ଓ ସାଂସ୍କୃତିକ ସଂଗଠନ ସହିତ ଜଡ଼ିତ ଥିଲେ। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସେ ଅନେକ ସଂସ୍ଥାରୁ ସମ୍ବର୍ଦ୍ଧିତ ହୋଇଥିଲେ। ରାୟପୁରରୁ ଅଣାଯିବା ପରେ ଗୁରୁବାର ସକାଳେ ଝାରସୁଗୁଡ଼ା ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଅଯାଇଛି।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଶୋକ
ଡାକ୍ତର ଦୁବେଙ୍କ ପରଲୋକ ଖବର ଶୁଣି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଡାକ୍ତର ଦୁବେ ଜଣେ ଭଲ ଡାକ୍ତର ସହିତ ଜଣେ ଅତ୍ୟନ୍ତ ଅମାୟିକ ଏବଂ ପରୋପକାରୀ ବ୍ୟକ୍ତି ଥିଲେ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।