ରମାକାନ୍ତ ରଥଙ୍କୁ ଅତିବଡ଼ୀ ପୁରସ୍କାର

ଭୁବନେଶ୍ୱର : ‘ଶ୍ରୀରାଧା’ର କାଳଜୟୀ ସ୍ରଷ୍ଟା କବି ରମାକାନ୍ତ ରଥ ପାଇବେ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’। ଆଧୁନିକ ଓଡ଼ିଆ କବିତାର ଅନନ୍ୟ ବିନ୍ଧାଣି ପଦ୍ମଭୂଷଣ କବି ରମାକାନ୍ତ ରଥ ଜୀବନବ୍ୟାପୀ ସାଧନା ନିମନ୍ତେ ବର୍ଷ ୨୦୧୮ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ଏହି ସର୍ବୋଚ୍ଚ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ପୁରସ୍କାର ଘୋଷଣା ହୋଇଛି। ଏଥିସହ ଚଳିତବର୍ଷ ଏକାଡେମିର ସମ୍ବର୍ଧନା ପାଇଁ ୧୫ଜଣ ବୟୋଜ୍ୟେଷ୍ଠ ସାହିତ୍ୟିକ/ସାହିତ୍ୟିକାଙ୍କ ନାମ ଘୋଷଣା କରାଯାଇଛି।

ଦିବ୍ୟ ପ୍ରେମରେ ଉଦ୍‌ବୁଦ୍ଧ କବିତା ସଂକଳନ ‘ଶ୍ରୀରାଧା’ କେବଳ କବି ଶ୍ରୀ ରଥଙ୍କୁ ବଶ୍ୱପ୍ରସିଦ୍ଧି ଦେଇନି ବରଂ ଓଡ଼ିଆ ସାହିତ୍ୟର ଶାଶ୍ୱତ ସୃଜନତାକୁ ବିଶ୍ୱବିଦିତ କରିଛି। ୧୯୩୪ ମସିହା ଡିସେମ୍ବର ୧୩ରେ କଟକ ସହରରେ ତାଙ୍କର ଜନ୍ମ। ରେଭେନ୍ସା କଲେଜ୍‌ରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ସହ କବିତା ସୃଷ୍ଟିରେ ମଜି ରହିଥିଲେ। ୧୯୫୭ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ହେଁ କବିତା ସର୍ଜନା ସେମିତି ଚାଲୁ ରହିଥିଲା। ୧୯୬୨ରେ ତାଙ୍କର ପ୍ରଥମ କବିତା ସଂକଳନ ‘କେତେ ଦିନର’ ପ୍ରକାଶିତ ହୋଇଥିଲା। ପରେ ଶ୍ରୀ ପଳାତକ, ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ସୀମାନ୍ତ ବାସ, ନଯା ନଯା କହୁକହୁ, ଫେରି ଚାହିଁଲେ, ସବୁଦିନ ସେପାଖେ ଏବଂ ‘ଜାହାଜ ଆସିବ ଓ ଆଉ କେତୋଟି’ ପରି କବିତା ସଂକଳନ ସୃଷ୍ଟି କରିଥିଲେ।

ସର୍ବଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଭାବେ ଶ୍ରୀ ରଥ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଚିବ ରହିବା ସହ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଥିଲେ। ସାହିତ୍ୟ କ୍ଷେତ୍ରକୁ ଜୀବନବ୍ୟାପୀ ଅବଦାନ ପାଇଁ ସେ ସାହିତ୍ୟ ଅକାଦେମି ସମ୍ମାନ, ସରସ୍ୱତୀ ସମ୍ମାନ, ସାହିତ୍ୟ ଭାରତୀ ସମ୍ମାନ, କବିର ସମ୍ମାନ, ବିଷୁବ ସମ୍ମାନ, ଜାତୀୟ ସଂହତି ସମ୍ମାନ ସହ ପଦ୍ମଭୂଷଣ ଭଳି ମର୍ଯ୍ୟାଦାଜନକ ସମ୍ମାନ ଲାଭ କରିପାରିଥିଲେ। ଜୁଲାଇ ୨୬ରେ ସାହିତ୍ୟ ଏକାଡେମିର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ରଥଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯିବ। ଏଥିସହ ସାହିତ୍ୟ ଜଗତକୁ ସାମଗ୍ରିକ ଅବଦାନ ପାଇଁ ମାନଗୋବିନ୍ଦ ମହାସୂପକାର, ସତ୍ୟନାରାୟଣ ରଥ, ଶ୍ରୀକୁମାର ଚକ୍ରବର୍ତୀ, ସୀତାରାମ ବିର୍ତିଆ, ପ୍ରତିମା ମିଶ୍ର, ବଂଶୀଧର ସାହୁ, ବିଜୟ ଚନ୍ଦ୍ର ଜେନା, ଶଙ୍କର୍ଷଣ ମଙ୍ଗରାଜ, ଲକ୍ଷ୍ମୀଧର ନାୟକ ଆଦିସ୍ୟ, ଦୁର୍ଯ୍ୟୋଧନ ଦାସ, କୁଞ୍ଜବିହାରୀ ପାଢ଼ୀ, ପ୍ରଫୁଲ୍ଲ କୁମାର ଦାଶ, ସରୋଜିନୀ ଷଡ଼ଙ୍ଗୀ, ଗିରି ଦଣ୍ଡସେନା ଏବଂ ବ୍ରଜମୋହନ ମିଶ୍ରଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବଧିତ କରାଯିବ ବୋଲି ଏକାଡେମିର ସଚିବ ଜୟନ୍ତୀ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର