ଚାପରେ ଗଣଶିକ୍ଷା ବିଭାଗ : ବନ୍ଦ କରିଥିଲେ, ଏବେ ପୁଣି ଖୋଲିବେ

ଭୁବନେଶ୍ୱର : ୧୦ କିମ୍ବା ତା’ଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୬ ଜୁନ୍‌ ୨୩ରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ସ୍କୁଲ ବନ୍ଦ କରାଗଲା ସେଠାକାର ପିଲାଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ପଠାଇବା ଲାଗି କୁହାଯାଇଥିଲା। ଯେଉଁ ବିଦ୍ୟାଳୟର ଦୂରତା ଅଧିକ ରହିଥିଲା ସେଠାକାର ପିଲାଙ୍କୁ ବାଟ ଖର୍ଚ୍ଚ ଓ ସୁରକ୍ଷା ଯୋଗାଇ ଦେବାକୁ ବି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। ନିଷ୍ପତ୍ତି ନିଆଯିବା ପରେ ବିଭାଗୀୟ ଅଧିକାରୀମାନେ ତତ୍ପର ହେବା ସହ ବିଜ୍ଞପ୍ତିକୁ କଡ଼ାକଡ଼ି ଭାବେ ଲାଗୁ କରିଥିଲେ। ଆଗ ପଛ ବିଚାର ନ କରି ଶତାଧିକ ବିଦ୍ୟାଳୟରେ ତାଲା ପକାଇବାକୁ ନିର୍ଦେଶ ଦେବା ସହ ଜୋର ଜବରଦସ୍ତ କାର୍ଯ୍ୟକାରୀ କରାଇଥିଲେ।

ସ୍କୁଲ ବନ୍ଦ ଯୋଗୁଁ ଦୂର ସ୍ଥାନକୁ ଯାଇ ନ ପାରି ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିବା ନେଇ ଗଣଶିକ୍ଷା ବିଭାଗ ଦୃଷ୍ଟିକୁ ଆସିଥିଲା। ଗୋଟିଏ ପଟେ କେହି ପିଲା ଯେପରି ଅଧାରୁ ପାଠ ନ ଛାଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ ତାଲା ପକା ନିଷ୍ପତ୍ତି ଯୋଗୁଁ ସମସ୍ୟା ଉପୁଜିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ ଆରମ୍ଭ କରି ଗଣଶିକ୍ଷା ବିଭାଗ ଅଭିଯୋଗ ପ୍ର୍ରକୋଷ୍ଠ ଯାଏ ସବୁଠି ମାଳ ମାଳ ଅଭିଯୋଗ ପଡ଼ିଥିଲା। ଯେଉଁଥିପାଇଁ ଦେଢ଼ ବର୍ଷ ପରେ ପୁଣିଥରେ ନିଷ୍ପତ୍ତିରେ ପରିବର୍ତନ କରିଛି ଗଣଶିକ୍ଷା ବିଭାଗ। ବନ୍ଦ ହେବା ଦ୍ୱାରା ଯେଉଁ ବିଦ୍ୟାଳୟର ପିଲାମାନେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ସେହି ବିିଦ୍ୟାଳୟକୁ ପୁଣିଥରେ ଖୋଲିବାକୁ ସ୍ଥିର ହୋଇଛି।

ନିଷ୍ପତ୍ତି ଅନୁଯାୟୀ, ଯେଉଁ ବିଦ୍ୟାଳୟ ବନ୍ଦ ହୋଇଛି ସେଠାକାର ପିଲା କେଉଁ କାରଣ ଲାଗି ନିକଟସ୍ଥ ବିଦ୍ୟାଳୟକୁ ଯାଉନାହାନ୍ତି, ସେମାନେ କେଉଁ ଭଳି ଭୌଗୋଳିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଚିହ୍ନଟ କରିବାକୁ କୁହାଯାଇଛି। ସେବିଷୟରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ୩୦ ଜିଲ୍ଲାର ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କୁ କୁହାଯାଇଛି। ବିଦ୍ୟାଳୟ ଖୋଲିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରାଯିବା ପରେ ସରକାରୀସ୍ତରରେ ଆଲୋଚନା କରାଯିବ।

ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ସ୍କୁଲ ବନ୍ଦ ଯୋଗୁଁ ଆଦିବାସୀ ଅଞ୍ଚଳର ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟ ବନ୍ଦ ପରେ ପିଲାମାନେ ପାହାଡ଼, ଝରଣା ଡେଇଁ ଅନ୍ୟ ସ୍କୁଲକୁ ଯାଇପାରୁ ନାହାନ୍ତି। ସପ୍ତାହରେ ଗୋଟିଏ ଦିନ ଗଲେ ୫ ଦିନ ଯାଉ ନ ଥିବା ନଜରକୁ ଆସୁଛି। ପିଲାଙ୍କୁ ବାଟ ଖର୍ଚ୍ଚ ବି ଠିକ୍‌ ଭାବେ ମିଳୁ ନ ଥିବା ମଧ୍ୟ ଅଭିଯୋଗ ଆସିଛି। ତାହାକୁ ଦୃଷ୍ଟିରେ ରଖି ଗତ ମାସରେ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇ ନିଷ୍ପତ୍ତିରେ ପରିବର୍ତନ କରାଯାଇଛି।

ସମ୍ବନ୍ଧିତ ଖବର