ପୁରୀ: ଶ୍ରୀମନ୍ଦିର ନୀତି ଶୃଙ୍ଖଳାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଟିକିନିଖି ପରିଚାଳନା କ୍ଷେତ୍ରର ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁଦାୟିତ୍ବ ରହିଛି। ବିଶେଷ କରି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ୧୨ ମାସରେ ୧୩ ପର୍ବକୁ ଶୃଙ୍ଖଳିତ କରିବାରେ କମିଟି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କିନ୍ତୁ ଦୁଇମାସ ହେବ ପୁରୁଣା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲେ ବି ନୂଆକମିଟି ଗଠନ କ୍ଷେତ୍ରରେ ତତ୍ପରତା ଦେଖାଦେଇନି। ଏହା ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇପାରେ। 

Advertisment

ଗତ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରୁ ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଛି। ନିୟମ କହୁଛି, ପୁରୁଣା ପରିଚାଳନା କମିଟି ଭାଙ୍ଗିବା କ୍ଷଣି ନୂଆ ପରିଚାଳନା କମିଟି ଗଠନ ହେବା କଥା। ରାଜ୍ୟ ସରକାର ଚୟନଭିତ୍ତିରେ ନୂଆ କମିଟି ଗଠନ କରିବେ। ବିଭିନ୍ନ ସେବାୟତ ନିଯୋଗରୁ ୫ ସେବାୟତ ପ୍ରତିନିଧିଙ୍କ ସହ ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ନୂଆ କମିଟିରେ ଅନ୍ତର୍ଭଚକ୍ତ କରାଯିବ। କିନ୍ତୁ ଅଦ୍ୟାବଧି ନୂଆ ପରିଚାଳନା କମିଟି ଗଠନ କରାଯାଇନି କି ଏ ଦିଗରେ ରାଜ୍ୟ ସରକାରଙ୍କ ସେଭଳି ତତ୍ପରତା ଦେଖାଉନାହାନ୍ତି। ଫଳରେ ବିନା କମିଟିରେ ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ସବୁ ଶ୍ରୀମନ୍ଦିରରେ ଚାଲିଛି। ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା ପରଠାରୁ ୧୨ ମାସର ୧୩ ପର୍ବର ବିଶେଷ ପର୍ବପର୍ବାଣୀ ଆରମ୍ଭ ହୋଇଥାଏ। ଚଳିତବର୍ଷ ଗତ ଅଗଷ୍ଟ ମାସରୁ ଚିତା ଲାଗି ଅମାବାସ୍ୟା ପରଠାରୁ ବି ବିଶେଷ ପର୍ବପର୍ବାଣୀ ଆରମ୍ଭ ହୋଇସାରିଛି।

ମା’ ବିମଳାଙ୍କ ଷୋଳପୂଜା ଭଳି ବଡ଼ ପର୍ବ ବି ବିନା କମିଟିରେ ଅନୁଷ୍ଠିତ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ବିନା କମିଟିରେ କାର୍ତ୍ତିକ ମାସର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଗକୁ କାଳୀପୂଜା ଓ ପଞ୍ଚୁକ ରହିଛି। ପଞ୍ଚୁକ ଶେଷ ପରେ ପରେ ନାଟମଣ୍ଡପର ପରିବର୍ତ୍ତିତ ଦର୍ଶନ ବ୍ୟବସ୍ଥା ବି ଲାଗୁ ହେବ। ଏଥିପାଇଁ କାଠର ରାମ୍ପ ସହ ଅନ୍ୟାନ୍ୟ ବ୍ୟବସ୍ଥା ହେବ। ଏହା ସାଙ୍ଗକୁ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ଓ ମଣିତ କାର୍ଯ୍ୟ ଆରମ୍ଭ ହେବ। ପରେ ପରେ ନୂଆ ବର୍ଷ ଭିଡ଼ ବି ଆରମ୍ଭ ହୋଇଯିବ। ଆସନ୍ତା ଜାନୁଆରି ମାସ ପର୍ଯ୍ୟନ୍ତ ନୀତକାନ୍ତି ଓ ବିଶେଷ ପର୍ବପର୍ବାଣୀର ଭିଡ଼ ଲାଗି ରହିବ। ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତିପରିଚାଳନା କମିଟିର ଆବଶ୍ୟକ ପରାମର୍ଶକ୍ରମେ ଚୂଡ଼ାନ୍ତ ହୋଇଥାଏ।  ଏଭଳି ସ୍ଥିତିରେ  ପରିଚାଳନା କମିଟିର ପୁନର୍ଗଠନ ନ ହେବା, ନୀତିକାନ୍ତି ସହ ଦର୍ଶନ ବ୍ୟବସ୍ଥାରେ ବିଶୃଙ୍ଖଳା ବଢ଼ାଇବାର ଆଶଙ୍କା ଉପୁଜିଛି। ଯଦି କିଛି ବି ସେଭଳି ଅସୁବିଧା ହୁଏ, ସବୁ ଦୋଷ ସରକାରଙ୍କ ମୁଣ୍ଡକୁ ଯିବ। ଏଣୁ ତୁରନ୍ତ ନୂଆ ପରିଚାଳନା କମିଟି ଗଠନ କରି ଶ୍ରୀମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ସେବାୟତ, ଭକ୍ତମାନେ ମତ ଦେଇଛନ୍ତି।

ନୂଆ କମିଟି ଦୌଡ଼ରେ ଅନେକ

ଆମ କଥା ନ ଶୁଣିଲେ ସୁପ୍ରିମକୋର୍ଟ ଯିବୁ: ଛାମୁ ଖୁଣ୍ଟିଆ ନିଯୋଗ

ପୁରୀ: ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି କେବେ ଗଠନ ହେବ, ତାହା ସ୍ପଷ୍ଟ ହୋଇନଥିଲେ ବି ଏହି ଦୌଡ଼ରେ ଅନେକ ସେବାୟତ ରହିଛନ୍ତି। ବିଶେଷ କରି ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକାକୁ ପ୍ରତ୍ୟାହାର କରିନେବା ପରେ ଏହି ଦୌଡ଼ରେ ନୂଆ ମୁହଁ ସହ ପୁରୁଣା ମୁହଁ ବି ଦେଖିବାକୁ ମିଳିଛି। ଯେଉଁମାନେ ପୂର୍ବରୁ ପରିଚାଳନା କମିଟିରେ ରହି ସାରିଛନ୍ତି, ସେମାନେ ସରକାରୀ ସ୍ତରରେ ଲବି ଆରମ୍ଭ କରି ଦେଇଛନ୍ତି। ଅପରପକ୍ଷେ ଶ୍ରୀମନ୍ଦିର ପ୍ରଶାସନ ୧୫ ଦିନ ତଳେ ଏକ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ଶୁଣିବାକୁ ମିଳୁଛି। କିନ୍ତୁ ରାଜ୍ୟ ସରକାର ଏହି ତାଲିକା ଉପରେ ବିଚାର କରିନାହାନ୍ତି କି କମିଟି ଗଠନ ଦିଗରେ ତତ୍ପରତା ଦେଖାଇନାହାନ୍ତି। ସେପଟେ ଛାମୁ ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଶ୍ରୀମନ୍ଦିରର ଅନ୍ୟ ନିଯୋଗକୁ ସୁଯୋଗ ନ ଦେଇ ଯଦି ପୁଣି ନିର୍ଦ୍ଦିଷ୍ଟ ୫ ନିଯୋଗକୁ ସୁଯୋଗ ମିଳେ ଓ ସେହି ନିଯୋଗରୁ କମିଟି ସଦସ୍ୟ ଚୟନ୍ତ ହୁଅନ୍ତି, ଆମେ ସୁପ୍ରିମକୋର୍ଟ ଯିବୁ। ଶ୍ରୀ ଖୁଣ୍ଟିଆ କହିଛନ୍ତି, ପୂର୍ବରୁ ରାଜ୍ୟ ସରକାର କମିଟି ଗଠନ କ୍ଷେତ୍ରରେ ଏକ ମାର୍ଗଦର୍ଶିକା ଜାରି କରିଥିଲେ। କିନ୍ତୁ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର ପଛରେ କି ଉଦ୍ଦେଶ୍ୟ ରହିଛି, ଆମେ ଜାଣିନୁ। କିନ୍ତୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି, ତାକୁ ଯଦି ସରକାର ଅମାନ୍ୟ କରନ୍ତି, ଆମେ ସୁପ୍ରିମକୋର୍ଟରେ କେସ୍‌ କରିବୁ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି।

ପୂର୍ବରୁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପାଇଁ ଏକ ମାର୍ଗଦର୍ଶିକା ଦିଆଯାଇଥିଲା। ଯେଉଁଥିରେ ଶ୍ରୀମନ୍ଦିରର ପ୍ରମୁଖ ନିଯୋଗରୁ ଦୁଇଜଣ ଲେଖାଏଁ ସେବାୟତଙ୍କ ନାମ ପଠାଇବାକୁ କୁହାଯାଇଥିଲା। ଦୁଇଥର ଶ୍ରୀମନ୍ଦିର ପରିଚାଳନା କମିଟିରେ ରହି ସାରିଥିବା ସେବାୟତଙ୍କୁ ତାଲିକାରୁ ବାଦ୍‌ ଦେବାକୁ କୁହାଯାଇଥିଲା। ସେହିଭଳି ଲଗାତାର କେହି ଦୁଇଥର ରହିପାରିବେନି ବୋଲି ମାର୍ଗଦର୍ଶିକା ଜାରି ହୋଇଥିଲା। ଅାପରାଧିକ କାର୍ଯ୍ୟକଳାପ ଓ ଅନ୍ୟ ଦିଗକୁ ବି ଦୃଷ୍ଟି ଦେବାକୁ କୁହାଯାଇଥିଲା। କିନ୍ତୁ ଆଇନ ବିଭାଗ ଏହି ମାର୍ଗଦର୍ଶିକା ପ୍ରତ୍ୟାହାର କରିନେବା ପରେ ନୂଆ ମୁହଁ ସହ ଯେଉଁମାନେ ପରିଚାଳନା କମିଟିରେ ରହି ସାରିଛନ୍ତି, ଲବି କରିବା ଆରମ୍ଭ କରି ଦେଇଛନ୍ତି। ତଥାପି ଚର୍ଚ୍ଚା ହେଉଛି, ପୂର୍ବରୁ ବିଜେଡି ସରକାର ଥିଲା ଓ ବିଜେଡି ତାଙ୍କ ଲୋକଙ୍କୁ କମିଟିରେ ରଖୁଥିଲା। ଏବେ ବିଜେପି ସରକାର ଆସିଛି, ଏଣୁ କମିଟିରେ ବିଜେପି ଲୋକ ହିଁ ରହିବେ। ଯେଉଁମାନେ ବିଜେଡି ସରକାର ଅମଳରେ ଥିଲେ, ସେମାନେ ଆଉ ରହିବେନି। ତଥାପି ନୂଆ କମିଟି ଚର୍ଚ୍ଚାରେ ସିହାଂରୀ ନିଯୋଗରୁ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ପୂଜାପଣ୍ଡା ନିଯୋଗରୁ ଜଗନ୍ନାଥ ପୂଜାପଣ୍ଡା ଓ ରବିଶଙ୍କର ପୂଜାପଣ୍ଡା, ପ୍ରତିହାରୀ ନିଯୋଗରୁ କେଦାର ଖୁଣ୍ଟିଆ, ଦଇତାପତି ନିଯୋଗରୁ ଜଗନ୍ନାଥ ଦାସମହାପାତ୍ର ଓ ରାମଚନ୍ଦ୍ର ଦାସମହାପାତ୍ର, ସୁଆର ମହାସୁଆର ନିଯୋଗରୁ କୃଷ୍ଣଚନ୍ଦ୍ର ସାମନ୍ତରାୟ, ପଦ୍ମନାଭ ମହାସୁଆର ଓ ନାରାୟଣ ମହାସୁଆରଙ୍କ ନାଁ ଚର୍ଚ୍ଚାରେ ରହିଛି।