ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧର ଯାଞ୍ଚ ପାଇଁ ଗଠନ ହୋଇଥିବା ସ୍ବତନ୍ତ୍ର ଡ୍ରଗ୍ ଟାସ୍କ ଫୋର୍ସର ପୁନର୍ଗଠନ ହୋଇଛି। ପୂର୍ବରୁ ଗତବର୍ଷ ଡିସେମ୍ବର ୨୯ ତାରିଖରେ ପ୍ରକାଶ ପାଇଥିବା ତାଲିକାରେ ୫ଜଣ ସଦସ୍ୟ ଥିବା ବେଳେ ଏବେ ସଦସ୍ୟଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି। ବିଭାଗ ପକ୍ଷରୁ ଜାରି ନିର୍ଦେଶନାମା ଅନୁଯାୟୀ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଦୋଳମଣି ପଟେଲ ଟାସ୍କ ଫୋର୍ସର ଟିମ୍ ଲିଡର ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁଦର୍ଶନ ବିଶ୍ବାଳ, ତୁଷାର ରଂଜନ ପାଣିଗ୍ରାହୀ, ଧର୍ମଦେବ ପୁହାଣ, ହରିପ୍ରିୟା ମଲ୍ଲିକ ଓ ବାବୁଲାଲ ଟୁଡ଼ୁ ସଦସ୍ୟ ରହିଛନ୍ତି। କଟକ ରେଞ୍ଜର ସର୍ବାଧିକ ୩ଜଣ ରହିଥିବା ବେଳେ ଭୁବନେଶ୍ବର, ବ୍ରହ୍ମପୁର ଓ ବଲାଙ୍ଗୀର ରେଞ୍ଜର ଡ୍ରଗ୍ ଇନ୍ସପେକ୍ଟର ଅଛନ୍ତି। ଏହି ଟାସ୍କ ଫୋର୍ସ ନିଜସ୍ବ ଓ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଆଧାରରେ ଅଚାନକ ରେଡ୍, ଔଷଧ ସଂରକ୍ଷଣ ଇତ୍ୟାଦିର ଯାଞ୍ଚ କରିବେ ବୋଲି କୁହାଯାଇଛି।
ତେବେ ପୂର୍ବରୁ ଗଠନ ହୋଇଥିବା ଡ୍ରଗ୍ ସ୍କାଡ୍କୁ ଝାରସୁଗୁଡ଼ା, ବରଗଡ଼ରୁ ଚିହ୍ନଟ ହୋଇଥିବା ନକଲି ଔଷଧ ମାମଲାରେ ଉତ୍ତରପ୍ରଦେଶର ବାରାଣାସୀ ଯିବା ପାଇଁ ନିର୍ଦେଶ ହୋଇଥିଲା। କିଛିଦିନ ତଳେ ଉତ୍ତରପ୍ରଦେଶର ଭେଷଜ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇ ଓଡ଼ିଶା ଲିଙ୍କରେ ନକଲି ଔଷଧ ଜବତ ହୋଇଥିଲା। ମାତ୍ର ଓଡ଼ିଶାର ଟିମ୍ ଆଜି ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ଯାଇପାରିଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/medicine1.jpg)