ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆବଶ୍ୟକ ମରାମତି ଓ ସଂରକ୍ଷଣ ପୂର୍ବରୁ କାନ୍ଥ, ଛାତ, ଚଟାଣ ଆଦିର ହୋଇଥିବା ବୈଷୟିକ ଯାଞ୍ଚ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ୪୫ ପୃଷ୍ଠାର ଏହି ରିପୋର୍ଟ ହସ୍ତଗତ ପରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ମରାମତି ଦିଗରେ ତତ୍ପରତା ଦେଖାଇ ଏଏସ୍ଆଇକୁ ଚିଠି ଲେଖିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଏସ୍ଆଇ ଦ୍ୱାରା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଯେଉଁ ଜିପିଆର୍ ସର୍ଭେ ହୋଇଥିଲା, ତାର ବୈଷୟିକ ରିପୋର୍ଟ ଇ ମେଲ୍ ଜରିଆରେ ଆଜି ଅପରାହ୍ନରେ ହସ୍ତଗତ ହୋଇଛି। ଶ୍ରୀମନ୍ଦିର ସୁରକ୍ଷାକୁ ସଦାସର୍ବଦା ଗୁରୁତ୍ୱ ଦିଆଯାଇଆସୁଛି। ବୈଷୟିକ ରିପୋର୍ଟ ଆଧାରରେ ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ଏଏସ୍ଆଇକୁ ଚିଠି ଲେଖି ଅନୁରୋଧ କରାଯାଇଛି। ବୈଷୟିକ ରିପୋର୍ଟ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ସହ ଆଲୋଚନା କରାଯିବ।
ତୁରନ୍ତ ମରାମତି ପାଇଁ ଏଏସ୍ଆଇକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ
ଏଏସ୍ଆଇ କଣ ସବୁ କାମ କରିବ, ତାର ତାଲିକା ମଧ୍ୟ ମଗାଯିବ। ଯାହାଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ସହ ଭକ୍ତଙ୍କ ଦର୍ଶନ ମଧ୍ୟ ଶୃଙ୍ଖଳିତ ହେବ। ରାଜ୍ୟ ସରକାରଙ୍କ ଏସ୍ଓପି ଆଧାରରେ ଜୁଲାଇ ୧୪ ଓ ୧୮ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇସାରିଛି। ଏହା ପରେ ସଂରକ୍ଷଣ ଓ ଆବଶ୍ୟକ ମରାମତି ହେବାର ଥିଲା। ଏଣୁ ରାଜ୍ୟ ସରକାର, ଉଚ୍ଚସ୍ତରୀୟ ରତ୍ନଭଣ୍ଡାର ଯାଞ୍ଚ କମିଟି ଓ ପରିଚାଳନା କମିଟିଙ୍କ ପରାମର୍ଶକ୍ରମେ ଏଏସ୍ଆଇ ପକ୍ଷରୁ ଏନ୍ଜିଆର୍ଆଇ ଜରିଆରେ ରତ୍ନଭଣ୍ଡାରର ବୈଜ୍ଞାନିକ ପଦ୍ଧତିରେ ସର୍ଭକ୍ଷଣ କରାଯାଇଥିଲା। ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ ପରେ ଅଳଙ୍କାର ଗଣତି ମଣତି ହେବ। ରିପୋର୍ଟରୁ ଯାହା ପ୍ରାରମ୍ଭିକ ସୂଚନା ମିଳିଛି ରତ୍ନଭଣ୍ଡାରରେ ସେଭଳି ସୁଡ଼ଙ୍ଗ କି ଅନ୍ୟ କିଛି ନିର୍ମାଣ ନାହିଁ। ରତ୍ନଭଣ୍ଡାରର ଚଟାଣ ଓ କାନ୍ଥର ସ୍ଥିତି ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ହୋଇଥିବା ବେଳେ ପରାମର୍ଶ ଅନୁସାରେ ମରାମତି କରାଯିବ। ଅଳଙ୍କାରର ଗଣତି ମଣତି ରତ୍ନଭଣ୍ଡାର ଭିତରେ ହେବ ଏବଂ ଏହାର ଡିଜିଟାଇଜେସନ୍ କରାଯାଇ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଡ.ପାଢ଼ୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/19/GRZ0kZd02dTazPHk6L7r.jpg)