ମନୁଷ୍ୟକୃତ ଘାଇର ମରାମତି ଏମିତି! କେଲୁଅ ବାଲି, ବଜ୍ରଗିରି ମୋରମରେ ଚାଲିଛି କାମ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କେଲୁଅ ନଦୀର ରମାପୁର ଛକ ନିକଟରେ ହୋଇଥିବା ବହୁଚର୍ଚ୍ଚିତ ମନୁଷ୍ୟକୃତ ଘାଇର ମରାମତି କାମ ବାଲିରେ ହେଉଛି। ଘାଇ ପୋତିବା ପାଇଁ ଠିକାଦାର ନିକଟସ୍ଥ କେଲୁଅ ବାଲି ଓ ବୌଦ୍ଧ କୀର୍ତ୍ତିରାଜିସଂପନ୍ନ ସଂରକ୍ଷିତ ବଜ୍ରଗିରି ପାହାଡ଼ ପାଦଦେଶରୁ ମୋରମ୍ ଆଣି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ବେଆଇନ ଭାବେ ଦୁଇଟି ବୁଲ୍‌ଡୋଜରରେ ମୋରମ୍ ଖନନ କରି ଟ୍ରକ୍ ଓ ଟ୍ରାକ୍ଟରରେ ବୁହା ହୋଇ ଆସି ଘାଇ ପୋତାଯାଉଛି। ଦିନ ଦ୍ବିପ୍ରହରରେ ଏଭଳି ମୋରମ ଖନନ ଐତିହ୍ୟସଂପନ୍ନ ପାହାଡ଼ର ସୁରକ୍ଷା ନେଇ ଅନେକ ପ୍ରଶ୍ନ ଚିହ୍ନ ଲଗାଇଛି। ସେହିପରି କେଲୁଅ ନଦୀରୁ ବାଲି ଉତ୍ତୋଳନ କରାଯାଇ ଘାଇରେ ପକାଯାଉଛି। ଫଳରେ ରାଜ୍ୟ ସରକାରଙ୍କର ଲକ୍ଷାଧିକ ଟଙ୍କାର ରାଜସ୍ବହାନି ହେଉଛି। ଏନେଇ ଅଞ୍ଚଳବାସୀ ଅଭିଯୋଗ ଉଠାଇବା ପରେ ଠିକାଦାର ଜଣେ ବ୍ୟକ୍ତିଙ୍କ ଜମିରୁ ବାଲି ମିଶା ମାଟି ଆଣି ପକାଉଛନ୍ତି।

ବଡ଼କଥା ହେଉଛି ଘାଇ ହେବାର ୯ମାସ ବିତି ଯାଇଥିଲେ ମଧ୍ୟ ଏହାର ମରାମତି ଶେଷ ହୋଇପାରିନାହଁ। ରସୁଲପୁର ବ୍ଲକର ଜଣେ ଠିକାଦାର ଏହି କାମ କରିବା ପାଇଁ ଟେଣ୍ଡର ହାତେଇଥିଲେ ହେଁ ନିଜେ ମରାମତି ନକରି ସ୍ଥାନୀୟ କେତେକ ପେଟି ଠିକାଦାରଙ୍କ ହାତକୁ ଏହି କାମ ଟେକି ଦେଇଛନ୍ତି। ଏନେଇ ଜାରକା ଜଳସେଚନ ବିଭାଗ ପକ୍ଷରୁ ୬୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ମାତ୍ର ନିୟମାନୁସାରେ ମାଟି ଓ ମୋରମ ପକାଇବା ପରେ ତାକୁ ଚାପିବାକୁ ରୋଲିଂ କରିବା କଥା। ଏବେ ବର୍ଷାଦିନ ଆସିଯାଇଥିବାରୁ ଏହି କାମକୁ ତରବରିଆ ଭାବେ କରାଯାଉଛି। ତେଣୁ ପୁଣି ବିପଦ ଆଶଙ୍କା କରୁଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଗଷ୍ଟ ୨୮ତାରିଖ ରାତି ୧୦ଟାରେ ପ୍ରାୟ କୋତପୁର ପଞ୍ଚାୟତର ବୃଦ୍ଧଲିଙ୍ଗ ଓ ରମାପୁର ଛକ ମଧ୍ୟସ୍ଥଳରେ ପ୍ରାୟ ୩୦୦ ଫୁଟର ଏକ ବିରାଟ ଘାଇ ହୋଇଥିଲା। ଡିନାମାଇଟ୍ ଲଗାଇ ନଦୀବନ୍ଧକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର