ପ୍ରତ୍ନତତ୍ତ୍ବ ବିଭାଗର ପଥର ଆଳ ଫସର ଫାଟିଲା: ପୂର୍ବ ଗଚ୍ଛିତ ପଥରରେ ହେବ ଶ୍ରୀମନ୍ଦିର ମରାମତି

ଚାଲିଛି ସ୍ନାନବେଦି, ମହାଲକ୍ଷ୍ମୀ ମନ୍ଦିର କାମ

ପୁରୀ : ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ମରାମତି ଦାୟିତ୍ବ ମୁଣ୍ଡାଇଥିଲେ ବି ରକ୍ଷଣାବେକ୍ଷଣରେ ଅହେତୁକ ଅବହେଳା ପାଇଁ ଆଜି ଶ୍ରୀମନ୍ଦିରର ଅନେକ ସ୍ଥାନ ଫାଟି ପାଣି ଗଳୁଛି। କେଉଁଠି ପଥର ଖସି ପଡ଼ିଲାଣି ତ’ କେଉଁଠି ପଥର ଗୁଣ୍ଡ ହୋଇ ଝଡ଼ିପଡ଼ୁଛି। ସବୁଠୁ ଅଧିକ ଅସୁରକ୍ଷିତ ଅବସ୍ଥାରେ ରହିଛି ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କ ମନ୍ଦିର। ବର୍ଷ ବର୍ଷ ଧରିଦୁଇ ମନ୍ଦିର ଅସୁରକ୍ଷିତ ‌ଅବସ୍ଥାରେ ପଡ଼ି ରହିଥିଲେ ବି ମରାମତି କଥା ଚିନ୍ତା କରୁନଥିଲା ପ୍ରତ୍ନତତ୍ତ୍ବ ବିଭାଗ। ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଏ ସଂପର୍କରେ ଚିଠି କଲେ ବି ଏହାକୁ କର୍ଣ୍ଣପାତ କରୁନଥିଲା। ଯେଉଁଥିପାଇଁ ମା’ ବିମଳା ଓ ମହାଲକ୍ଷ୍ମୀ ବର୍ଷାରେ ଭିଜିବା ପରିସ୍ଥିତି ଉପୁଜିଛି। ରଥଯାତ୍ରା ପାଖେଇ ଆସୁଥିବାରୁ ଯେତେବେଳେ ମରାମତି କଥା ଉଠିଲା ସେତେବେଳେ ପଥର ଅଭାବର ଆଳ ଦେଖାଇ ଖସି ଯାଉଥିଲା ପ୍ରତ୍ନତତ୍ତ୍ବ ବିଭାଗ। ପୂର୍ବରୁ ‌ଖୋଣ୍ଡେଲାଇଟ୍‌ ପଥର ଗଚ୍ଛିତ ଥିଲେ ବି ଏହା ଅନାବଶ୍ୟକ କହି କାମରେ ବିଳମ୍ବ କରୁଥିଲା। ଯେଉଁ ପଥରକୁ ଅନାବଶ୍ୟକ ବୋଲି କହୁଥିଲା, ଏବେ ପୁଣି ସେହି ପଥରରେ ମରାମତି ପାଇଁ ରାଜି ହୋଇଛି ପ୍ରତ୍ନତତ୍ତ୍ବ ବିଭାଗ।

ରଥଯାତ୍ରା ସମୟରେ ରତ୍ନବେଦି ଛାଡ଼ି ଶ୍ରୀଜିଉ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା କରୁଥିବାରୁ ପ୍ରତିବର୍ଷ ଭଳି ଏହି ୯ ଦିନ ଭିତରେ ଶ୍ରୀମନ୍ଦିର ଆବଶ୍ୟକ ମରାମତି ହେବ। ଏ ଉପରେ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅତିରିକ୍ତ ଡିଜି, ବୈଷୟିକ କୋର୍ କମିଟି ସଦସ୍ୟଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ, ମା’ ବିମଳା ମନ୍ଦିର,ମହାଲକ୍ଷ୍ମୀ ମନ୍ଦିର, କୋଇଲି ବୈକୁଣ୍ଠ, ମେଘନାଦ ପାଚେରି ପ୍ରମୁଖ ସ୍ଥାନ ମରାମତି ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଗତ ୩ ତାରିଖରେ ପ୍ରତ୍ନତତ୍ତ୍ବ ବିଭାଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ମରାମତି ପାଇଁ ୪୧ କ୍ୟୁବିକ୍‌ ମିଟର ଖୋଣ୍ଡେଲାଇଟ୍‌ ପଥର ଯୋଗାଇ ଦେବାକୁ କହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ରୁ ଖୋଣ୍ଡେଲାଇଟ୍‌ ପଥର ଆଣି ସମଙ୍ଗ ଷ୍ଟକ୍‌ ୟାର୍ଡରେ ଗଚ୍ଛିତ ରଖିଥିଲେ ବି ଏହା ମରାମତି ପାଇଁ ଅନାବଶ୍ୟକ ଲାଗିବ ନାହିଁ ବୋଲି କହିଥିଲା ପ୍ରତ୍ନତତ୍ତ୍ବ ବିଭାଗ। ଏଣୁ ଆବଶ୍ୟକ ମୁତାବକ ନୂଆ ସାଇଜ୍‌ର ୪୧ କ୍ୟୁବିକ୍‌ ଖୋଣ୍ଡେଲାଇଟ୍‌ ପଥର ଯୋଗାଇ ଦେବାକୁ କହିଥିଲା। ଏବେ ଯେତେବେଳେ ଚାପ ପଡ଼ିଲା, ପୁଣିଥରେ ସମଙ୍ଗ ଷ୍ଟକ୍‌ ୟାର୍ଡରେ ପୂର୍ବରୁ ଗଚ୍ଛିତ ପଥରରେ ମରାମତି ପାଇଁ ରାଜି ହୋଇଛି ପ୍ରତ୍ନତତ୍ତ୍ବ ବିଭାଗ। ଏ ଭିତରେ ସମଙ୍ଗ ଷ୍ଟକ୍‌ ୟାର୍ଡ଼ରୁ ପଥର ଆଣି ସ୍ନା‌ନବେଦି ଓ ମହାଲକ୍ଷ୍ମୀ ମନ୍ଦିର କାମ ଆରମ୍ଭ କରିଛି।

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି କି ପ୍ରତ୍ନତତ୍ତ୍ବ ବିଭାଗ ଚିଠି ପରେ ଆମେ ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ରୁ ନୂଆ ପଥର ଆଣିବାକୁ ଯୋଜନା କରିଥିଲୁ। ସେହି ଅନୁସାରେ ଓଡ଼ିଶା ଖଣି ନିଗମକୁ ବି ଚିଠି କରାଯାଇଛି। ତଥାପି ସମଙ୍ଗ ‌ଷ୍ଟକ୍‌ ୟାର୍ଡରେ ଗଚ୍ଛିତ ଥିବା ଖୋଣ୍ଡେଲାଇଟ୍‌ ପଥରରେ ମରାମତି ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ସହମତି ପ୍ରକାଶ କରିବା ପରେ ଏବେ ପର୍ଯ୍ୟାୟକ୍ରମେ ଆବଶ୍ୟକ ଖୋଣ୍ଡେଲାଇଟ୍‌ ପଥର ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଏ ସଂପର୍କରେ ପ୍ରତ୍ନତତ୍ତ୍ବ ବିଭାଗ ଅଧିକାରୀ କହିଛନ୍ତି ଯେ ଶ୍ରୀମନ୍ଦିରରେ ଦୈନନ୍ଦିନ ଅନେକ ନୀତିକାନ୍ତି ଚାଲୁଥିବାରୁ ମରାମତି କରିବା ବିଳମ୍ବ ହେବା ସ୍ବାଭାବିକ। ସେପଟେ ଶ୍ରୀମନ୍ଦିରର ଐତିହ୍ୟ କାରୁକାର୍ଯ୍ୟର ମରାମତି ପାଇଁ ନିର୍ଦ୍ଧିଷ୍ଟ ସାଇଜ୍‌ର ପଥର ଆବଶ୍ୟକ। ଏଥିପାଇଁ ଆମେ ନିର୍ଦ୍ଧିଷ୍ଟ ସାଇଜ୍‌ର ପଥର ମାଗିଥିଲୁ। ତଥାପି କାମ ବିଳମ୍ବ ହେବା ଆଶଙ୍କା ଥିବାରୁ ଯେଉଁ ପଥର ରହିଛି, ସେଥିରେ ମରାମତି କାମ ଆରମ୍ଭ କରିଛୁ। ଏ ଭିତରେ ସ୍ନାନବେଦି, ମହାଲକ୍ଷ୍ମୀ ମନ୍ଦିର ମରାମତି କାମ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ଆମକୁ ପ୍ରାୟ୧୦ କ୍ୟୁବିକ୍‌ ମିଟର ପଥର ଯୋଗାଇ ସାରିଛି। ତଥାପି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ, ମହାଲକ୍ଷ୍ମୀ ମନ୍ଦିର ଆଦିର ଆବଶ୍ୟକ ମରାମତି ସାରିଦେବୁ ବୋଲି ଲକ୍ଷ୍ୟ ରଖିଛୁ। ହାତରେ ଆଉ ସମୟ ନଥିବାରୁ ରଥଯାତ୍ରା ପରେ ମା’ ବିମଳାଙ୍କ ମନ୍ଦିର କାମ ଆରମ୍ଭ କରିବାକୁ ଯୋଜନା କରିଛୁ ‌ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର