ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ଅଟକିଛି; ତିନିବର୍ଷ ତଳୁ ଜଣାପଡ଼ିଲାଣି ବିପଦପୂର୍ଣ୍ଣ ଅବସ୍ଥା, ଅନେକ ସ୍ଥାନରୁ ପାଣି ଗଳୁଥିଲା

ପୁରୀ : ପ୍ରତିବର୍ଷ ଭଳି ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପ ସହ ପାର୍ଶ୍ବଦେବାଦେବୀ ମନ୍ଦିର ମରାମତି କରିବାକୁ ଅଣ୍ଟାଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ମୁଣ୍ଡାଇଥିବା ପ୍ରତ୍ନତତ୍ତ୍ବ ବିଭାଗର ଅତିରିକ୍ତ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ପ୍ରାଥମିକ ବୈଠକ ବି ଶେଷ ହୋଇଛି। ବାର୍ଷିକ ରକ୍ଷଣାବେକ୍ଷଣ ଓ ମରାମତି ଉପରେ ବିସ୍ତୃତ ଆଲୋଚନା ହୋଇଛି। କିନ୍ତୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଥରୁଟିଏ ବି କେହି ମନେପକାଉନାହାନ୍ତି। ତିନି ବର୍ଷ ତଳୁ ବିପଦପୂର୍ଣ୍ଣ ଅବସ୍ଥାରେ ଥିଲେ ବି ନା ଏହାର ମରାମତି ସଂପର୍କରେ ଆଲୋଚନା ହେଉଛି ନା ବିକଳ୍ପ ବ୍ୟବସ୍ଥା କଥା। ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରତି ଏଭଳି ଅବହେଳା ଭକ୍ତ ମହଲକୁ ବି ଆନ୍ଦୋଳିତ କଲାଣି।

ମହପ୍ରଭୁଙ୍କ ରତ୍ନଭଣ୍ଡାରରେ ମହଣ ମହଣ ସୁନା, ହୀରା, ମୋତି, ମାଣିକ ଭଳି ଅନେକ ମୂଲ୍ୟବାନ ଅଳଙ୍କାର ରହିଥିବାବେଳେ ଏହି ଅଳଙ୍କାରର ଆକଳନ ପାଇଁ ୨୦୧୮ ଏପ୍ରିଲ ମାସରେ ରାଜ୍ୟ ସରକାର ନିଷ୍ପତ୍ତିକ୍ରମେ ଏହାକୁ ଖୋଲିବାକୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ଯେଉଁଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ, ଜିଲ୍ଲାପାଳ, ବରିଷ୍ଠ ପ୍ରାଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ଭଣ୍ଡାର ମେକାପ ପ୍ରମୁଖ ଏହି କମିଟିରେ ରହିଥିଲେ। ବାହାର ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ଦୈନିକ ବେଶର ଅଳଙ୍କାର ରହିଥିବାବେଳେ ଏହାକୁ ବିଭିନ୍ନ ସମୟରେ ମହାପ୍ରଭୁଙ୍କଠାରେ ଲାଗି କରାଯାଇଥାଏ। କିନ୍ତୁ ଭିତର ରତ୍ନଭଣ୍ଡାରରେ ଥିବା ଅବ୍ୟବହୃତ ଅଳଙ୍କାର ହିସାବ ସେ ସମୟରେ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା। ଦୀର୍ଘ ୩୪ ବର୍ଷ ପରେ ମହାପ୍ରଭୁଙ୍କ କେତେ ଅଳଙ୍କାର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅନାଇ ବସିଥିଲେ ବିଶ୍ବର ଅଗଣତି ଭକ୍ତ। ନିର୍ଦ୍ଦିଷ୍ଟ ଦିନ ଓ ସମୟ ଧାର୍ଯ୍ୟ ପରେ ରତ୍ନଭଣ୍ଡାର ଖୋଲିବାକୁ ବ୍ୟାପକ ଆୟୋଜନ କରାଗଲା। ସ୍ବତନ୍ତ୍ର କମିଟି ବାହାର ରତ୍ନଭଣ୍ଡାର ଘର ଖୋଲି ପ୍ରବେଶ କରିବା ପରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭିତର ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ରହସ୍ୟଜନକ ଭାବେ ଏହାକୁ ବନ୍ଦ କରି ଦିଆଯାଇଥିଲା। ଚାବି ହଜି ଯାଇଥିବା ଜାଣିବା ପରେ ଫେରି ଆସିଥିଲେ କମିଟି। କିନ୍ତୁ ତାଲାପଡ଼ିବା ଅବସ୍ଥାରେ କମିଟି ବାହାରେ ରହି ଭିତର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଥିଲା। ଟର୍ଚ୍ଚ ଲାଇଟ୍‌ ସାହାଯ୍ୟରେ ଭିତର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ବେଳେ ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। କାନ୍ଥରୁ ବର୍ଷା ପାଣି ଝରି ଦାଗ ହୋଇ ଯାଇଥିବା ଅଧିକାରୀମାନେ ଗଣମାଧ୍ୟମ ଆଗରେ କହିଥିଲେ। ଅନେକ ସ୍ଥାନ ଫାଟି ଛେଲା ଛେଲା ହୋଇ ଖସି ପଡ଼ିଥିବା ପ୍ରକାଶ କରିଥିଲେ। କେବଳ ଭିତର ରତ୍ନଭଣ୍ଡାର ଘର ନୁହେଁ, ବାହାର ରତ୍ନଭଣ୍ଡାର ଘର ଅବସ୍ଥା ବି ଭଲ ନଥିବା କମିଟିରେ ଥିବା ଅଧିକାରୀମାନେ ଗଣମାଧ୍ୟମ ଆଗରେ ବଖାଣିଥିଲେ। ଏପରିକି ବହୁଦିନରୁ ଏହା ଖୋଲା ଯାଇଥିବାରୁ ମୋଟାର ଅଳନ୍ଧୁ, ମଇଳା ଆସ୍ତରଣ ଜମି ଯାଇଥିବା ସ୍ପଷ୍ଟ କରିଥିଲେ। ଏ ଭିତରେ ତିନି ବର୍ଷ ବିତିଥିଲେ ବି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ହେଉ କି ମରାମତି, କେହି ବି ଏହି ପ୍ରସଙ୍ଗକୁ ମନେ ପକାଉନାହାନ୍ତି।

ଏ ସଂପର୍କରେ ଭକ୍ତ ଦିଲ୍ଲୀପ କୁମାର ବରାଳ କହିଛନ୍ତି , ରତ୍ନଭଣ୍ଡାର ମରାମତି ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଏହାକୁ ରାଜ୍ୟ ସରକାର କି ମନ୍ଦିର ପ୍ରଶାସନ ଗୁରୁତ୍ବ ନ ଦେବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର