ସୂର୍ଯ୍ୟମହଲ ଭୁଷୁଡିବା କାନ୍ଥ ଓ ବିକ୍ରମଦେବ ପ୍ରତିମୂର୍ତ୍ତି ନିକଟ ମରାମତି ଆରମ୍ଭ

ଜୟପୁର: ଗତ ମାସ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ସୂର୍ଯ୍ୟମହଲର ଗୋଟିଏ ପା‌ର୍ଶ୍ବର କାନ୍ଥ ଭୁଷୁଡି ପଡ଼ିଥିଲା। ସୂର୍ଯ୍ୟମହଲ ପରିସରରେ ୧୯୨୭ରେ ରାଜା ରାମଚନ୍ଦ୍ର ଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ମହାରାଜା ବିକ୍ରମ ଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାନିତ କରିଥିବା ସ୍ଥାନର ଉପରଛାତ ଭୁଷୁଡିବା ସହ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଚାଲିଆସିଥିଲା। ଏ ନେଇ ସମ୍ବାଦରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ରାଜ ପରିବାର ପକ୍ଷରୁ ଉଭୟ ସ୍ଥାନର ମରାମତି କାମ ଆରମ୍ଭ କରାଯାଇଛି। ତେବେ ଏହି ଅଂଚଳକୁ ଜିଲ୍ଲାପ୍ରଶାସନ ନିଜ ଅଧିନକୁ ନେଇ ରଖିବାକୁ ସାହି ବାସିନ୍ଦା ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

ଶହେ ବର୍ଷ ପୂର୍ବେ ଯେଉଁ ସୂର୍ଯ୍ୟ ମହଲ ମହାରାଜଙ୍କ କୀର୍ତ୍ତି ସୌର୍ଯ୍ୟକୁ ବର୍ଣ୍ଣନା କରୁଥିବା ଏକ ସଂଗ୍ରହାଳୟ ଥିଲା ଆଜି ସେହି ମହଲ ଜରାର୍ଜୀର୍ଣ୍ଣ ଅବସ୍ଥାରେ ।

ମହଲ ଉପରେ ଗଛ ଲତା ମାଡିଯିବା ସହ ଶିଉଳିରେ ଭର୍ତ୍ତି ମହଲ କାନ୍ଥ । ଆଉ ମହଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗୋଚର ଜମିର ଭମ୍ର ସୃଷ୍ଟି କରୁଛି । ଏହି ସମସ୍ତ ସମ୍ପତ୍ତି ରାଜପରିବାର ଅଧୀନରେ ଥିବା ଯୋଗୁଁ ସରକାରଙ୍କ ଦ୍ଵାରା ଏହାର ରକ୍ଷଣାବେକ୍ଷଣ କରାଯାଇ ପାରୁନଥିବା ସରକାରୀ ଅଧିକାରୀ କହୁଛନ୍ତି।  ତେବେ ରାଜପରିବାର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ବୟର ଅଭାବରୁ ଜିଲ୍ଲାର ଇତିହାସକୁ ବହନ କରିଥିବା ରାଜ ମହଲ ଗୁଡ଼ିକ ଅବହେଳାର ଶିକାର ହେଉଥିବା ବୁଦ୍ଧିଜୀବୀ  ଓ ସାହିବାସିନ୍ଦା ମାନେ  ଅଭିଯୋଗ କରିଛନ୍ତି। ବ୍ରିଟିଶ ଅମଳରୁ ଏଠାକୁ ପର୍ଯ୍ୟଟକ ଆସୁଥିଲେ । ପରବର୍ତ୍ତୀ ସମୟରେ ଏହା ଏକ ବ୍ୟାଙ୍କକୁ ଭଡା ଆକାରରେ ଦିଆଯାଇଥିଲା ।

ସେ ସମୟରେ ମଧ୍ୟ ଏହାର କୌଣସି ମରାମତି ହୋଇନଥିଲା । ବ୍ୟାଙ୍କ ଛାଡିବା ପରେ ସେବେଠୁ ଏହା ଅବହେଳିତ ହୋଇ ପଡିରହିଛି । ଅପରପକ୍ଷରେ ସଂଧ୍ୟା ନଇଁବା ମାତ୍ରକେ ଅସମାଜିକ ବ୍ୟକ୍ତି, ନିଶାଡ଼ିଙ୍କ ଆଡ୍ଡା ଜମିବା ସହ ଏହା ପରିସରରେ ବସବାସ କରୁଥିବା ସାହି ବାସିନ୍ଦା ଭୟଭୀତ ଅବସ୍ଥାରେ ରହୁଛନ୍ତି। ମହିଳା ଓ ଯୁବତୀମାନେ ସଂଧ୍ୟାରେ ନିଜ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଥିବା କହିଛନ୍ତି। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ରକ୍ଷଣାବେକ୍ଷଣ କରିବା ସହ ନିଜ ଅଧିନକୁ ନେବା ସହ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡ଼ି କରିବାକୁ  ବହୁ ଗବେଷକ, ବୁଦ୍ଧିଜୀବୀ ଓ ସୂର୍ଯ୍ୟମହଲ ସାହିବାସିନ୍ଦା ମାନେ ଦାବି କରିଛନ୍ତି। ।

ସମ୍ବନ୍ଧିତ ଖବର