ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ : ଅଚଳ ନଳକୂପ ସଜାଡ଼

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏଥରକ ସ୍ୱାଭାବିକ ସମୟ ପୂର୍ବରୁ ଗ୍ରୀଷ୍ମପ୍ରବାହ ହେବ। ତାହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ହିଟ୍‌ୱେଭ୍‌ର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୪ ତାରିଖ ଯାଏ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିବ। ତେବେ ଏହାପରେ ଗ୍ରୀଷ୍ମପ୍ରବାହ ଦ୍ୱାରା ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ବିଶେଷକରି ଶ୍ରମିକ ଶ୍ରେଣୀର ଲୋକେ ଅଧିକ ପ୍ରଭାବିତ ହୋଇପାରନ୍ତି। ତେଣୁ ଗ୍ରୀଷ୍ମ ସମୟରେ ଏଭଳି ସ୍ଥିତିର ମୁକାବିଲା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

କୁହାଯାଇଛି ଯେ ସମ୍ବାଦପତ୍ର ଓ ବୈଦ୍ୟୁତିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ କରି ଲୋକଙ୍କୁ ସଚେତନ କର। ବିଭିନ୍ନ ସାମାଜିକ ସଂଗଠନକୁ ଏହି ସଚେତନ କାର୍ଯ୍ୟକ୍ରମରେ ସାମିଲ କରାଯାଉ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉ। ଗ୍ରୀଷ୍ମ ସମୟରେ ଲୋକେ କ’ଣ କରିବେ ଓ କ’ଣ ନ କରିବେ, ସେନେଇ ଅବଗତ କରାଯାଉ। ଶିଶୁ, ଗର୍ଭବତୀ ମହିଳାମାନେ ଯେମିତି ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସଚେତନତା ଅଭିଯାନ କାର୍ଯ୍ୟକ୍ରମ କରିବାକୁ କୁହାଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସୃଷ୍ଟି ହେଉଥିବା ପାନୀୟ ଜଳ ଅଭାବ ଦୂର କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ରହିଛି, ସେଠାକୁ ଟ୍ୟାଙ୍କର୍‌ ଯୋଗେ ପାଣି ପଠାଯାଉ। ଅଚଳ ନଳକୂପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର