ଭୁବନେଶ୍ବର : ଆଗାମୀ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ତରଫରୁ ସମ୍ଭାବ୍ୟ ବନ୍ୟା ମୁକାବିଲା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭାଗୀୟ ଯନ୍ତ୍ରୀ ଓ ବିଭିନ୍ନ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହିତ ସମସ୍ତ ନଦୀ ବନ୍ଧର ନଖି କାର୍ଯ୍ୟ ଶେଷ ହୋଇଛି। ଯେଉଁ ସବୁ ନଦୀବନ୍ଧର ଦୁର୍ବଳ ସ୍ଥାନରେ ସାମୟିକ ମରାମତି ବା ପୁନରୁଦ୍ଧାର କାର୍ଯ୍ୟ ବାକି ରହିଛି, ତାହାକୁ ଆଗାମୀ ଜୁନ ୧୫ ତାରିଖ ସୁଦ୍ଧା ଶେଷ କରାଯିବ। ଆଜି ବିଭାଗ ପକ୍ଷରୁ ଆୟୋଜିତ ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।
ବୈଠକରୁ ମିଳିଥିବା ସୂଚନା ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଖାଲି ସିମେଣ୍ଟ ବ୍ୟାଗ, ବାଲି, ବାଉଁଶ, ବଲ୍ଲା ଆଦି ଜୁନ ୧ ତାରିଖ ସୁଦ୍ଧା ସରକାରୀ ବ୍ୟବସ୍ଥାରେ ସଂଗ୍ରହ ପରେ ଜୁନ ୧୫ ତାରିଖ ସୁଦ୍ଧା ଆବଶ୍ୟକ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସାମଗ୍ରୀର ସଂଗ୍ରହ ଓ ମହଜୁଦ ସମ୍ପର୍କିତ ତଥ୍ୟ ବିଭାଗୀୟ ୱେବସାଇଟରେ ଉପଲବ୍ଧ ହେବ। ସେହିପରି ୨୦୨୦ ବନ୍ୟାରେ ଚିହ୍ନଟ ହୋଇଥିବା ସମସ୍ତ ଘଳିଆର ମରାମତି କାର୍ଯ୍ୟ ଚଳିତ ମାସ ୨୫ ତାରିଖ ଏବଂ ଘାଇ ମରାମତି କାର୍ଯ୍ୟ ଜୁନ ୧୦ ତାରିଖ ସୁଦ୍ଧା ଶେଷ କରାଯିବ। ସମସ୍ତ ଘାଇ ମରାମତିର ସ୍ଥିତି ସମ୍ପର୍କରେ ମଧ୍ୟ ବିଭାଗୀୟ ୱେବସାଇଟରେ ସୂଚନା ଦିଆଯିବ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏହି ବୈଠକରେ ଅଧ୍ୟକ୍ଷତା କରି ମାର୍ଗଦର୍ଶିକା ଅନୁସାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଯନ୍ତ୍ରୀ (ବନ୍ୟା ନିୟନ୍ତ୍ରଣ) ଭକ୍ତରଞ୍ଜନ ମହାନ୍ତି ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ବନ୍ୟା ସମୟରେ ଏସ୍ଓପି କଡ଼ାକଡ଼ି ଭାବେ ପାଳନ କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ନିୟନ୍ତ୍ରଣ ପ୍ରକୋଷ୍ଠର ପରିଚାଳନା, ଟେଲିଫୋନ ଡିରେକ୍ଟୋରି ପ୍ରସ୍ତୁତି, ଅଧିକାରୀଙ୍କ ମଧ୍ୟରେ ବନ୍ୟା ପରିଚାଳନା ନେଇ ଉତ୍ତରଦାୟିତ୍ଵ, ବିନା ଅନୁମତିରେ ଛୁଟି ମଞ୍ଜୁର କରାନଯିବା, ଜରୁରୀ ପରିସ୍ଥିତିରେ ଠିକାଦାର ଓ ସ୍ଥାନୀୟ ଲୋକଙ୍କ ପାଖରେ ଥିବା ଆବଶ୍ୟକ ଯନ୍ତ୍ରପାତି ବ୍ୟବହାର ନେଇ ପ୍ରସ୍ତୁତି, ବର୍ଷା ପରିମାଣ, ଲାଇଫ ଜ୍ୟାକେଟ ପ୍ରସ୍ତୁତ ରଖିବା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ , ସର୍ବୋଚ୍ଚ ଯନ୍ତ୍ରୀ ( ଯୋଜନା ଓ ନକ୍ସା) ଧୀରେନ କୁମାର ସାମଲ, ବିଭିନ୍ନ ନଦୀ ଅବବାହିକା ପରିଚାଳନା ଦାୟିତ୍ବରେ ଥିବା ମୁଖ୍ୟ ଯନ୍ତ୍ରୀ ତଥା ବେସିନ ମ୍ୟାନେଜର, ପରିଚାଳନା ନିର୍ଦ୍ଦେଶକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ଓ ଓଡ଼ିଶା ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ଥିଲେ।