ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଆରମ୍ଭ

ସମ୍ବଲପୁର :‌ ସମ୍ବଲପୁରର ୪୫୦ ବର୍ଷର ଶୀତଳଷଷ୍ଠୀ ଇତିହାସରେ କରୋନା କାରଣରୁ ଦୁଇ ବର୍ଷ ଶୋଭାଯାତ୍ରା ଆୟୋଜନ ନହେବା ଏକ ବ୍ୟତିକ୍ରମ ଥିଲା। ୨୦୨୦ ଓ ୨୦୨୧ରେ ବିନା ଶୋଭାଯାତ୍ରାରେ ଶିବବିବାହ ନିରାଡ଼ମ୍ବର ଭାବେ ଆୟୋଜିତ ହୋଇଥିଲା। ହେଲେ କଟକଣା ଉଠିବା ପରେ ଏଥର ତିନିଗୁଣା ଉତ୍ସାହରେ ଯାତ୍ରା ଆୟୋଜନ ପାଇଁ ଲାଗି ପଡ଼ିଛନ୍ତି ସବୁ ଯାତ୍ରା କମିଟି। ବିଶ୍ବର ସର୍ବବୃହତ୍‌ ସାଂସ୍କୃତିକ ଶୋଭାଯାତ୍ରା ବିବେଚିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ସମ୍ବଲପୁରର ତିନି ପ୍ରାଚୀନ ଯାତ୍ରା କମିଟିକୁ ନେଇ ଗଠିତ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ତରଫରୁ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାତ୍ରା ସଂପର୍କରେ ସୂଚନା ଦିଆଯାଇଥିଲା। ସମନ୍ବୟ ସମିତି ସଭାପତି ସୁଶାନ୍ତ ପୁରୋହିତ କହିଥିଲେ , ଏଥର ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ସମ୍ବଲପୁର ପୁଲିସ୍, ମହାନଗର ନିଗମ ପକ୍ଷରୁ ସହଯୋଗ ମିଳୁଛି। କିନ୍ତୁ ସରକାରଙ୍କ ପକ୍ଷରୁ ଅନୁଦାନ ପାଇଁ ପ୍ରତିଶ୍ରୁତି ମିଳିଥିଲେ ବି ଏପର୍ଯ୍ୟନ୍ତ ତାହା ହସ୍ତଗତ ହୋଇନାହିଁ।

କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ଜଗଦୀଶ ପଣ୍ଡା କହିଥିଲେ, ଏଥର ଜାଗେଶ୍ବର ବାବାଙ୍କ ଶୋଭାଯାତ୍ରାରେ ୨୫୦୦ କଳାକାର ସାମିଲ ହେବେ ଓ ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ପ୍ରଶାନ୍ତ ବରେଇ ବଂ ବରାଡ଼ ବାଲୁଂକେଶ୍ବର ବାବାଙ୍କ ପାଇଁ ୧.୩ କୋଟି ଟଙ୍କା ବ୍ୟୟରେ ଦେଢ଼ କୁଇଣ୍ଟାଲ୍ ରୁପାରେ ତିଆରି ଚାନ୍ଦି ମେଢ଼ ସଂପର୍କରେ କହିଥିଲେ। ଯାତ୍ରା ପାଇଁ ୩୦ରୁ ୩୫ ଲକ୍ଷ ବଜେଟ୍ ହୋଇଥିବାବେଳେ ୧୫୦୦ କଳାକାରଙ୍କ ସମାଗମ ହେବ। ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ସଭାପତି ସରୋଜ ଦଲପତ ୧୯୦୦ କଳାକାରଙ୍କ ସମାଗମ ଓ ୩୫ ଲକ୍ଷ ଟଙ୍କା ବ୍ୟୟ ହେବା ନେଇ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର