ଦେବଗଡ଼: ଚଳିତ ନିର୍ବାଚନରେ ଦେବଗଡ଼ ଜିଲ୍ଲାର ସମସ୍ତ ୭ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ବିଜେପି ଖାତା ଖୋଲି ନପାରି ନିରାଶ ହୋଇଛି। ଦେବଗଡ଼ ଜିଲ୍ଲା ବିଜେପିର ଦୁର୍ଗ ହୋଇଥିବା ବେଳେ ନିର୍ବାଚନରେ ଗୋଟିଏ ବି ଆସନ ନ ପାଇବା ଦଳର ନେତୃବୃନ୍ଦଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦଳ ପରାଜୟର କାରଣ ଖୋଜିବା ସହିତ ସମୀକ୍ଷା ଆରମ୍ଭ କରିଛି। ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ହାତରେ ୭ ଜିଲ୍ଲା ପରିଷଦ ଆସନ ସହିତ ୩ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ରହିଥିଲା। ଦେଖିବାକୁ ଗଲେ ଚଳିତ ନିର୍ବାଚନରେ ମଧ୍ୟ ୨୦୧୨ ନିର୍ବାଚନର ପୁନରାବୃତ୍ତି ହେବା ସହିତ ୭ ଜିଲ୍ଲା ପରିଷଦ ଆସନ ଦଖଲ କରିବାରେ ବିଜେଡି ସଫଳ ହୋଇଛି।
ଅନ୍ୟପଟେ କିଏ ବସିବ ଜିଲ୍ଲା ପରିଷଦ ସଭାପତି ଆସନରେ ସେ ନେଇ ବିଜୟୀ ୭ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରାର୍ଥିନୀ ଲବି ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବିଜେଡି ଓ ବିଜେପି ପକ୍ଷରୁ ତିନି ପଞ୍ଚାୟତ ସମିତି ଦଖଲ କରିବା ପାଇଁ କସରତ ଆରମ୍ଭ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ୧୯୯୭ରେ ହୋଇଥିଲା ଦେବଗଡ଼ ଜିଲ୍ଲା ପରିଷଦର ପ୍ରଥମ ନିର୍ବାଚନ। ଏହା ପରଠାରୁ ୫ ଜିଲ୍ଲା ପରିଷଦ ନିର୍ବାଚନ ସରିଲାଣି। ଏଥି ମଧ୍ୟରୁ ୩ ମହିଳା ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି। ଅନ୍ୟପକ୍ଷରେ ବିଜେପି ହାତରେ ସର୍ବାଧିକ ୩ ଥର ରହିଛି।
ବିଜେଡି ଓ କଂଗ୍ରେସ ଥରେ ଲେଖାଏଁ ଜିଲ୍ଲା ପରିଷଦ ଗଠନ କରିଛନ୍ତି। ଚଳିତ ନିର୍ବାଚନରେ ଦେବଗଡ଼ ଜିଲ୍ଲା ପରିଷଦ ସଭାପତି ଆସନ ଅଣସଂରକ୍ଷିତ ରହିଛି। ପ୍ରଥମ ନିର୍ବାଚନର କଂଗ୍ରେସ ହାତକୁ ଯାଇଥିଲା। ୨୦୦୨ରୁ ୨୦୦୭, ୨୦୦୭ରୁ ୨୦୧୨ ଏବଂ ୨୦୧୭ରୁ୨୦୨୨ ପର୍ଯ୍ୟନ୍ତ ବିଜେପି ଦଖଲରେ ଥିଲା। ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଗୋଟିଏ ଥର ପାଇଁ ବିଜେଡି ହାତକୁ ଯାଇଥିଲା ଜିଲ୍ଲା ପରିଷଦ ସଭାପତି ଆସନ। ୨୦୧୨ ନିର୍ବାଚନରେ ବିଜେଡି ହାତରେ ରହିଥିଲା ସମସ୍ତ ଜିଲ୍ଲା ପରିଷଦ ଜୋନ୍ ଏବଂ ତିନି ପଞ୍ଚାୟତ ସମିତି ଅଧ୍ୟକ୍ଷ। ଏହା ପରେ ପୁଣି ବିଜେଡିକୁ ମାତ ଦେଇ ବିଜେପି ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଭାପତି ଆସନ ହାତେଇଥିଲା।