କଣ୍ଟାମାଳ: କଳାହାଣ୍ଡିର ଦାନ ମାଝୀ ତାଙ୍କ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଡାକ୍ତରଖାନାରୁ ଗାଁକୁ ନେବା ଘଟଣା ଏକଦା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ସେହିଭଳି ଆଉ ଏକ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। 

Advertisment

ସୋମବାର ସକାଳେ ମନମୁଣ୍ଡା ଥାନା ଦହ୍ୟା ପଞ୍ଚାୟତ କରମାପଦର ଗାଁର ଠାକୁର ମେହେର ନିଜ ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବାବେଳେ ପ‌ାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଶବ ବ୍ୟବଚ୍ଛେଦ ପାଇଁ ପୁଲିସକୁ ଖବର ଦେଇଥିଲେ। ହେଲେ ଅନେକ ସମୟ ଅପେକ୍ଷା କଲାପରେ ବି ପୁଲିସ ନ ଆସିବାରୁ ମୃତକଙ୍କ ପରିବାର ଲୋକ ଶବ ଘରକୁ ନେଇଯିବାକୁ ଅଡ଼ି ବସିଥିଲେ। 

ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ି ଥିଲେ ବି ଶବ ବ୍ୟବଚ୍ଛେଦ ହୋଇ ନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଗାଡ଼ି ଦେବାକୁ ମନା କରିଥିଲେ ଓ ପୁଲିସ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଥିଲେ। ତେବେ ‌ବହୁ ବିଳମ୍ବ ହୋଇଥିବାରୁ ପରିବାର ଲୋକ ଧୈର୍ଯ୍ୟହରା ହୋଇଥିଲେ। ସେମାନେ ଠାକୁରଙ୍କ ଶବକୁ କାନ୍ଧରେ ବୋହି ଜାତୀୟ ରାଜପଥ ନଂ ୫୭ରେ ନିଜ ଗାଁ କର୍ମାପଦରକୁ ନେଉଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ ଆସିବାରେ ବିଳମ୍ବ ହେତୁ ଶବକୁ ବ୍ୟବଚ୍ଛେଦ ନ କରି ସେମାନେ ୬ କିମି ଦୂର ନିଜ ଗାଁକୁ କାନ୍ଧରେ ବୋହି ନେଇଥିଲେ। ଶବ ଗାଁରେ ପହଞ୍ଚି ସାରିଥିବାବେଳେ ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା। ଗାଁରୁ ଶବକୁ ପୁଣି ମନମୁଣ୍ଡା ଡାକ୍ତରଖାନାକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ୧୪/୨୦୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ମନମୁଣ୍ଡା ଥାନାଧିକାରୀ ଅଞ୍ଜଳି ବିଶ୍ୱାଳ ସୂଚନା ଦେଇଛନ୍ତି।