ଭୁବନେଶ୍ୱର: ନିର୍ବାଚନ ହାରିବା ଭୟରେ ବିଜେଡି ହତାଶ ହୋଇ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରୁଛି। ନିର୍ବାଚନୀ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଦଳୀୟ ପ୍ରାର୍ଥୀ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହାସତ୍ତ୍ବେ ପୁଲିସ କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଆନ୍ଧ୍ରପ୍ରଦେଶରେ ଯେପରି ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳତା ଯୋଗୁ ପୁଲିସ ଡିଜିଙ୍କ ବଦଳି ହୋଇଛି ସେହିପରି ଓଡ଼ିଶାରେ ପୁଲିସ ଡିଜିଙ୍କୁ ତୁରନ୍ତ ବଦଳାଯାଉ ବୋଲି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।
ବିଜେପି ଅଭିଯୋଗ କରିଛି ଯେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଘସିପୁରା ନିର୍ବାଚନ ମଣ୍ଡଳୀର ସରକାରୀ କର୍ମଚାରୀମାନେ ଖୋଲାଖୋଲି ଭାବେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ଏପରିକି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଭୋଟରଙ୍କୁ ଧମକ ଦେଉଛନ୍ତି। ବାଟୋ ପଞ୍ଚାୟତ ପତିତପାବନ ଏସ୍ଏଚ୍ଜି ଗ୍ରୁପ୍ର ରାସନ ସାମଗ୍ରୀ ବିତରକ ବିନୟ କୁମାର ରାଓ ଅଟା ଗ୍ରାମରେ ବିଜେଡି ପାଇଁ ଏକ ବୈଠକ କରିଥିଲେ। ସେ ବିଜେଡି ପାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ଉପସ୍ଥିତିରେ ବିଜେଡିକୁ ଭୋଟ ଦେବାକୁ ହିତାଧିକାରୀମାନଙ୍କୁ କହିଥିଲେ। ଏପରି ନ କଲେ ସେମାନଙ୍କ ରାସନ କାର୍ଡ ବନ୍ଦ କରିଦିଆଯିବା ସହ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ନ ଦେବାକୁ ଚେତାବନୀ ଦେଇଛନ୍ତି।
ସେହିପରି ବେଗୁନିଆପଡ଼ା ବ୍ଲକ ବ୍ରଜହରି ପଞ୍ଚାୟତ ଅନ୍ତର୍ଗତ କବିସୂର୍ଯ୍ୟନଗରରେ ଅନିଲ କୁମାର ପରିଡ଼ା ଶାସକ ବିଜେଡି ପାଇଁ ଖୁଲମଖୁଲା ପ୍ରଚାର କରୁଛନ୍ତି। ଯାଜପୁର ଜିଲା ଦାନଗଦି ବ୍ଲକ ଅନ୍ତର୍ଗତ ତରି ଉଚ୍ଚ ପ୍ରାଥମିକ ହାଇସ୍କୁଲର ଶିକ୍ଷକ ବସନ୍ତ କୁମାର ଦାସ ବିଜେଡି ପାଇଁ ପ୍ରଚାର କରୁଛନ୍ତି। ଏହାର ଫଟୋ ଓ ଭିଡିଓ ବିଜେପି ସିଇଓଙ୍କୁ ଦେଇଛି। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍ମକ ନେତୃତ୍ବରେ ଯାଇଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ସମ୍ପାଦକ କସ୍ତୁରୀ ମିଶ୍ର, ମୁଖପାତ୍ର ଅନିଲ ବିଶ୍ୱାଳ, ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ୱଜିତ୍ ସ୍ୱାଇଁ, ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।