ପ୍ରାଥମିକ ଶିକ୍ଷକଙ୍କ ବଦଳି କ୍ୟାଲେଣ୍ଡର ଜାରି

ଭୁବନେଶ୍ବର : ୨୦୨୨ରେ ଶିକ୍ଷକ ବଦଳି ପାଇଁ କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ମେ’ ୩୧ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରଖିବାକୁ ପ୍ରାଥମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗର ଅନୁମତି ଲୋଡ଼ାଯାଇଛି। ବିଭାଗୀୟ ଅଧିକାରୀ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ମେ’ ୩୧ଠାରୁ ଶିକ୍ଷକ ଶିକ୍ଷୟିତ୍ରୀ‌ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁନ୍‌ ୧୫ ସୁଦ୍ଧା ଆବେଦନପତ୍ର ଯାଞ୍ଚ, ୨୦ ତାରିଖ ସୁଦ୍ଧା ପ୍ରସ୍ତାବଗୁଡ଼ିକୁ ନିର୍ଦେଶକଙ୍କ ନିକଟକୁ ପଠାଇବା, ୨୫ ତାରିଖ ସୁଦ୍ଧା ରେ‌ଫରେନ୍ସ ମାମଲାଗୁଡ଼ିକ ରାଜ୍ୟ ମେଡିକାଲ ବୋର୍ଡକୁ ପଠାଯିବ। ଜୁଲାଇ ୧୫ସୁଦ୍ଧା ମେଡିକାଲ ବୋର୍ଡ ରିପୋର୍ଟ ଗ୍ରହଣ, ୩୦ ସୁଦ୍ଧା ଡ୍ରାଫ୍ଟ ଯୋଗ୍ୟତା ତାଲିକା ପ୍ରକାଶ, ରାଜ୍ୟ/ଜିଲ୍ଲାସ୍ତରୀୟ ଯୋଗ୍ୟତା ତାଲିକା ଅଗଷ୍ଟ ୧୬ରେ ପ୍ରକାଶ ସହ ଅଗଷ୍ଟ ୨୩ରେ ବଦଳି ନିର୍ଦ୍ଦେଶ ଜାରି କରାଯିବ। ଅଗଷ୍ଟ ୩୧ସୁଦ୍ଧା ଶିକ୍ଷକମାନେ କାର୍ଯ୍ୟରେ ଯୋଗଦେବେ। ପ୍ରଧାନଶିକ୍ଷକ/ବରିଷ୍ଠ ପ୍ରଧାନଶିକ୍ଷକ, ଆସିଷ୍ଟାଣ୍ଟ ଶିକ୍ଷକ/ଜୁନିଅର ଶିକ୍ଷକ/ଚୁକ୍ତିଭିତ୍ତିକ ଜୁନିଅର ଶିକ୍ଷକଙ୍କ କ୍ଷେତ୍ରରେ ଏହି ବଦଳି ନିୟମ ଲାଗୁ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର