ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ସହ ଏହାର ମିନିଏଚର ମଡେଲ୍‌(ପ୍ରକଳ୍ପର ଛୋଟ ଆକାର ଅବିକଳ ପ୍ରତିକୃତି)ର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମ୍ପୂର୍ଣ୍ଣ ବିବରଣୀ ରହିଥିଲା। କେଉଁଠାରେ କେଉଁ କାମ ହେବ, ମଡେଲ୍‌ରେ ଦର୍ଶାଯାଇଥିଲା। ଯାହା ଅତ୍ୟନ୍ତ ଆକର୍ଷଣୀୟ ବି ଥିଲା।

Advertisment

ଏହି ସୂକ୍ଷ୍ମ କାରୁକାର୍ଯ୍ୟ ବାଙ୍ଗାଲୋରରୁ ପ୍ରସ୍ତୁତ ହୋଇ ଆସିଥିଲା। ବାଙ୍ଗାଲୋରର ଏକ ଡିଜାଇନ୍‌ କମ୍ପାନିକୁ ଏହି ମିନିଏଚର ପ୍ରସ୍ତୁତି ଦାୟିତ୍ବ ଦିଆଯାଇଥିଲା। ମିନିଏଚର ସମ୍ପନ୍ନ ପରେ ବହୁ ସତର୍କତାର ସହ ଏହାକୁ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପର ମହାଯଜ୍ଞ ସ୍ଥଳକୁ ଅଣାଯାଇଥିଲା। ଗତକାଲି ଏହାର ଅନାବରଣ ପରେ ଆଜି ଏହାକୁ ନୀଳାଦ୍ରି ଭକ୍ତ ନିବାସକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ଯେ ଏହି ମିନିଏଚର ମଡେଲ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟର ନବନିର୍ମିତ କୋଠାରେ ସ୍ଥାନିତ କରିବାକୁ ଯୋଜନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପୁରୁଣା କୋଠା ଭଙ୍ଗାଯିବା ପରେ ଏହାକୁ ଡିଜାଇନ୍‌ ଅନୁଯାୟୀ ନୂଆକରି ପୂର୍ଣ୍ଣରୂପ ଦିଆଯିବ। ଏହି କୋଠାରେ ମିନିଏଚରକୁ ରଖାଯିବ। କିନ୍ତୁ ସେତିକି ଦିନ ଏହା ନୀଳାଦ୍ରି ଭକ୍ତ ନିବାସରେ ରହିବ ବୋଲି ଶ୍ରୀ ଜେନା କହିଛନ୍ତି।
ସୂଚନାଯୋଗ୍ୟ, ଏହି ମିନିଏଚରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅବିକଳ ନକଲ ରହିଛି।