ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ରିପୋର୍ଟ: ଓଡ଼ିଶା ଚାଷୀଙ୍କ ମାସିକ ଆୟ ୫,୧୧୨ ଟଙ୍କା

ଦେଶରେ ଦ୍ବିତୀୟ ସର୍ବନିମ୍ନ ଆୟ, ଓଡ଼ିଶାର ୬୧.୨% ଚାଷୀ ପରିବାର ଋଣଗ୍ରସ୍ତ

ନୂଆଦିଲ୍ଲୀ: ଓଡ଼ିଶାରେ ଚାଷୀ ପରିବାରର ହାରାହାରି ମାସିକ ଆୟ ୫,୧୧୨ ଟଙ୍କା। ଏହି ଆୟ ମଧ୍ୟରେ ଫସଲରୁ ୧,୫୫୯ ଟଙ୍କା, ମଜୁରିରୁ ୨,୬୪୯ ଟଙ୍କା, ଭାଗ ଚାଷରୁ ୨୯ ଟଙ୍କା, ପଶୁ ସଂପଦରୁ ୪୧୬ ଟଙ୍କା ଓ ଅଣ କୃଷି କାର୍ଯ୍ୟରୁ ୪୪୯ ଟଙ୍କା ଚାଷୀ ପରିବାରକୁ ମିଳୁଛି। ଚାଷୀମାନଙ୍କ ସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ଦ୍ବାରା ରିଲିଜ୍‌ କରାଯାଇଥିବା ସଦ୍ୟତମ ରିପୋର୍ଟରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। ଦେଶରେ ସବୁଠାରୁ କମ୍ ହାରାହାରି ମାସିକ ଆୟ ତାଲିକାରେ ଝାଡ଼ଖଣ୍ଡ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି।

ମନ୍ତ୍ରାଳୟ ଦ୍ବାରା ଚା‌ଷୀମାନଙ୍କ ସ୍ଥିତି ଉପରେ ୭୭ତମ ସର୍ବେକ୍ଷଣର ଆକଳନରେ ଜମି, ମଜୁରି, ଭାଗ ଚାଷ, ଫସଲ ବ୍ୟତୀତ ଅନ୍ୟ କାର୍ଯ୍ୟରୁ ହେଉଥିବା ଆୟ ଆଦିକୁ ପରିମାପ ଭାବେ ଗ୍ରହଣ କରିଥିଲା। ମେଘାଳୟ ଚାଷୀ ପରିବାର ଦେଶରେ ମାସିକ ସର୍ବାଧିକ ୨୯,୩୪୮ ଟଙ୍କା ଆୟ କରୁଥିବା ବେଳେ ଏହା ପଛକୁ ପଂଜାବ ଚାଷୀ ୨୬,୭୦୧ ଟଙ୍କା ଓ ହରିୟାଣା ଚାଷୀଙ୍କ ୨୨,୮୪୧ ଟଙ୍କା ରହିଛି। ଛତିଶଗଡ଼ ଚାଷୀଙ୍କ ମାସିକ ଆୟ ୯,୬୭୭ଟଙ୍କା, ତେଲେଙ୍ଗାନା ୯,୪୦୩ଟଙ୍କା, ଉତ୍ତରପ୍ରଦେଶ ୮,୬୦୧ ଟଙ୍କା, ମଧ୍ୟପ୍ରଦେଶ ୮,୩୩୯ ଟଙ୍କା, ବିହାର ୭,୫୪୨ଟଙ୍କା ଓ ପଶ୍ଚିମବଙ୍ଗର ମାସିକ ଆୟ ୬,୭୬୨ ଟଙ୍କା ରହିଥିବାର ରିପୋର୍ଟରେ ଉଲ୍ଲେଖ ଅଛି।

ହାରାହାରି ଋଣ ପରିମାଣ ୩୨,୭୨୧ ଟଙ୍କା

ଓଡ଼ିଶାର ୬୧.୨ ପ୍ରତିଶତ ଚା‌ଷୀ ପରିବାର ଋଣଗ୍ରସ୍ତ। ଓଡ଼ିଶା ଏହି କ୍ଷେତ୍ରରେ ଦେଶର ଷଷ୍ଠ ସ୍ଥାନରେ ରହିଛି। ଋଣ ଗ୍ରସ୍ତ ଚାଷୀ ପରିବାର ହାରାହାରି ୩୨ ହଜାର ୭୨୧ ଟଙ୍କା ଋଣ କରିଛନ୍ତି । ଏଥି ମଧ୍ୟରୁ ବାଣିଜ୍ୟିକ ବ୍ୟାଙ୍କରୁ ୧୮.୮ ପ୍ରତିଶତ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କରୁ ୩.୮ ପ୍ରତିଶତ, ସମବାୟ ବ୍ୟାଙ୍କରୁ ୧.୮ ପ୍ରତିଶତ, ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚଜି)ରୁ ୧୧.୫ ପ୍ରତିଶତ ଓ ଅନ୍ୟାନ୍ୟ ସଂସ୍ଥାରୁ ୫.୪ ପ୍ରତିଶତ ଚାଷୀ ପରିବାର ଋଣ କରିଛନ୍ତି। ଏହା ବାଦ୍‌ ସାହୁକାରଙ୍କଠାରୁ ୦.୬ ପ୍ରତିଶତ, ବୃତ୍ତିଗତ ସାହୁକାରଙ୍କ ପାଖରୁ ୨୧.୩ ପ୍ରତିଶତ, ସଂପର୍କୀୟ ଓ ସାଙ୍ଗସାଥୀମାନଙ୍କ ପାଖରୁ ୯.୮ ଏବଂ ଅଣସଂସ୍ଥାଗତ ଉତ୍ସରୁ ୫.୮ ପ୍ରତିଶତ ଚାଷୀ ଋଣ ଆଣିଛନ୍ତି। କେନ୍ଦ୍ର ପରିସଂଖ୍ୟାନ ଓ ଯୋଜନା କ୍ରିୟାନ୍ବୟନ ମନ୍ତ୍ରାଳୟ ଦ୍ବାରା ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ କରିଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ବାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟାବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି। ଦେଶରେ ୫୦.୨ ପ୍ରତିଶତ ଚାଷୀ ପରିବାର ଋଣ ନେଇଥିବା ବେଳେ ହାରାହାରି ବକେୟା ଋଣ ହାରାହାରି ୭୪ ହଜାର ୧୨୧ ଟଙ୍କା ରହିଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୯୩.୨ ପ୍ରତିଶତ ଚାଷୀ ପରିବାର ଋଣଗ୍ରସ୍ତ ହୋଇଥିବା ବେଳେ ହାରାହାରି ବକେୟା ଋଣ ପରିମାଣ ୨ ଲକ୍ଷ ୪୫ ହଜାର ୫୫୪ ଟଙ୍କା । ଆନ୍ଧ୍ର ପରେ ତେଲେଙ୍ଗାନା-ଦ୍ବିତୀୟ, କେରଳ-ତୃତୀୟ, କର୍ଣ୍ଣାଟକ- ଚତୁର୍ଥ ଓ ତାମିଲନାଡ଼ୁ-ପଞ୍ଚମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର