ସବୁ କାମରେ ନିଜର ଶତ ପ୍ରତିଶତ ଦେଇଛି: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ତୃତୀୟ ବାର୍ଷିକ ରିପୋର୍ଟ କାର୍ଡ ଦେଇଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରିପୋର୍ଟ କାର୍ଡକୁ ଉନ୍ମୋଚନ କରି କହିଛନ୍ତି, ଏଇ ତିନି ବର୍ଷରେ ଛଅଟି ଦିଗରେ କାମ କରିବାର ପ୍ରୟାସ କରିଛି। ବିକାଶ କାର୍ଯ୍ୟ, ଜନସାଧାରଣଙ୍କ ଅଭିଯୋଗର ଶୁଣାଣି, ସମସ୍ତଙ୍କ ପାଖକୁ ପହଞ୍ଚିବା, ସଂସଦରେ ଭୁବନେଶ୍ୱର କଥା ଉପସ୍ଥାପନା, ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସକ୍ରିୟ ଅଂଶଗ୍ରହଣ କରିବା ଓ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ମତ ରଖିଛି ଏବଂ ଏସବୁ ଦିଗରେ ନିଜର ଶତ ପ୍ରତିଶତ ଦେଇଛି।
ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ସୂଚନା ଅନୁଯାୟୀ, ଏନଏଚ ଏଆଇ ଜରିଆରେ ୬୪୭୩ କୋଟି ୬୨ ଲକ୍ଷ ଟଙ୍କାର ୪୩ଟି ପ୍ରକଳ୍ପ କାମ ମୋ ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଛି। ଏଥିମଧ୍ୟରେ ୧୦ଟି ଫ୍ଲାଏ ଓଭର୍, ୨୮ଟି ଅଣ୍ଡରପାସ୍, ୪ଟି ଫୁଟଓଭର୍ ବ୍ରିଜ୍, ଖୋର୍ଦ୍ଧା ବାଇପାସ ଓ ରିଙ୍ଗ ରୋଡ ପ୍ରକଳ୍ପ କାମ ଚାଲିଛି। ୱାର୍ଡ-୪ରେ ଡ୍ରେନର ସମସ୍ୟା ଥିଲା। ବିଏମସି ଓ ଏନଏଚ ଏଆଇ ସହଯୋଗରେ ୧୦ କୋଟି ୨୦ ଲକ୍ଷ ଟଙ୍କାର ଦଶଟି ବଡ଼ ଡ୍ରେନ କାମ ସରିଛି। ସାଂସଦ ପାଣ୍ଠିରୁ ହଜାରଟି ସୋଲାର ଲାଇଟ ଲଗାଯାଇଛି।୧୧୪୩ ପ୍ରକଳ୍ପ ଲାଗି ସାଂସଦ ପାଣ୍ଠି ମଞ୍ଜୁର କରାଯାଇଛି। ଏଥିମଧ୍ୟରୁ୧୦୩୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି।
ଜଳ ଜୀବନ ମିସନ ଅଧୀନରେ ସଂସଦୀୟ କ୍ଷେତ୍ରରେ ୧୩୮୦.୨୫ କୋଟି ଟଙ୍କା ବ୍ୟୟରେ ୯ଟି ମେଗା ଜଳ ଯୋଗାଣ ପ୍ରକଳ୍ପ ଚାଲିଛି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଗ୍ରାମାଞ୍ଚଳରେ ୨୨୦୯୮୫ଟି ଘର ରହିଛି। ୧୨୭୧୨୩ଟି ଘରକୁ ପାଇପ ପାଣି ପହଞ୍ଚିଛି। ୯୩୮୬୨ଟି ଘରକୁ ପହଞ୍ଚାଇବା ଲାଗି ପ୍ରୟାସ ଚାଲିଛି। ୨୦୨୪ ସୁଦ୍ଧା ସବୁ ଘରକୁ ପାଣି ପହଞ୍ଚିବ।


ଏଣେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୯୦୯ଟି ପକ୍କା ଘର ମଞ୍ଜୁର ହୋଇଛି। ୩୫୭୪ଟି ଘର ସମ୍ପୂର୍ଣ୍ଣ ହୋଇସାରିଛି। ଆଉ ୧୦୪୪୫ଟି ଘର ଲାଗି ଲୋକଙ୍କଠାରୁ ପ୍ରସ୍ତାବ ଆସିଛି।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୫୦ଟି ପ୍ୟାକେଜରେ ୩୧୧ କିଲୋମିଟର ରାସ୍ତା କାମ ଲାଗି ୧୩୯.୧୩ କୋଟି ଟଙ୍କା ଖର୍ଚ୍ଚ ହେବ।
ଠିକ୍ ସେହିପରି ଜଳସେଚନ ଲାଗି ୬ଟି ବ୍ଲକରେ ୧୩ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଲାଗି ୬ କୋଟି ୨ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ରଜୁଆରେ ଗୋଟିଏ ବୃହତ ଜଳସେଚନ ପ୍ରକଳ୍ପ ଲାଗି ୧୭୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏହା ସମ୍ପୂର୍ଣ୍ଣ ହେଲେ ୨୬୬୬ ହେକ୍ଟର ଜମିରେ ଜଳସେଚନ ହୋଇପାରିବ। ସେଥିରୁ ଖୋର୍ଦ୍ଧା ଜିଲ୍ଲାର ୧୭ଟି ଗାଁର ୧୧୧୬ ହେକ୍ଟର ଜମି ଉପକୃତ ହୋଇପାରିବ।
ଏହାଛଡ଼ା ବର୍ଷକରେ ୬୧୬୬ଟି ଅଭିଯୋଗ ପଞ୍ଜିକୃତ ହୋଇଛି। ସେଥିମଧ୍ୟରୁ ୫୫୪୫ ଅଭିଯୋଗର ସମାଧାନ କରାଯାଇଛି। ୬୮% ଅଭିଯୋଗର ସକାରାତ୍ମକ ସମାଧାନ ହୋଇଛି।
ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା ପାଣ୍ଠିରେ ସଂସଦୀୟ କ୍ଷେତ୍ରର ୩୨ ଜଣଙ୍କ ଚିକିତ୍ସା ଲାଗି ୮୩ ଲକ୍ଷ ୨୪ ହଜାର ୫୦୦ ଟଙ୍କା ଯୋଗାଇ ଦିଆଯାଇଛି।
ସେ ରାଷ୍ଟ୍ରୀୟ ମୁଖପାତ୍ର ହେବା ପରେ ୬୫୩ ଆଲୋଚନାଚକ୍ରରେ ଭାଗ ନେଇଥିବାର ସୂଚନା ଦେଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସଂସଦରେ ୨୬ଟି ତର୍କରେ ଭାଗ ନେଇ ୧୨୪ଟି ପ୍ରଶ୍ନ ମାଧ୍ୟମରେ ସଂସଦୀୟ କ୍ଷେତ୍ରର ସମସ୍ୟା ସମାଧାନ ଲାଗି ଚେଷ୍ଟା କରିଛନ୍ତି।
ସେ ଆହୁରି କହିଛନ୍ତି, ବିଭିନ୍ନ ମନ୍ତ୍ରଣାଳୟ ୧୦ଟି ପ୍ରସଙ୍ଗ ପଡ଼ିରହିଛି। ଏହାସହ ଭୁବନେଶ୍ୱରରେ କମପ୍ରେନ୍ସିଭ ଡ୍ରେନେଜ ମାଷ୍ଟର ପ୍ଲାନ ଆଣିବା ଦିଗରେ ମଧ୍ୟ କାମ କରିବି। ଆଗାମୀ ଦିନରେ ସେସବୁକୁ କରାଇବା ଲାଗି ପ୍ରୟାସ କରିବି।
ଏଗୁଡ଼ିକ ମଧ୍ୟରେ ବୋଲଗଡ଼ ଏବଂ ଲିଙ୍ଗରାଜ ପାସେଞ୍ଜର ହଲଟର ଉନ୍ନତିକରଣ, ଭୁବନେଶ୍ୱର ରେଳଷ୍ଟେସନକୁ ଆଧୁନିକ ଷ୍ଟେସନରେ ପରିଣତ କରିବା, ଚିଲିକା ହ୍ରଦର ଜଳ ସଫା କରିବା କାମ ରହିଛି। ଉପକୂଳ କାର୍ଯ୍ୟ ଖନନ ପାଇଁ ୨୦.୭୯ କୋଟି ମଞ୍ଜୁର ହୋଇଛି, ଗ୍ରାମପଂଚାୟତରେ ରହୁଥିବା ମତ୍ସ୍ୟଜୀବୀଙ୍କ ଉନ୍ନତିରେ ସହାୟକ ହେବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।


ଅନ୍ଧାରୁଆଠାରେ ଇଏସଆଇସି ୧୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲ ବ୍ୟବସ୍ଥା, ଭୁବନେଶ୍ୱରରେ ଅଧିକ ଜନ ଔଷଧ କେନ୍ଦ୍ର ଖୋଲିବା, ଓଡିଶା ଜନଜାତି ସମ୍ପ୍ରଦାୟ ଦୁରୁଆ, କନ୍ଧ, କୁମ୍ଭାର, ସଅର ଜନଜାତି ମାନ୍ୟତା, ପ୍ରାଚୀ ନଦୀର ପୁନରୁଦ୍ଧାର, କୁଆଖାଇରେ ବ୍ୟାରେଜ ନିର୍ମାଣ ଭୁବନେଶ୍ୱରକୁ ଜମ୍ମୁ ଓ ଶିରିଡ଼ି ବିମାନ ଚଳାଚଳ, ଜଟଣୀ ଫ୍ଲାଏ ଓଭର ଅକ୍ଟୋବର ୩୧ ସୁଦ୍ଧା କାମ ସାରିବା ଏବଂ ଭୁବନେଶ୍ୱରରେ କମ୍ପ୍ରେହେନସିଭ ଡ୍ରେନେଜ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ଆଦି କାମ ଲାଗି ସେ ପ୍ରଚେଷ୍ଟା ଜାରି ରହିଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସମ୍ବନ୍ଧିତ ଖବର