ଭୁବନେଶ୍ବର: ବିଭିନ୍ନ ଜାତି, ଉପଜାତିଗୁଡ଼ିକୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ସଂପୃକ୍ତ ବର୍ଗର ଲୋକେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ବିଶେଷ କରି ଦୁରୁଆ, ଧୁରୁଆ, ଦୋରୁଆ ଓ ସେହିପରି ଉପଜାତିଗୁଡ଼ିକୁ ଅନୁସୂଚିତ ଜନଜାତିରେ ସାମିଲ କରିବା ଏବଂ ସଉରା ଉପଜାତିର ସଅର ଭାବେ ଉଚ୍ଚାରଣ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। କେବଳ ରାଜ୍ୟ ସରକାରଙ୍କର ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ଟାସ୍କଫୋର୍ସ କମିଟି ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏହା କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବିଚାରାଧୀନ ରହିଛି।

Advertisment

ଆଜି ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ଉପରୋକ୍ତ ସୂଚନା ମିଳିଛି। ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର କ୍ଷମତାପ୍ରାପ୍ତ ହୋଇଥିବାରୁ ରାଜ୍ୟ ସରକାର ଏଭଳି ପ୍ରସ୍ତାବ ଦେଇଥିବା ସେ ପ୍ରକାଶ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁସୂଚିତ ଜନଜାତି ଓ ଉପଜାତି ଆଦି ଇଂରାଜୀ ଓ ହିନ୍ଦୀରେ ପ୍ରକାଶିତ ହୋଇଥିବାରୁ ଏ ନେଇ ଆଞ୍ଚଳିକ ଭାଷାରେ ଅନୁବାଦ ଓ ଉଚ୍ଚାରଣଗତ ଦ୍ବନ୍ଦ୍ବ ପ୍ରକାଶ ପାଉଛି। ଫଳରେ ସଂପୃକ୍ତ ଲୋକେ ସରକାରୀ ଯୋଜନାରୁ ଉପକୃତ ହୋଇପାରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ ଇଂରାଜୀ ଶବ୍ଦଗୁଡ଼ିକୁ ଓଡ଼ିଆ ଭାଷାରେ ସଠିକ୍‌ ଭାବେ ଅନୁବାଦ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ। ଏହି କମିଟିରେ ଭାଷାବିତ୍‌ ଓ ନୃତତ୍ତ୍ବବିତ୍‌ମାନଙ୍କୁ ନିଆଯିବ। ଆସନ୍ତା ୨ ମାସ ଭିତରେ ଏହି କମିଟି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି। କମିଟିର ସୁପାରିସ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଦୁରୁଆ ଉପଜାତି ଓ ଅନ୍ୟ ଯେଉଁମାନଙ୍କର ଜାତିଗତ ପ୍ରମାଣପତ୍ର ଥିବ ସେମାନଙ୍କର ପିଲାମାନେ ଅନୁରୂପ ପ୍ରମାଣପତ୍ର ପାଇବେ। ଏ ନେଇ ରାଜସ୍ବ ବିଭାଗ ତହସିଲଦାରମାନଙ୍କୁ ନିର୍ଦେଶ ଦେବ ବୋଲି ସେ କହିଥିଲେ। ବୈଠକରେ ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ବିଭାଗୀୟ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର, ବିଭାଗୀୟ ସଚିବ ଆର୍‌.ରଘୁପ୍ରସାଦ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଡ. ଅଖିଳ ବିହାରୀ ଓତା, ବିଭିନ୍ନ ସଂଘର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।