ବିଧାନସଭାରେ ଉପସ୍ଥାପିତ ହୋଇନି ୮ ତଦନ୍ତ କମିସନ୍‌ଙ୍କ ରିପୋର୍ଟ

୩ଟି ତଦନ୍ତ କମିସନ୍‌ରେ ଅଧାରୁ ଡୋରି ବନ୍ଧା ଯାଇଛି

ଭୁବନେଶ୍ବର : ବିଭିନ୍ନ ଘଟଣା ଓ ଦୁର୍ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଅଧୀନରେ ବିଭିନ୍ନ ସମୟରେ ତଦନ୍ତ କମିସନ୍‌ ଗଠନ କରାଯାଇଛି। ୨୦୦୦ ମସିହା ପର ଠାରୁ ସରକାର ମୋଟ୍‌ ୨୪ଟି କମିସନ୍‌ ଗଠନ କରିଛନ୍ତି। ତାହା ମଧ୍ୟରୁ ୭ଟି ତଦନ୍ତ କମିସନ୍‌ଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇ ନାହିଁ। ଆଜି ବିଧାନସଭା‌େର ବିଧାୟକ ନାଉରୀ ନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।

୨୪ଟି ତଦନ୍ତ କମିସନ୍‌ ମଧ୍ୟରୁ ୩ଟି କମିସନ୍‌ ତଦନ୍ତ ରିପୋର୍ଟ ଦେଇ ନାହାନ୍ତି। କିନ୍ତୁ ସେହି ତଦନ୍ତ ବନ୍ଦ ହୋଇଯାଇଛି। ୨୦୦୧ ମସିହାରେ ପୁରୀରେ ପୁଲିସ୍‌ ଓ ବାର୍‌ ଆସୋସିଏସନ୍ ସଦସ୍ୟଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳ, ୨୦୦୧ ମସିହାରେ ନରବଙ୍ଗପୁରର ଦୁଇଟି ଗାଁରେ ହୋଇଥିବା ପୁଲିସ୍‌ ଫାୟାରିଂ ଏବଂ ୨୦୦୯ ମସିହା‌ରେ ଢେଙ୍କାନାଳର ଭୁବନ ଗାଁରେ ହୋଇଥିବା ପୁଲିସ୍‌ ଫାୟାରିଂ ଘଟଣା ପାଇଁ ତଦନ୍ତ କମିସନ୍ ଗଠନ କରାଯାଇଥିଲେ ବି ତାହାର ରିପୋର୍ଟ ଆସି ନାହଁ ଏବଂ ତଦନ୍ତ ଅଧାରୁ ବନ୍ଦ କରିଦିଆଯାଇଛି।

୨୦୦୭ ମସିହାରେ ହୋଇଥିବା କନ୍ଧମାଳ ହିଂସା ପାଇଁ ଗଠିତ ତଦନ୍ତ କମିସନ୍ ୨୦୧୫ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଗଠିତ କମିସନ୍ ୨୦୧୪ ମେ’ ମାସରେ ରିପୋର୍ଟ ଦେଇଛନ୍ତି। କନ୍ଧମାଳରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡ ଓ ପରବର୍ତ୍ତୀ ହିଂସା ଘଟଣାର ତଦନ୍ତ ପାଇଁ ଗଠିତ କମିସନ୍ ୨୦୧୫ ଡିସେମ୍ବରରେ ରିପୋର୍ଟ ପ୍ରଦାନ କରିଛନ୍ତି। କନ୍ଧମାଳର ବାଲିଗୁଡ଼ା ଥାନାର ଗୁମୁଡୁମାହ ଗାଁରେ ପୁଲିସ୍‌ ଫାୟରିଂ ଘଟଣାର ତଦନ୍ତ ରିପୋର୍ଟ ୨୦୧୮ ମାର୍ଚ୍ଚରେ ପ୍ରଦାନ କରାଯାଇଛି। ସମ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ୨୦୧୭ ଜୁନ୍‌ରେ ଦିଆଯାଇଛି। ପିପିଲିର ଅର୍ଜୁନଗୋଦାରେ ଜଣେ ଝିଅ ପ୍ରତି ହୋଇଥିବା ଅମାନବୀୟ କାର୍ଯ୍ୟ ଘଟଣାର ତଦନ୍ତ ପାଇଁ ଗଠିତ କମିସନ୍‌ ୨୦୧୬ ମାର୍ଚ୍ଚ ମାସରେ ରିପୋର୍ଟ ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ୨୦୧୮ ନଭେମ୍ବରରେ ପ୍ରଦାନ କରାଯାଇଛି। କିନ୍ତୁ ଏସବୁ ରିପୋର୍ଟ ସରକାର ବିଧାନସଭାରେ ଉପସ୍ଥାପିତ କରି ନାହାନ୍ତି। ସବୁଗୁଡ଼ିକ ଯାଞ୍ଚ୍‌ କରାଯାଉଛି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ଏହା ବାଦ୍ ଚିଟ୍‌ଫଣ୍ଡ୍‌ କମିସନ୍‌ ୨୦୧୬ରୁ ୨୦୧୯ ମଧ୍ୟରେ ୭ଟି ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ସରକାରଙ୍କୁ ଦେଇଛନ୍ତି, ଯାହା କି ବିଧାନସଭାରେ ଉପସ୍ଥାପିତ ହୋଇନାହିଁ।

ସମ୍ବନ୍ଧିତ ଖବର