ଭୁବନେଶ୍ୱର : କଳିଙ୍ଗନଗରରେ ବିସ୍ଥାପିତ ପରିବାର ଶିଳ୍ପାୟନକୁ ବିରୋଧ କରିନାହାନ୍ତି। ବରଂ ପୁରୁଷ ପୁରୁଷ ଅମଳର ଭିଟାମାଟି ଛାଡି ଅନ୍ୟତ୍ର ସ୍ଥାନାନ୍ତର ନେଇ ବିଭିନ୍ନ ସମୟରେ ସରକାରଙ୍କ ପ୍ୟାକେଜ୍ ସେମାନଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଏନେଇ ସ୍ଥାନୀୟ ଅଞ୍ଚଳର ପୁଞ୍ଜୀଭୂତ ଅସନ୍ତୋଷକୁ ୨୦୦୫ ମସିହା ପ୍ରଥମ ଭାଗରେ ବିଭିନ୍ନ ସାମାଜିିକ କର୍ମୀ, ସେଚ୍ଛାସେବୀ ସଂଗଠନ ଓ ରାଜନୈତିକ ନେତା ଏକାଠି କରିବାରେ ସକ୍ଷମ ହୋଇଥିଲେ। ଅଧିକ କ୍ଷତିପୂରଣ ତଥା ଉପଯୁକ୍ତ ବିସ୍ଥାପନ ପ୍ୟାକେଜ ପାଇଁ ଜମି ହରାଉଥିବା ନିରୀହ ଆଦିବାସୀଙ୍କୁ ପ୍ରଭାବିତ କରିଥିଲେ ଓ ଆକ୍ରମଣାତ୍ମକ ବିରୋଧ କରିବା ଲାଗି ଉସୁକାଇଥିଲେ।
ଅନ୍ୟପକ୍ଷରେ ରାଜ୍ୟ ସରକାର ଚାପରେ ପଡ଼ି ବିସ୍ଥାପିତଙ୍କ ଥଇଥାନ ପାଇଁ ନୂଆ ପ୍ୟାକେଜ ବି କଲେ। କିନ୍ତୁ ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ପାଖରେ ପହଞ୍ଚିପାରିଲା ନାହିଁ। ପ୍ରଭାବିତ ହେଉଥିବା ଲୋକଙ୍କୁ ପ୍ରଶାସନ ସେମାନଙ୍କ ପ୍ରାପ୍ୟ ସଂପର୍କରେ ବୁଝାଇବାରେ ବିଫଳ ହୋଇଥିଲା। ଶୁଣାଣି ବେଳେ କିଛି ଓଡ଼ିଆରେ ହୋଇଥିବା ଲିଫ୍ଲେଟ୍, ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ଓ ଜିଲ୍ଲାପାଳଙ୍କ ଜନଶୁଣାଣି ରେକର୍ଡ ବ୍ୟତୀତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କମିସନଙ୍କ ନିକଟରେ ଉପସ୍ଥାପିତ କରିପାରିନଥିଲା ପ୍ରଶାସନ।
ବହୁଚର୍ଚ୍ଚିିତ କଳିଙ୍ଗନଗର ଗୁଳିକାଣ୍ଡ ପଛର ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ୨୦୦୬ ଜାନୁଆରି ୨ ତାରିଖରେ ଯାଜପୁରର କଳିଙ୍ଗନଗର ଲୋମହର୍ଷଣକାରୀ ଗୁଳିକାଣ୍ଡ ଘଟଣର ତଦନ୍ତ କରି ଜଷ୍ଟିସ ପ୍ରଦ୍ୟୁମ୍ନ କୁମାର ମହାନ୍ତି କମିସନ ଏଭଳି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟକୁ ଗତ ମେ’ ୧୧ ତାରିଖରେ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲେ ଓ ଏହାର ପ୍ରାୟ ୭ମାସ ପରେ ଆଜି ବିଧାନସଭାରେ ରିପୋର୍ଟକୁ ସାର୍ବଜନୀନ କରାଯାଇଛି।
ଗୁଳିକାଣ୍ଡ ଘଟଣା ପାଇଁ କୌଣସି ପ୍ରଶାସନିକ ଅଧିକାରୀଙ୍କୁ କମିସନ ତାଙ୍କ ରିପୋର୍ଟରେ ଦୋଷୀ ବୋଲି ଦର୍ଶାଇ ନାହାନ୍ତି। କିନ୍ତୁ ହାତ ପାପୁଲି କାଟିଥିବା ଡାକ୍ତରଙ୍କ କାର୍ଯ୍ୟକୁ ଗ୍ରହଣ ବି କରିପାରିନାହାନ୍ତି। ଅନ୍ୟପକ୍ଷରେ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସରକାର ଦର୍ଶାଇଛନ୍ତି, ରାଜ୍ୟ ସରକାରଙ୍କ ପୁନର୍ବସତି ଓ ଥଇଥାନ ନୀତି ଯଥେଷ୍ଟ ପ୍ରଗତିଶୀଳ। ଟାଟା ଷ୍ଟିଲ କଂପାନି କଳିଙ୍ଗ ନଗର ଲୋକଙ୍କ ପାଇଁ ଯେଉଁ ବାସଚ୍ୟୁତ ଥଇଥାନ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ତାହା ସହିତ ସରକାରଙ୍କ ନୀତିର ଯଥେଷ୍ଟ ସାମଞ୍ଜସ୍ୟ ରହିଛି। ଏଣୁ ଏହି ପ୍ରସଙ୍ଗରେ କମିସନଙ୍କ ସୁପାରିସ କାର୍ଯ୍ୟକାରୀ ହୋଇସାରିଛି। କମିସନ ଜମି ହରାଇଥିବା ଓ ବାସଚ୍ୟୁତ ଲୋକଙ୍କ ପାଇଁ ଏକ ହିତକାରୀ ପରିକଳ୍ପନା କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତାବ ଦେଇଥିଲେ।
ସେହିଭଳି କଳିଙ୍ଗନଗର ଗୁଳିକାଣ୍ଡରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ଶିଳ୍ପ ପ୍ରତିଷ୍ଠା କରିଥିବା କଂପାନିଙ୍କ ତରଫରୁ ନିଯୁକ୍ତି ପତ୍ର ଦେବା ପାଇଁ କମିସନ ଯାହା କହିଛନ୍ତି, ତାହା ଅନୁପାଳନ ହୋଇଛି ବୋଲି ସରକାର ସୂଚାଇଛନ୍ତି। ଏହାବ୍ୟତୀତ ଆହତ ବ୍ୟକ୍ତିମାନଙ୍କୁ ଅଧିକ କ୍ଷତିପୂରଣ ରାଶି ବଣ୍ଟନ ନିମନ୍ତେ ଗୃହ ବିଭାଗର ଅନୁରୋଧ କ୍ରମେ ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୬ଲକ୍ଷ ୫୦ ହଜାର ଟଙ୍କା ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ବୋଲି ସରକାର ଦର୍ଶାଇଛନ୍ତି। ଗୁଳିକାଣ୍ଡରେ ଆହତ ଲୋକଙ୍କୁ ଅତିରିକ୍ତ ଅର୍ଥରାଶି ଦେବାକୁ କମିସନ ସୁପାରିସ କରିଥିଲେ।
କମିସନ ଦର୍ଶାଇଛନ୍ତି, ଗୋଟିଏ ସମୟରେ ଯାଜପୁର ଜିଲ୍ଲାର ଉଭୟ ସୁକିନ୍ଦା ଓ ଦାନଗଦି ବ୍ଲକ ବାସିନ୍ଦା ଡୁବୁରି ଶିଳ୍ପାଞ୍ଚଳକୁ ସ୍ୱାଗତ କରିଥିଲେ। ପରବର୍ତୀ ସମୟରେ ଏହାକୁ କଳିଙ୍ଗନଗର ସମନ୍ଵିତ ଶିଳ୍ପାଞ୍ଚଳରେ ନାମିତ କରାଗଲା। ପ୍ରଭାବିତ ଲୋକଙ୍କର ଆଶା ଥିଲା, ଶିଳ୍ପାନୁଷ୍ଠାନ ହେଲେ ସେମାନଙ୍କ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ସେମାନଙ୍କ ପିଲାମାନେ ଚାକିରି ପାଇବେ, ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ଘଟିବ। ସମାନ୍ତରାଳ ଭାବେ ସେମାନଙ୍କୁ ମଧ୍ୟ ଜମି ହରାଇବା ପାଇଁ କ୍ଷତିପୂରଣ ମିଳିବ ଓ ନୂତନ ସ୍ଥାନରେ ନୂଆ ଭିତ୍ତିଭୂମି ଯୋଗାଇ ସରକାର ସେମାନଙ୍କୁ ଥଇଥାନ କରିବେ।
୧୯୯୦ରୁ ୧୯୯୫ ମଧ୍ୟରେ ମୁଖ୍ୟତଃ ଏଥିପାଇଁ ଜମି ଅଧିଗ୍ରହଣ ହୋଇଥିଲା। ମାତ୍ର କୌଣସି ନା କୌଣସି କାରଣରୁ ସେମାନଙ୍କୁ ପ୍ରାପ୍ୟ ମିଳିବାରେ ବିଳମ୍ବ ଘଟିଲା ଏବଂ ବିଭିନ୍ନ ସମୟରେ ସରକାର ପ୍ୟାକେଜ୍ ଘୋଷଣା କରିଚାଲିଲେ। ଏହାହିଁ ସେମାନଙ୍କ ମଧ୍ୟରେ ପ୍ରଥମେ ଅସନ୍ତୋଷର ମଞ୍ଜି ବୁଣିଥିଲା। ସେମାନେ ଅସହାୟ ଅନୁଭବ କରିଥିଲେ ଓ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ବାସ୍ତବରେ ପରିଣତ ହୋଇନପାରେ, ଏମିତି ଆଶଙ୍କା କରିଥିଲେ। ଖାସ୍ ଏଇଥିପାଇଁ ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଆଦି ଦେବା ଲାଗି ମୂଳରୁ ଦାବି ଉଠିଥିଲା। ବିଭିନ୍ନ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂସ୍ଥା, ରାଜନେତା ସେମାନଙ୍କ ସମସ୍ୟାକୁ ସାମ୍ନାକୁ ଆଣିଲେ ସତ ହେଲେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଅଥବା ଗଣତାନ୍ତ୍ରିକ ଉପାୟରେ ହୋଇନଥିଲା। ୧୯୯୫ରୁ ୨୦୦୫ ଯାଏ ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିକ୍ଷୋଭ ଆଦି କାର୍ଯ୍ୟକ୍ରମ ଚାଲିଲା।
କେବଳ ସେତିକି ନୁହେଁ, ଏହି ସମୟରେ ମିଡ୍ଇଷ୍ଟ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଲିମିଟେଡ୍ ଓ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଭଳି ଦୁଇଟି ବଡ଼ ଶିଳ୍ପାନୁଷ୍ଠାନ ଗଢିଉଠିଲା। ସାତଟି ମଧ୍ୟମ ଓ ଅନେକ କ୍ଷୁଦ୍ର ଶିଳ୍ପ ସଂସ୍ଥା ବି। ହେଲେ ଏସବୁ ପ୍ରକଳ୍ପ କ୍ଷେତ୍ରରେ ବି ଥଇଥାନ, ଚାକିରି ଆଦି ପ୍ରଦାନରେ କାଳକ୍ଷେପଣ ନୀତିର ଜବରଦସ୍ତ ପ୍ରଭାବ ପଡିଥିଲା ସ୍ଥାନୀୟ ଅଞ୍ଚଳରେ। ଏହା ହିଁ ଜମି ହରାଇଥିବା ବ୍ୟକ୍ତିଙ୍କ ଆଶଙ୍କାକୁ ବହୁଗୁଣିତ କରିଥିଲା। ଏଥିରୁ କିଛି ସ୍ଥାନୀୟ ନେତା, ବିଭିନ୍ନ ରାଜନୈତିକ ଦଳ ଫାଇଦା ଉଠାଇଥିଲେ। ଶାନ୍ତିପୂର୍ଣ୍ମ ବିରୋଧ କରିବା ବଦଳରେ ମୁକାବିଲାମୂଳକ ସ୍ଥିତିକୁ ସେମାନଙ୍କୁ ଟାଣିନେଲେ। ମହାରାଷ୍ଟ୍ର ସିମିଲେସ୍ ଭୂମିପୂଜନରେ ପ୍ରଥମ ବ଼ଡ଼ ବିରୋଧ ହୋଇଥିଲା। ଏହା ପରେ ହିଁ ଜାନୁଆରି ୨ ତାରିଖର ଲୋମହର୍ଷଣକାରୀ ଘଟଣା ଘଟିଥିଲା।
ଘଟଣା ସଂପର୍କରେ ଗୁଇନ୍ଦା ଆଗୁଆ ସୂଚନା ଦେଇଥିଲା। ପୁଲିସ ସଜାଗ ଥିଲା। ମାତ୍ର ଧନୁତୀର, ଖଣ୍ଡା ତଲଓ୍ଵାର ଆଦି ଧରି ଯେଉଁଭଳି ଭାବେ ବିକ୍ଷୋଭକାରୀ ତିନି ଦିଗରୁ ମାଡ଼ି ଆସିଥିଲା, ନିରୀହ କନେଷ୍ଟବଳ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ, ଟିୟର ଗ୍ୟାସ ଆଦିର ପ୍ରୟୋଗର କିଛି ବି ପ୍ରଭାବ ପଡିନଥିଲା, ଏଣୁ ଗୁଳିକାଣ୍ଡ ଭଳି ଘଟଣା ଉପୁଜିଥିଲା। ସଶସ୍ତ୍ର ଆନ୍ଦୋଳନକୁ ଆମ ବ୍ୟବସ୍ଥା ଅନୁମତି ଦେଇନାହିଁ ବୋଲି କମିସନ ଦୃଢ ମତ ରଖିବା ସହିତ ପୁଲିସ ଆତ୍ମରକ୍ଷା ପାଇଁ ଗୁଳିକାଣ୍ଡ ଘଟାଇଥିବା ଯୁକ୍ତିକୁ ପ୍ରତିବାଦ କରିନାହାନ୍ତି।
ଏଠାରେ ଉଲ୍ଲେଖଥାଉକି, ୨୦୦୬ ମସିହାରେ ଯାଜପୁର ଜିଲ୍ଲା କଳିଙ୍ଗନଗର ଘଟଣାରେ ମୋଟ ୧୩ଜଣଙ୍କର ପ୍ରାଣହାନି ଘଟିଥିଲା। ସେହି ମାସ ୪ ତାରିଖ ଦିନ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତତ୍କାଳୀନ ବିଚାରପତି ଜଷ୍ଟିସ ଏ ସୂର୍ଯ୍ୟନାରାୟଣ ନାଇଡୁଙ୍କୁ ସରକାର ତଦନ୍ତ କମିସନ ରୂପେ ନିଯୁକ୍ତି ଦେଇଥିଲେ। ହେଲେ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତିଙ୍କୁ ଏପରି ଘଟଣାରେ ତଦନ୍ତ କମିସନ ରୂପେ କାର୍ଯ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରିପ୍ରେକ୍ଷୀରେ ଜଷ୍ଟିସ ନାଇଡୁ ୨୦୦୭ ମାର୍ଚ୍ଚ ୫ ତାରିଖରେ ତଦନ୍ତରୁ ଓହରି ଯାଇଥିଲେ। ପରେ ସରକାର ୨୦୦୮ ଜାନୁଆରି ୧୬ ତାରିଖ ଦିନ ଜଷ୍ଟିସ ପ୍ରସନ୍ନ କୁମାର ପାତ୍ରଙ୍କୁ ତଦନ୍ତ କମିସନ ରୂପେ ନିଯୁକ୍ତି ଦେଇଥିଲେ। ୧୦ ମାସ ତଦନ୍ତ କରିଛନ୍ତି କି ନାହିଁ, ସରକାର ତାଙ୍କୁ ଲୋକପାଳ ଭାବେ ନିଯୁକ୍ତି ଦେବାରୁ ସେ ଦାୟିତ୍ୱରୁ ଅବ୍ୟାହତି ନେଇଥିଲେ। ୨୦୦୯ ସେପ୍ଟେମ୍ବର ୪ ତାରିଖରେ ଜଷ୍ଟିସ ମହାନ୍ତି କମିସନ ତଦନ୍ତ ଆରମ୍ଭ କରିଥିଲେ। ତାଙ୍କ କାର୍ଯ୍ୟକାଳ ୨୦୧୫ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଓ ସେହି ଦିନ ଜଷ୍ଟିସ ମହାନ୍ତି ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ।
ଏହି ଗୁଳିକାଣ୍ଡ ଘଟଣାରେ ତତ୍କାଳୀନ ଜିଲ୍ଲାପାଳ ଶାଶ୍ୱତ ମିଶ୍ର ଓ ଏସ୍ପି ବିନୟତୋଷ ମିଶ୍ରଙ୍କୁ ରାଜ୍ୟ ସରକାର ବଦଳି କରିଥିଲେ। ୬ଜଣଙ୍କ ହାତ ପାପୁଲି କାଟିଥିବା ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।