ରିପୋର୍ଟ ଦାଖଲ କଲା କିଡ୍‌ନି ପ୍ରତିରୋପଣ ସମସ୍ୟା ଅଭିଯୋଗ କମିଟି

ଭୁବନେଶ୍ବର : କିଡ୍‌ନି ପ୍ରତିରୋପଣ ପରବର୍ତୀ ସମସ୍ୟା ଭୋଗୁଥିବା ରୋଗୀଙ୍କ ଅଭିଯୋଗର ସମାଧାନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ୬ଜଣିଆ କମିଟି ନିଜର ରିପୋର୍ଟ ଦାଖଲ କରିଛି। ଏ ନେଇ ସୂଚନା ଦେଇଛନ୍ତି ଡିଏମ୍‌ଇଟି ଡା.ରମାରମଣ ମହାନ୍ତି। ତେବେ ଏହି ରିପୋର୍ଟ ଆଧାରରେ କ’ଣ ପରବର୍ତୀ ପ‌ଦକ୍ଷେପ ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ।

ଡା.ମହାନ୍ତି କହିଛନ୍ତି, କିଛିଦିନ ତଳେ ସରକାରଙ୍କୁ ଏହି ରିପୋର୍ଟ ଦିଆଯାଇଛି। ହେଲେ ରାଜ୍ୟ ସରକାର କମିଟିର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କିଡ୍‌ନି ପ୍ରତିରୋପଣ କରୁଥିବା ରୋଗୀଙ୍କ କ୍ଷେତ୍ରରେ ବ୍ରାଣ୍ଡ ଔଷଧକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ତେଣୁ ରାଜ୍ୟ ସରକାର ରାଜ୍ୟ ଔଷଧ ନିଗମ ଜରିଆରେ କିଣା ଯାଉଥିବା ଔଷଧକୁ ଜାରି ରଖିବେ ନା ରୋଗୀମାନଙ୍କ ଦାବି ମୁତାବକ ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଔଷଧ ଯୋଗାଣକୁ ଗୁରୁତ୍ବ ଦେବେ ତାହାକୁ ଆଗକୁ ସ୍ପଷ୍ଟ ହେବ।

ଉଲ୍ଲେଖଯୋଗ୍ୟ ଯେ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ କିଡ୍‌ନି‌ ରୋଗ(ନେଫ୍ରୋଲୋଜି)ବିଭାଗରେ ପ୍ରଫେସର ନିଯୁକ୍ତି ଓ ଦୀର୍ଘସ୍ଥାୟୀ ଉନ୍ନତମାନର ଚିକିତ୍ସା ଯୋଗାଇବା ଦାବିରେ କିଡ୍‌ନି ପ୍ରତିରୋପଣ ରୋଗୀ ସମୂହ ପକ୍ଷରୁ ଗତମାସ ୧୯ତାରିଖରେ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଥିଲା। ବିକ୍ଷୋଭକାରୀ କହିଥିଲେ ଯେ କିଡ୍‌ନି ରୋଗୀଙ୍କ ପାଇଁ ହସ୍ପିଟାଲ କର୍ତୃପକ୍ଷ ଉନ୍ନତମାନର ଔଷଧ ଯୋଗାଣ ବନ୍ଦ କରିଦେଇଛନ୍ତି। ରାଜ୍ୟ ଔଷଧ ନିଗମ ଜରିଆରେ ନିମ୍ନମାନର ଔଷଧ ନେବାକୁ ରୋଗୀମାନଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଥିଲେ। ଯାହାଫଳରେ ୧୫୦ରୁ ଅଧିକ କିଡ୍‌ନି ପ୍ରତିରୋପିତ ରୋଗୀଙ୍କ ଜୀବନ ଏବେ ସଂକଟରେ ଥିବା ବିକ୍ଷୋଭକାରୀ କହିଥିଲେ। ଯାହାକୁ ନେଇ ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏକ କମିଟି ଜରିଆରେ ଅଭିଯୋଗର ସମାଧାନ ପାଇଁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ଡିଏମ୍‌ଇଟି ଏହି କମିଟିର ଅଧ୍ୟକ୍ଷ ଥିବା ବେଳେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ, ରାଜ୍ୟ ଭେଷଜ ନିୟନ୍ତ୍ରକ, ଏସ୍‌ସିବି ମେଡିକାଲ କଲେଜର ଅଧ୍ୟକ୍ଷ ଓ ଅଧୀକ୍ଷକ ଓ ନେଫ୍ରୋଲୋଜି ବିଭାଗର ଆସୋସିଏଟ୍‌ ପ୍ରଫେସର ଏହାର ସଦସ୍ୟ ରହିଥିଲେ। ୭ଦିନ ଭିତରେ ଏହି କମିଟି ସେମାନଙ୍କ ରିପୋର୍ଟ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା ଲାଗି କୁହାଯାଇଥିଲା।

ସମ୍ବନ୍ଧିତ ଖବର