କଟକ: କଟକ ବଡ଼ ଡାକ୍ତରଖାନାରେ ହେଉଥିବା ଶବ ବ୍ୟବଚ୍ଛେଦର ରିପୋର୍ଟ ସହଜରେ ମିଳୁନି। ଏବେ ପାଖାପାଖି ୬ଶହରୁ ଅଧିକ ରିପୋର୍ଟ ମିଳି ନଥିବା ବେଳେ ଏଭଳି କିଛି ଘଟଣା ଅଛି, ଯେଉଁମାନଙ୍କର ରିପୋର୍ଟ ୨୦୦୮ରୁ ବି ପଡ଼ିରହିଛି। ରିପୋର୍ଟ ଠିକ୍ ସମୟରେ ମିଳୁ ନଥିବାରୁ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଉଥିବା ମୃତକଙ୍କ ପରିବାର ସରକାରୀ କ୍ଷତିପୂରଣ, ଜୀବନବୀମା ରାଶି ପାଇବାରୁ ବଞ୍ଚିତ ରହୁଛନ୍ତି। ତହସିଲ ଅଫିସ, ଆରଆଇ ଅଫିସ ଓ କଟକ ମଙ୍ଗଳବାଗ ଥାନାକୁ ଦୌଡ଼ି ଦୌଡ଼ି ଥକିଲା ପରେ ବି ମୃତକଙ୍କ ପରିବାର ଲୋକ ନିରାଶ ହେଉଛନ୍ତି। ଅଂଶୁଘାତ, ବନ୍ୟା, ଭୂସ୍ଖଳନ, ବର୍ଷା, କୁଆପଥର ମାଡ଼, ବାତ୍ୟା, ଘଡ଼ଘଡ଼ି, ସାପ କାମୁଡ଼ା, ଅଗ୍ନିକାଣ୍ଡ, ପାଣିରେ ବୁଡ଼ିଯିବା, ଡଙ୍ଗା ବୁଡ଼ିରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶୀ ପ୍ରଦାନ କରାଯାଏ। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ସହାୟତା ଦିଆଯାଏ। ଅନ୍ୟପଟେ କୌଣସି ବୀମାଭୁକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, ତାଙ୍କ ଉତ୍ତରାଧିକାରୀଙ୍କୁ ବୀମା ରାଶୀ ପ୍ରଦାନ କରାଯାଇଥାଏ। କିନ୍ତୁ ଏହି ଦୁଇଟି କ୍ଷେତ୍ରରେ ଅର୍ଥ ରାଶୀ ମିଳିବା କ୍ଷେତ୍ରରେ ବାଧକ ହୋଇଛି ବ୍ୟବଚ୍ଛେଦ ରିପୋର୍ଟ। ବଡ଼ ଡାକ୍ତରଖାନାର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ(ଏଫଏମଟି) ଡାକ୍ତର ବର୍ଷ ବର୍ଷ ଧରି ଏହି ରିପୋର୍ଟକୁ ପ୍ରସ୍ତୁତ ନକରି ପକାଇ ରଖୁଛନ୍ତି।
ପ୍ରାକୃତିକ ଦୁର୍ବିପାକରେ ମୃତ୍ୟୁ ହେବା ଘଟଣାରେ ଯେତେବେଳେ ଅର୍ଥରାଶୀ ପାଇବା ପାଇଁ ପରିବାର ଲୋକେ ନିଜ ଅଞ୍ଚଳର ତହସିଲଦାରଙ୍କ ନିକଟରେ ଆବେଦନ କରୁଛନ୍ତି, ତହସିଲଦାର ସମ୍ପୃକ୍ତ ଆରଆଇ(ରାଜସ୍ବ ନିରୀକ୍ଷକ)ଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଅନ୍ତି। ଆରଆଇ ତଦନ୍ତ ସମୟରେ ମୃତ୍ୟୁର ପ୍ରମାଣ କାରଣ ଜାଣିବାକୁ ଯେତେବେଳେ ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ଦାଖଲ କରିବାକୁ କହୁଛନ୍ତି, ପରିବାର ଲୋକେ ଏହି ରିପୋର୍ଟ ଠିକ୍ ସମୟରେ ଦାଖଲ କରିପାରୁନାହାନ୍ତି। ଯେହେତୁ ବଡ଼ ଡାକ୍ତରଖାନା ପକ୍ଷରୁ ରିପୋର୍ଟ ଠିକ୍ ସମୟରେ ପ୍ରସ୍ତୁତ କରାଯାଉନାହିଁ, ସେଥିପାଇଁ ଏ ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ସରକାରୀ କ୍ଷତିପୂରଣ ସହିତ ବୀମା ରାଶୀ ପରିବାର ଲୋକେ ପାଇବାରେ ମଧ୍ୟ ସମସ୍ୟା ଭୋଗୁଛନ୍ତି। ମୃତ୍ୟୁର କାରଣ ସମ୍ପର୍କିତ ତଥ୍ୟ ଦାଖଲ କରାଇ ନପାରିବାରୁ ପରିବାର ଲୋକେ ଏହି ଟଙ୍କା ପାଇବା ପାଇଁ ଘାଣ୍ଟି ହେଉଛନ୍ତି।
ବ୍ୟବଚ୍ଛେଦ ରିପୋର୍ଟ ସଂକ୍ରାନ୍ତ ନିୟମ ଅନୁଯାୟୀ, ଯେଉଁଦିନ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେଉଛି, ସେହିଦିନ ବ୍ୟବଚ୍ଛେଦ କରି ରିପୋର୍ଟ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ଡାକ୍ତର ରିପୋର୍ଟ ଦେବାକଥା। ବ୍ୟବଚ୍ଛେଦ ରିପୋର୍ଟରେ ଥିବା କନକ୍ଲୁଜନରେ ବ୍ୟବଚ୍ଛେଦ କରିଥିବା ଡାକ୍ତର ସର୍ବାଧିକ ୭ରୁ ୮ ଧାଡ଼ି ଲେଖିଥାନ୍ତି। ଯଦି ମୃତ୍ୟୁ ମାମଲା ରହସ୍ୟଜନକ ଥାଏ, ତେବେ ସେହି ମାମଲାରେ ଡାଏଟମ୍ ଓ ଭେସେରା ପରୀକ୍ଷା ପାଇଁ ଭୁବନେଶ୍ବର ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ ପଠାଯାଇଥାଏ। ଭେସେରା କିମ୍ବା ଡାଏଟମ୍ ପରୀକ୍ଷା ରିପୋର୍ଟ ଫରେନସିକ୍ ସାଇନ୍ସ ଲାବରେଟୋରିରୁ ଗଲେ ସର୍ବାଧିକ ୧୫ ଦିନ ଭିତରେ ମିଳିବା କଥା। କଟକ ବଡ଼ ଡାକ୍ତରଖାନାରେ ଏହା ଏକ ବଡ଼ ସମସ୍ୟା ଭାବେ ସାମନାକୁ ଆସିଛି। ବ୍ୟବଚ୍ଛେଦ ରିପୋର୍ଟ ବିଳମ୍ବରେ ଆସୁଥିବାରୁ ସନ୍ଦେହରେ ଥିବା ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବା ସହିତ କୋର୍ଟରେ ଶୁଣାଣି ପ୍ରକ୍ରିୟାରେ ବି ବିଳମ୍ବ ହେଉଛି। ଏଭଳି ଅନେକ ସନ୍ଦେହଜନକ ମାମଲାରେ ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରୁଥିବା ବେଳେ ବର୍ଷ ବର୍ଷ ପରେ ଯେତେବେଳେ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ଜନିତ ବୋଲି ଉଲ୍ଲେଖ କରାଯାଏ, ସେତେବେଳେ ଯଦିଓ ଏହା ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇଥାଏ, କିନ୍ତୁ ପୁଲିସ ଏହି ମାମଲାରେ ଅନେକ ପ୍ରମାଣ ହରାଇ ବସୁଥିବା ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି।
ବର୍ଷକୁ ହାରାହାରି ୨୫ ଶହ ଶବ ବ୍ୟବଚ୍ଛେଦ ଜନିତ ଅପମୃତ୍ୟୁ ମାମଲା ମଙ୍ଗଳାବାଗ ଥାନାରେ ରୁଜୁ ହେଉଛି। ଯେଉଁ ହାରରେ ମାମଲା ରୁଜୁ ହେଉଛି, ବ୍ୟବଚ୍ଛେଦ ରିପୋର୍ଟ ବଡ଼ ଡାକ୍ତରଖାନାରୁ ମିଳିବା ସହଜ ହେଉନାହିଁ। ୨୦୨୩ରେ ୨୦୨ଟି, ୨୦୨୪ରେ ପ୍ରାୟ ୩୦୦ ବ୍ୟବଚ୍ଛେଦ ରିପୋର୍ଟ ପଡ଼ିରହିଥିବା ବେଳେ ୨୦୦୮ରୁ ଯଦି ହିସାବ କରାଯାଏ ତେବେ ଏହି ସଂଖ୍ୟା ୬୦୦ ଟପିଯିବ ବୋଲି ମଙ୍ଗଳାବାଗ ଥାନା ପୁଲିସ ସୂତ୍ରରୁ ସୂଚନା ମିଳିଛି। ମଙ୍ଗଳାବାଗ ଥାନା ଆଇଆଇସି ଉମାକାନ୍ତ ସାହୁଙ୍କ କହିବା ଅନୁଯାୟୀ, ୨୦୦୮ରୁ ବଡ ମେଡିକାଲରେ ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା ମାମଲାର ବ୍ୟବଚ୍ଛେଦ ରିପୋର୍ଟ ପଡ଼ି ରହିଛି। ରିପୋର୍ଟ ବିଳମ୍ବ ହେବା ପଛରେ ଏକାଧିକ କାରଣ ଥିବା ବେଳେ ଅନେକ ସମୟରେ ଡାକ୍ତର ବଦଳି ହୋଇ ଅନ୍ୟତ୍ର ଯାଉଥିବାରୁ ରିପୋର୍ଟ ଠିକ୍ ସମୟରେ ପ୍ରସ୍ତୁତ ହୋଇପାରୁ ନାହିଁ।