ବଂଶଧାରା ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ଜଳସମ୍ପଦ ସଚିବଙ୍କୁ ଭେଟିଲେ ପ୍ରତିନିଧି ଦଳ

ପ୍ରତିଶ୍ରୁତିର ୯ ମାସ ପରେ ବି ଅଗ୍ରଗତି ଶୂନ, ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯତ୍ନବାନ: ଅନୁ ଗର୍ଗ

ରାୟଗଡ଼ା: ବଂଶଧାରା ଉପରମୁଣ୍ଡରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରତିଶ୍ରୁତିକୁ ୯ ମାସ ପୂରିଲା। ପ୍ରତିଶ୍ରୁତି ମୁତାବକ କ୍ଷୁଦ୍ର ଓ ମଧ୍ୟମ ପ୍ରକଳ୍ପ ନିର୍ମାଣ ଆରମ୍ଭ ତ ଦୂରର କଥା ଏଥି ପାଇଁ ସର୍ଭେ କିମ୍ବା ସ୍ଥାନ ଚିହ୍ନଟକରଣ ମଧ୍ୟ ହୋଇପାରିନି। ଯାହାକୁ ନେଇ ଜନଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।

ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ସଭାପତି ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜଳ ସମ୍ପଦ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେବା ସହ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି। ରାଜ୍ୟ ସରକାର ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଲାଗି ଯତ୍ନବାନ ଅଛନ୍ତି। ଇତି ମଧ୍ୟରେ ବିଶେଷଜ୍ଞ ଟିମ୍ ଦୁଇ ଥର ବଂଶଧାରା ଅବବାହିକା ଅଞ୍ଚଳ ପରିଦର୍ଶନ କରିଥିବା ସଚିବ ଅନୁ ଗର୍ଗ କହିଛନ୍ତି। ବିଭାଗୀୟସ୍ତରରେ ପ୍ରତ୍ୟେକ ସପ୍ତାହରେ ବଂଶଧାରା ପ୍ରକଳ୍ପ ନେଇ ସମୀକ୍ଷା ହେଉଛି। ନଦୀର ଉପରମୁଣ୍ଡରେ ମୀନାଝୁଲା, ପାଣିଡଙ୍ଗର, ସାନନଦୀ ନିକଟ ଏପରି ତିନୋଟି ସ୍ଥାନରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ନିଷ୍ପତ୍ତି ହୋଇଛି।  ରାଜ୍ୟ ସରକାରଙ୍କ ଫୋକସରେ ଏହି ପ୍ରକଳ୍ପ ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଅନୁମୋଦନ ଲାଗି  କେନ୍ଦ୍ରୀୟ ଜଳ ଆୟୋଗ ନିକଟକୁ ପଠାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର ବିରୋଧରେ ଅନେକ ବଳିଷ୍ଠ ତଥ୍ୟ ପ୍ରଦାନ କରିବା ସହ ସୁପ୍ରିମକୋର୍ଟରେ ସୁଦକ୍ଷ ଆଇନଜୀବୀଙ୍କୁ ନିୟୋଜିତ କରାଯାଇଛି। ଚୂଡ଼ାନ୍ତ ରାୟ ନିଶ୍ଚୟ ଓଡ଼ିଶା ସପକ୍ଷରେ ଆସିବ। ବଂଶଧାରା ଉପରମୁଣ୍ଡରେ ହେବାକୁ ଥିବା ପ୍ରକଳ୍ପକୁ କେହି ରୋକି ପାରିବେନି ବୋଲି କହିଛନ୍ତି ଜଳ ସମ୍ପଦ ସଚିବ।

 

ସମ୍ବନ୍ଧିତ ଖବର