ବଦଳିଲା ସାଧାରଣତନ୍ତ୍ର ଉତ୍ସବର ରୂପ : କଟକରେ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପି ବକ୍ସରେ ବସିବେ, ପରେଡ୍ ଢାଞ୍ଚା ବଦଳିଲା, ଏନ୍ଏସ୍‌ଜି ଭୂମିକାରେ ଏସ୍‌ଓଜି

ଭୁବନେଶ୍ବର : ଏଥର ଜାନୁଆରି ୨୬ ତାରିଖରେ କଟକରେ ଆଉ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକ ସହରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଦାୟିତ୍ବ ତୁଲାଇବେ। ଅନ୍ୟପକ୍ଷରେ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଢାଞ୍ଚାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ ପ୍ୟାରେଡ୍ ଉତ୍ସବରେ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ସମ୍ମିଳିତ ପରେଡ୍ ଅଭିବାଦନ ଗ୍ରହଣ କରିବା ସମୟରେ ଜାତୀୟ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ସେହି ସମୟରେ ଭିଭିଆଇପି ଏନ୍‌କ୍ଲୋଜରରେ ବସିବେ।

ଜାନୁଆରି ୨୬ ତାରିଖ ସାଧାରଣତନ୍ତ୍ର ଦିବସକୁ ଜାତୀୟସ୍ତରର ଉତ୍ସବରେ ପରିଣତ କରିବା ଲାଗି ରାଜ୍ୟ ସରକାର ଏଭଳି ଢଙ୍ଗରେ ଅନେକ ନୂଆ ନିଷ୍ପତ୍ତି ନେଇଛନ୍ତି।

ଅତି ବିଶ୍ବସ୍ତସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ୩ ବର୍ଷ ମଧ୍ୟରେ ସାଧାରଣତନ୍ତ୍ର ଦିବସ ଓ ଅଗଷ୍ଟ ୧୫ ଭଳି ଉତ୍ସବର କଳେବରକୁ ସମ୍ପୂର୍ଣ୍ଣ ପରିବର୍ତନ କରିଦିଆଯିବ। ଏମିତି ଯେ ଜାତୀୟସ୍ତରର ପରେଡ୍ ଦେଖିବା ଭଳି ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ପରେଡ୍‌କୁ ଗାଁ ଗହଳିରେ ଲୋକେ ଦେଖିବେ। ଏହାକୁ ଏକ ସ୍ବତନ୍ତ୍ର ଉତ୍ସବରେ ପରିଣତ କରିବା ଲାଗି ସରକାର ଚାହୁଁଛନ୍ତି, ଯେମିତିକି ଉଭୟ ଦିନଟି ରାଜ୍ୟର ସବୁ ଲୋକଙ୍କୁ କିଛିଟା ଭିନ୍ନ ଅନୁଭବ ମିଳିବ। ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ଲୋକସଂପର୍କ ବିଭାଗର ସଚିବ ସଂଜୟ ସିଂହ ଓ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କୁ ନେଇ ସରକାର ଏହି ନକ୍ସା ପ୍ରସ୍ତୁତ କରୁଛନ୍ତି।

ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ୩ଟି ନୂଆ ପଦକ୍ଷେପ ନିଆଯାଇଛି। ଓଡ଼ିଶା ପୁଲିସ ତାର ଶକ୍ତିର ପ୍ରଦର୍ଶନ କରିବା ଲାଗି ଏହାକୁ ଏକ ସୁଯୋଗ ଭଳି ବ୍ୟବହାର କରିବାକୁ ଚାହୁଁଛି। ଏଥର ୧୨୦ ଟେରିଟୋରିଆଲ୍ ଆର୍ମି, ସିଆରପିଏଫ୍, ଆରପିଏଫ୍ ଭଳି ତିନିଟି କେନ୍ଦ୍ରୀୟ ସଂସ୍ଥା ପରେଡ୍‌ରେ ଭାଗ ନେବେ। କେନ୍ଦ୍ରରେ ଏନ୍‌ଏସ୍‌ଜି କମାଣ୍ଡୋ େଯଭଳି ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରନ୍ତି, ଏଥର ରାଜ୍ୟ ସରକାର ଏହି ଦାୟିତ୍ବ ଏସ୍ଓଜି ହାତରେ ନ୍ୟସ୍ତ କରିଛନ୍ତି। ଏହାବ୍ୟତୀତ ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀ, ଇଣ୍ଡିଆ ରିଜର୍ଭ ବାଟାଲିୟନ୍, ଏସ୍ ଏସ୍ ବାଟାଲିୟନ୍ ଓ ଓଡ଼ିଶା ସ୍ପେସାଲ୍ ଆର୍ମଡ୍ େଫାର୍ସ ଭଳି ୧୧ଟି ଦଳ ସ୍ବତନ୍ତ୍ର ତଥା ଆକର୍ଷଣୀୟ ପରେଡ୍‌ ପ୍ରଦର୍ଶନ କରିବେ। ୩ବର୍ଷରେ ଏହି
ସଂଖ୍ୟାକୁ ୨୫କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ପୂର୍ବରୁ ‘ତିନୋ ତିନ୍‌’ ରୂପରେ ପରେଡ୍‌ ହେଉଥିବା ବେଳେ ଏଥର ଦିଲ୍ଲୀ ଢାଞ୍ଚାରେ ପରେଡ୍‌ ହେବାକୁ ଯାଉଛି। ଗୋଟିଏ ଟ୍ରୁପ୍‌ରେ ୨୭ ଜଣ ଥାଆନ୍ତି। ତିନିଜଣ ଲେଖାଏଁ ୯ଟି ଧାଡ଼ିରେ ଏମାନେ ପରେଡ୍‌ କରନ୍ତି। କିନ୍ତୁ ଏଥର ୮ ଜଣ ଲେଖାଏଁ ମାର୍ଚ୍ଚ କରିବାକୁ ଯାଉଛନ୍ତି। ଅର୍ଥାତ୍ ଗୋଟିଏ ଟ୍ରୁପ୍‌ରେ ୬୪ ଜଣ ରହିବେ। ଆସନ୍ତାବର୍ଷକୁ ଏହାକୁ ୧୦ ବୃଦ୍ଧି କରାଯିବ। ଏହା ଦେଖଣାହାରୀଙ୍କୁ ନୂଆ ନୂଆ ଲାଗିବ। ଜାତୀୟସ୍ତରରେ ଏହି ସଂଖ୍ୟା ୧୨ ରହିଛି।

ରାଜ୍ୟ ସରକାରଙ୍କ ଯୁଗ୍ମ ଶାସନ ସଚିବ ଠାରୁ ତତୋଧିକ ପାହ୍ୟାରେ ଥିବା ଅଧିକାରୀମାନେ ଏହି ପରେଡ୍‌ରେ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଉଛି। ସେହିଭଳି ଉପସ୍ଥିତ ଲୋକପ୍ରତିନିଧି, ଭିଭିଆଇପି ସଂଖ୍ୟା ମଧ୍ୟ ବଢାଯିବ। ସମୁଦାୟ ପରେଡ୍‌କୁ ୮ସ୍ଥାନରୁ ରେକର୍ଡିଂ କରାଯିବା ସହିତ ବିଭିନ୍ନ ଟିଭି ମାଧ୍ୟମରେ ସିଧା ପ୍ରସାରଣ ପାଇଁ ସରକାରଙ୍କ ପକ୍ଷରୁ ସୁଯୋଗ ସୃଷ୍ଟି କରାଯିବ। ବାଉଁଶ ବଦଳରେ ଏଥର ଲୁହା ପାଇପରେ ବାରିକେଡ୍‌ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ପରେଡ୍ ନେତୃତ୍ବ ନେବେ। ଆସନ୍ତାକାଲି ସକାଳେ ଶେଷ ଅଭ୍ୟାସ ପରେଡ୍ ହେବ।

ସମ୍ବନ୍ଧିତ ଖବର