କଟକ: କଟକରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ  ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପୁଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।

Advertisment

କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ ସେବା ନିମନ୍ତେ ୩୫ ଜଣ ବ୍ୟକ୍ତି ଵିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ଆରଡିସି,  ସିଏମସି କମିସନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂହ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ଵାଳଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ।

publive-image

ଏଣେ ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟପାଳ ଅଭିବାଦନ ଗ୍ରହଣ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ କୋଭିଡ କଟକଣା ଭିତରେ ପରେଡ ଆୟୋଜିତ ହୋଇଛି। ରାଜ୍ୟସ୍ତରୀୟ ପରେଡରେ ୧୦ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି। ପ୍ରଥମଥର ପାଇଁ ବିଏସ୍‌ଏଫ୍‌ ରାଜ୍ୟସ୍ତରୀୟ ପରେଡରେ ଅଂଶଗ୍ରହଣ କରିଛି।

ତେଣେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ  ସ୍ୱତନ୍ତ୍ର ରିଲିଫ୍ କମିସନର ସାଧାରଣତନ୍ତ୍ର ଉତ୍ସବ ପାଳନ ଲାଗି ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ, ଯେଉଁମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବେ ସେହି ସ୍ଥାନରେ ସର୍ବାଧିକ ପାଇଁ ୫ ଜଣ ଉପସ୍ଥିତ ରହିପାରିବେ।

ଅପରପକ୍ଷରେ କ୍ଲବ୍, ବେସରକାରୀ ଅନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ଦିଆଯିବ। ଜାତୀୟ ପତାକା ଉତ୍ତୋଳନ ବେଳେ ମାସ୍କ ପିନ୍ଧିବା, ସାନିଟାଇଜ୍ କରାଯିବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ସବୁ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।