୭ ଦଶନ୍ଧି ପରେ ସ୍ବାଭିମାନ ଅଞ୍ଚଳବାସୀ ପାଳିବେ ଗଣତନ୍ତ୍ର ଦିବସ

ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲାକୁ ନକ୍ସଲ ନିଜର ଗଡ ରୂପେ ବାଛିନେଇଥିଲେ। କିନ୍ତୁ ପ୍ରଥମେ ନକ୍ସଲକୁ ଦମନ କରିବା ପାଇଁ ସିଆରପିଏଫଙ୍କୁ ଅବସ୍ଥାପିତ କରାଯାଇଥିଲା। ତେବେ ସିଆରପିଏଫଙ୍କୁ ଅବସ୍ଥାପିତ କରାଯାଇଥିଲେ ମଧ୍ୟ ନକ୍ସଲ ଦମନରେ ସେତେଟା ସଫଳତା ହାସଲ ହୋଇପାରୁନଥିଲା।ନକ୍ସଲ ସିଆରପିଏଫଙ୍କ ସମସ୍ତ ଚାଲକୁ ଜାଣି ନେଉଥିଲେ। ପରେ ସରକାର ମାଲକାନଗିରି ଜିଲ୍ଲାରେ ଗତ ୨୦୧୦ରେ ବିଏସଏଫକୁ ମୁତୟନ କଲେ।

ଏହାପରେ ମାଲକାନଗିରି ଜିଲ୍ଲାର ଗୋଟିଏ ପରେ ଗୋଟିଏ ନକ୍ସଲ ପ୍ରବଣ ଅଂଚଳକୁ ପୁଲିସ ନିଜ ଅକ୍ତିଆରକୁ ନେଲା। ବିଏସଏଫକୁ ପୁଲିସ ବିଭାଗର ଡିଭିଏଫ ଏବଂ ଏସଓଜି ଯବାନ ମଧ୍ୟ ସହଯୋଗ କଲେ। ତିନୋଟି ସଂସ୍ଥାର ଯବାନ ଏକାକାଳୀନ ଚଢଉରେ ନକ୍ସଲ ଧରାଶାୟୀ ହେଲେ। ଗୋଟିଏ ପରେ ଗୋଟିଏ କମିଟିକୁ ମୂଳପୋଛ କଲେ।ପଡିଆ ଦଲମ, କାଲିମେଳା ଦଲମ ସମେତ ସ୍ବାଭିମାନ ଅଂଚଳରେ ଥିବା କୋରାପୁଟ-ମାଲକାନଗିରି ବଡର ଡିଭିଜନ ଏବଂ ଆନ୍ଧ୍ର ଓଡିଶା ବଡର ଡିଭିଜନକୁ ଭାଙ୍ଗିଲେ। ବହୁ ନକ୍ସଲ ମୃତ୍ୟୁବରଣ କରିବା ପରେ ଧିରେ ଧିରେ କ୍ୟାଡର ନକ୍ସଲମାନେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କଲେ। ପ୍ରାୟ ୩୦ଟି ବିଏସଏଫ କ୍ୟାମ୍ପ ଜିଲ୍ଲାର ସମସ୍ତ ଆଭ୍ୟନ୍ତରିଣ ଏବଂ ନକ୍ସଲ ପ୍ରବଣ ଅଂଚଳରେ ଅବସ୍ଥାପିତ କରାଯାଇଛି।ଯାହାଫଳରେ ନକ୍ସଲଙ୍କ ଗତିବିଧି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବିଶେଷକରି ସ୍ବାଭିମାନ ଅଂଚଳର ୯ଟି ପଞ୍ଚାୟତକୁ ସେମାନଙ୍କ ନିଜ କବଜାରେ ରଖିଥିଲେ। ଏଠାରେ ଲୋକେ ସ୍ବାଧୀନ ହୋଇଥିଲେ ମଧ୍ୟ ପରାଧୀନ ଜୀବନଯାପନ କରୁଥିଲେ। ପ୍ରାୟ ୭ ଦଶନ୍ଧି ଧରି ଏଠାରେ ଲୋକେ ପରାଧୀନ ଥିଲେ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ବିଏସଏଫ କ୍ୟାମ୍ପ ଧୀରେ ଧୀରେ ସ୍ବାଭିମାନ ଅଂଚଳର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳରେ ପହଞ୍ଚି ନିଜର ସ୍ଥିତି ବଜାଇ ରଖିବା ପରେ ନକ୍ସଲ ଛତ୍ରଭଙ୍ଗ ଦେଲେ।ସ୍ବ୍ବାଭିମାନ ଅଂଚଳରେ ଥିବା ନକ୍ସଲ ନେତାମାନେ ପୁଲିସ ନିକଟରେ ଆତ୍ମସମର୍ପଣ କଲେ। ଏପରିକି ଯଡାମ୍ବରେ ଲୋକେ ନକ୍ସଲକୁ ମାରିଦେବା ସହ ଜଣକୁ ପୁଲିସର ହାଜରେ ପଢାଇଥିଲେ। ସେହି ଦିନ ଠାରୁ ନକ୍ସଲ ଗାଁରେ ପଶିବାକୁ ଭୟ କଲେ। ଏବେ ସ୍ବାଭିମାନ ଅଂଚଳରେ ଗଣତନ୍ତ୍ର ଫେରିଛି। ଲୋକେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ପାଳନ କରିବେ।ବିଏସଏଫ,ଡିଭିଏଫ ଏବଂ ଏସଓଜି ଯବାନଙ୍କ କଡା ସୁରକ୍ଷାରେ ଗଣତନ୍ତ୍ର ଦିବସ ପାଳନ କରାଯିବ ବୋଲି ଜଣାପଡିଛି।ଏପରିକି ରାଜ୍ୟର ବଡ ବଡ ପୁଲିସ ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।ମାଓବାଦୀଙ୍କୁ ବେକଫୁଟରେ ରଖିବାରେ ମାଲକାନଗିରି ପୁଲିସର ମଧ୍ୟ ଅବଦାନ କିଛି କମ୍ ନୁହେଁ।ତେବେ ସ୍ବାଭିମାନ ଅଂଚଳର ୧୫୧ଟି ଗ୍ରାମର ଲୋକେ ଏବେ ଆଶ୍ବସ୍ଥି ଲାଭ କରିଛନ୍ତି।ରାତିରେ ନିଶ୍ଚିନ୍ତରେ ଶୋଇପାରୁଛନ୍ତି।ବିଏସଏଫ ଯବାନଙ୍କ ଘନ ଘନ ପଇଁତରା ନକ୍ସଲଙ୍କର ଗତିବିଧିକୁ ଦୁର୍ବଳ କରିଦେଇଛି।ନକ୍ସଲ କୌଣସି ଅଘଟଣ ଘଟାଇବା ପୂର୍ବରୁ ଦଶ ଥର ଚିନ୍ତା କରୁଛନ୍ତି।ଏହି ଅଂଚଳରେ ବିକାଶକୁ ପ୍ରାଧାନ୍ୟ ଦେଇ ଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ପ୍ରଶାସନର ମଧ୍ୟ ଭୁମିକାକୁ ପ୍ରଶଂସା କରାଯାଇପାରେ।ତେବେ ପ୍ରଥମକରି ଜାତୀୟ ପତାକା ତଳେ ଠିଆ ହୋଇ ଭାରତମାତାର ଜୟଗାନା କରିବେ।

ସମ୍ବନ୍ଧିତ ଖବର