ଚଳିତ ବର୍ଷ ପରେଡ଼ରେ ଯୋଗ ଦେବେ ୧୮ଟି ଦଳ
ସାମିଲ ହେବେନି ଛାତ୍ରଛାତ୍ରୀ ଓ ବେସାମରିକ ବାହିନୀ
ଟେଲିଭିଜନ୍ ଜରିଆରେ ଦେଖିପାରିବେ ଜନସାଧାରଣ
ଭୁବନେଶ୍ବର : ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପରେଡ଼୍ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି। ଏହାସହିତ ଗତବର୍ଷ ସ୍ବାଧୀନତା ଦିବସରେ ଯେପରି କରୋନା ଯୋଦ୍ଧାଙ୍କୁ ଆଗଧାଡ଼ିରେ ବସିବାକୁ ଆମନ୍ତ୍ରଣ କରାଯାଇଥିଲା, ସେହିପରି ଭାବେ ଏଥରକ ଗଣତନ୍ତ୍ର ଦିବସରେ ବି ଆମନ୍ତ୍ରଣ କରାଯିବ। ସାଧାରଣ ଜନତା ପରେଡ଼୍ ପଡ଼ିଆ ନ ଆସି ଟେଲିଭିଜନ୍ ମାଧ୍ୟମରେ ରାଜ୍ୟସ୍ତରୀୟ ପରେଡ଼ ଉତ୍ସବ ଦେଖିପାରିବେ।
ଆଜି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରେଡ଼୍, ସାଜସଜ୍ଜା, ସୁରକ୍ଷା ବ୍ୟବସ୍ଥା, ବିଜୁଳି ଯୋଗାଣ, ଡାକବାଜି ବ୍ୟବସ୍ଥା, ପିଇବା ପାଣି, ସାନିଟାଇଜେସନ୍, ଫାଷ୍ଟଏଡ଼୍ ଓ ଆମ୍ବୁଲାନ୍ସ୍ ସେବା ଆଦି ବିଭିନ୍ ବିଷୟ ଉପରେ ଆଲୋଚନା ହୋଇଛି। ସାଧାରଣତନ୍ତ୍ର ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେବେ। ବେସାମରିକ ବାହିନୀ, ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦୃଷ୍ଟିରୁ ପରେଡ଼୍ରେ ସାମିଲ କରାଯିବ ନାହିଁ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ୍ ମହାନ୍ତି, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଗୃହ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା, ବିଏମ୍ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/flag-1471247674.jpg)