ଅଜଣା ରୋଗରେ ଆକ୍ରାନ୍ତ ଭେଣ୍ଡିଆ ପୁଅ, ସହାୟତା ପାଇଁ ଆକୁଳ ନିବେଦନ

ବାଲେଶ୍ବର: ବାଲେଶ୍ବର ସହର ଟାଉନ ଥାନା ୧୨ନଂ ୱାର୍ଡ ଅନ୍ତର୍ଗତ ଦାମୋଦରପୁରର ହରିମୋହନ ନାୟକଙ୍କ ପୁଅ ଶମ୍ଭୁ ନାୟକ। ବୟସ ମାତ୍ର ୨୧ ବର୍ଷ। ହେଲେ ୬/ ୭ମାସ ହେଲା କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବାରୁ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାରୀ ଯୋଜନା ଏହି ପରିବାର ପାଇଁ ସାତସପନ ପାଲଟିଛି।

ଶମ୍ଭୁଙ୍କ ଅବସ୍ଥା ଏତେ ଦୟନୀୟ ହୋଇପଡ଼ିଛି ଯେ ସେ କଙ୍କାଳସାର ଦେହ ନେଇ ବିଛଣାରେ ପଡ଼ିଛନ୍ତି। ପରିବାରର ଯେତିକି ସମ୍ବଳ ଥିଲା ବାଲେଶ୍ବର ମେଡିକାଲ କଲେଜରୁ କଟକ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ନେଇ ଚିକିତ୍ସା କଲେ। ହେଲେ ଅର୍ଥ ଅଭାବରୁ ସେଠାରେ ଅଧିକ ଦିନ ଚିକିତ୍ସା କରି ନପାରି ଘରକୁ ଫେରାଇ ଆଣିଛନ୍ତି। ବାପା ହରିମୋହନ ଦିନ ମଜୁରିଆ ହୋଇଥିବାରୁ ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ କରିପାରୁନାହାନ୍ତି। ଏବେ ପୁଅର ଚିକିତ୍ସା ତ ଦୂର କଥା ଘରେ ଦୁଇଓଳି ଖାଇବାକୁ ମଧ୍ୟ ଅର୍ଥ ନିଅଣ୍ଟ ହେଉଛି। ପୁଅର ଚିକିତ୍ସା ପାଇଁ ଗାଁଗାଁ ବୁଲି ଭିକ ମାଗୁଛନ୍ତି ବାପାମା। ସବୁଠୁ ଦୁଃଖର ବିଷୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏହି ପରିବାର ସେଥିରେ ସାମିଲ ହୋଇ ମଧ୍ୟ ତାର ସୁଫଳ ପାଇପାରୁନଥିବା ଅଭିଯୋଗ କରିଛନ୍ତି। ତେଣୁ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଶମ୍ଭୁଙ୍କ ବାପାମା ଆକୁଳ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର