ନୂଆପଡ଼ା: ନୂଆପଡ଼ା ପୁଲିସ ଗତକାଲି ରାତିରେ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ୨ ଦାଦନ ସର୍ଦ୍ଦାର ଓ ଗାଡ଼ି ଡ୍ରାଇଭରକୁ ଗିରଫ କରିଛି। ସୂଚନାନୁସାରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କୁଶପାଲି ଗ୍ରାମର ଦାଦନ ସର୍ଦ୍ଦାର ତନୁର୍ଯ୍ୟ ମେହେର (୩୦) ଲାଠୋର ଷ୍ଟେସନ୍‌ରୁ ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିବା ନେଇ ନୂଆପଡ଼ା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ରାତିରେ ସଦର ଥାନା ଟାନୱାଟ୍‌ ଛକରେ ପୁଲିସ ଚେକିଂ କରିଥିଲା। ଏହି ସମୟରେ ଆସୁଥିବା ଏକ ବଲେରୋକୁ ଅଟକାଇବା ସହ ଯାଞ୍ଚ କରିଥିଲା।

Advertisment

ଯାଞ୍ଚ ସମୟରେ ଗାଡ଼ିରୁ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା। ଏଥିରେ ଦାଦନ ସର୍ଦ୍ଦାର ତନୁର୍ଯ୍ୟ ମେହେର ଓ ଗାଡ଼ି ଚାଳକ ଚିତମନ ମାଝୀ (୩୧)କୁ ପୁଲିସ ଗିରଫ କରିଥିଲା। ଦାଦନ ଶ୍ରମିକମାନେ କୋମନା ବ୍ଲକ୍‌ ତିଲେମାଲ ଓ ହାଲୁଆପାଲି ଗ୍ରାମର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ତିନିଜଣ ନାବାଳକ, ପାଞ୍ଚ ଜଣ ପୁରୁଷ ଓ ପାଞ୍ଚ ଜଣ ମହିଳା ଥିବା ନୂଆପଡ଼ା ପୁଲିସ ପ୍ରକାଶ କରିଛି। ନୂଆପଡ଼ା ପୁଲିସ ଉଦ୍ଧାର ଶ୍ରମିକମାନଙ୍କୁ ନିଜ ଘରକୁ ପଠାଇ ଦେଇଥିବା ବେଳେ ଗିରଫ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ ସୂଚନା ଦେଇଛନ୍ତି।