ଆଜି ବି ନିଖୋଜ ପିଙ୍କିଙ୍କୁ ଉଦ୍ଧାର କରିବାଲାଗି ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ

ସମ୍ବଲପୁର : ଗତକାଲି ସମ୍ବଲପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଥିଲା। ରବିବାର ଦିନ ପ୍ରାୟ ୧୧ଟା ବେଳେ ବଡ଼ବଜାର ସଡ଼କ ଘାଟରେ ଗାଧୋଉଥିବା ବେଳେ ବଡ଼ବଜାର ଧୋବାପଡ଼ା ଓ ସାହେବ ବଙ୍ଗଳା ପଡ଼ାର ୬ ଜଣ ଝିଅ ମହାନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଓ ଅଗ୍ନିଶମ କର୍ମଚାରୀମାନେ ୫ ଜଣ ଝିଅଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ରାତି ସୁଦ୍ଧା ଆଉ ଜଣଙ୍କର କୌଣସି ପତ୍ତା ମିଳି ପାରିନାହିଁ। ନିଖୋଜ ଥିବା ବାଳିକା ଜଣକ ହେଲେ ସାହେବଙ୍ଗଳାପଡ଼ାର ରାମନାଥ ଶର୍ମାଙ୍କ ଝିଅ ପିଙ୍କି (୧୨)। ଆଜି ପୁଣି ପିଙ୍କିଙ୍କୁ ଉଦ୍ଧାର କରିବାଲାଗି ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ବଡ଼ବଜାରର ଧୋବାପଡ଼ାର ଜ୍ଞାନ ପଣ୍ଡାଙ୍କ ୨ ଝିଅ ଶ୍ରୁତି ପଣ୍ଡା(୧୫) ଓ ସୁପ୍ରିୟା ପଣ୍ଡାଙ୍କ ସମେତ ଆଶା ଡନ୍ସେନା(୧୫), ରାନୀ ସାହାଣୀ(୧୩), ରିୟା ଦେବାଙ୍ଗନ୍(୧୩) ଓ ପିଙ୍କି ଶର୍ମା(୧୦) ଗାଧୋଇବାକୁ ବଡ଼ବଜାର ସଡ଼କ ଘାଟକୁ ଯାଇଥିଲେ। ଦିନ ପ୍ରାୟ ୧୧ଟା ବେଳେ ସଡ଼କ ଘାଟର ପ୍ରାୟ ୫୦ ମିଟର ଭିତରେ ଥିବା ତୁଳସୀ ଚଉରା ନିକଟକୁ ସବୁ ଝିଅ ଯାଇଥିଲେ। ତୁଳସୀ ଉଚରା ନିକଟରେ ପୂଜା କରିବା ସହ ଛିଡ଼ା ହୋଇ ପାଣିର ମଜା ନେଉଥିଲେ। ସଡ଼କ ଘାଟର କିଛି ଅଂଶ ଭାଙ୍ଗି ଯାଇଥିବାରୁ ହଠାତ୍ ଶ୍ରୁତିଙ୍କ ଗୋଡ଼ ଖସିଯାଇଥିଲା ଓ ସେ ତଳକୁ ପଡ଼ି ଯାଇଥିଲେ। ଶ୍ରୁତି ପାଣିକୁ ଖସି ପଡ଼ିବା ଦେଖି ଉଭଣୀ ସୁପ୍ରିୟା ପ୍ରଥମେ ତଳକୁ ଡେଇଁ ପଡ଼ିଥିଲେ। ଏହା ଦେଖି ରାନୀ, ରିୟା, ଆଶା ଓ ପିଙ୍କି ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ପାଣିର ସ୍ରୋତ ଅଧିକ ଥିବାରୁ ସମସ୍ତ ୬ ଝିଅ ଭାସି ଯାଇଥିଲେ। ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ ବଡ଼ ପଥରକୁ ଧରି ସବୁ ଝିଅ ଅଟକି ଯାଇଥିଲେ। କିନ୍ତୁ ପିଙ୍କି ପହଁରା ଜାଣି ନଥିବାରୁ ବୁଡ଼ି ଯାଇଥିଲେ। ପଥରରେ ଲାଖି ରହିବା ସହ ଅନ୍ୟ ଝିଅମାନେ ଉଦ୍ଧାର କରିବାକୁ ଚିତ୍କାର କରିଥିଲେ। ଚିତ୍କାର ଶୁଣି ରାସ୍ତାରେ ଯାଉଥିବା ଲୋକେ ଆସି ସେଠାରେ ପହଞ୍ଚିବା ପରେ ବଡ଼ବଜାର କେଉଁଟପଡ଼ାର ରାଜୁ ସତନାମୀ, ସୁମନ୍ତ ବାଗ, ପ୍ରଗତି ବେରିହା, ଲହ୍ଲା ବାଗ, ପଞ୍ଚ ସେଠ, ନାମ ବାଗ, ବୁଲୁ ସେଠ, ହୀନା ବେହେରା, ରୋହିତ ସେଠ ପ୍ରମୁଖ ପାଣି ଭିତରକୁ ଡେଇଁ ପଡ଼ିଥିଲେ।

ଏହି ସମୟ ବେଳକୁ ଅଗ୍ନିଶମ ବିଭାଗ ଓ କ୍ଷେତରାଜପୁର ପୁଲିସ୍ ମଧ୍ୟ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚିସାରିଥିଲା। ପଥରରେ ଲାଖି ରହିଥିବା ସମସ୍ତ ୫ ଝିଅଙ୍କୁ ଉଦ୍ଧାର କରି କୂଳକୁ ଅଣାଯାଇଥିଲା। କିନ୍ତୁ ପିଙ୍କିଙ୍କ କୌଣସି ପତ୍ତା ମିଳିନଥିଲା। ଜିତେନ୍ଦ୍ର ଦାଶଙ୍କ ନେତୃତ୍ବରେ ସମ୍ବଲପୁର ଓ ବୁର୍ଲାର ଅଗ୍ନିଶମ ବାହିନୀ, ସ୍କୁବା ଡାଇଭର ଏବଂ ୧୨ ଜଣ ମତ୍ସ୍ୟଜୀବୀ ଡଙ୍ଗା ନେଇ ନଦୀକୁ ଯାଇଥିଲେ। ପରେ ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଥିଲା। ପାଣିର ସ୍ରୋତ ଅଧକ ଥିବାରୁ ସ୍କୁବା ଡାଇଭର ବି ଅଧିକ ସମୟ ପାଣି ଭିତରେ ରହିପାରିନଥିଲେ।

ବଡ଼ବଜାର ଘାଟରୁ ପ୍ରାୟ ଦେଢ଼ କିମି ଚାଉଁରପୁର ନୂତନ ବ୍ରିଜ ଅପରପାର୍ଶ୍ବ ଯାଏଁ ଖୋଜାଖୋଜି ଚାଲିଥିଲେ ମଧ୍ୟ ଆଜି ସକାଳସୁଦ୍ଧା ପିଙ୍କିଙ୍କର କୌଣସି ସୂଚନା ମିଳିନଥିଲା।

ସମ୍ବନ୍ଧିତ ଖବର