ରେଂଗାଲି/ବୁର୍ଲା: ସମ୍ବଲପୁର ଜିଲ୍ଲା ରେଂଗାଲି ଥାନା ଅନ୍ତର୍ଗତ ଲାରିପାଲି ଜଙ୍ଗଲ ଭିତରେ ପରିତ୍ୟକ୍ତ ନଳକୂଅ ଭିତରୁ ଉଦ୍ଧାର କରାଯାଇଥିବା ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଠିକ୍ ନାହିଁ। ଶିଶୁକନ୍ୟାର ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଛି। ଏଥି ସହିତ ଶିଶୁକନ୍ୟାର ଶରୀରର କେତେକ ସ୍ଥାନରେ ଆଘାତ ଲାଗିଛି। ସମ୍ଭବତଃ ନଳକୂଅ ଭିତରକୁ ଫିଙ୍ଗିବା ସମୟରେ ଲୁହା ପାଇପ୍‌ରେ ବାଡ଼େଇ ହୋଇ ଆଘାତ ଲାଗିଛି। ତଥାପି, ଶିଶୁକନ୍ୟାର ଶୀଘ୍ର ଆରୋଗ୍ୟ ପାଇଁ ଉପଯୁକ୍ତ ଚିକିତ୍ସା ସହିତ ସ୍ବତନ୍ତ୍ର ଯତ୍ନ ନିଆଯାଉଛି ବୋଲି ଭିମ୍‌ସାରର ଅଧୀକ୍ଷକ ପ୍ରଫେସର ଡାକ୍ତର ଲାଲମୋହନ ନାଏକ କହିଛନ୍ତି।

Advertisment

ଉଦ୍ଧାର ପରେ ଶିଶୁକନ୍ୟାକୁ ଗତକାଲି ରାତିରେ ଭିମ୍‌ସାର ନବଜାତ ଶିଶୁ ଯତ୍ନ ୟୁନିଟ୍‌ରେ ରଖି ଚିକିତ୍ସା କରାଯାଉଛି। ଏପଟେ ଘଟଣା ନେଇ ପୁଲିସ ତନାଘନା ଆରମ୍ଭ କରିଛି। ରେଂଗାଲି ପୁଲିସ ନିଜଆଡ଼ୁ ଧାରା ୩୦୭ରେ ଏକ ମାମଲା ୨୪୭/୨୦୨୩ ରୁଜୁ କରିଛି। ଆଜି ଥାନାଧିକାରୀ ସୁଦର୍ଶନ ପଣ୍ଡା ଏବଂ ଏସ୍‌ଆଇ ଯଶୋବନ୍ତ ସାଲିମା ଅନ୍ୟ ପୁଲିସ କର୍ମଚାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହିତ ଜଙ୍ଗଲ ଭିତରେ ବୁଲି ଅନୁସନ୍ଧାନ କରିବା ସହିତ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି। ଶ୍ରୀରାମ ବୁଢ଼ା ଜଙ୍ଗଲ ପାଖରେ ଥିବା ଏକ ଇଟାଭାଟିକୁ ଯାଇ ସେଠାକାର ଶ୍ରମିକମାନଙ୍କୁ ଘଟଣା ସଂକ୍ରାନ୍ତରେ ପଚାରିଥିବା ଜଣାପଡ଼ିଛି। ହେଲେ, ଶିଶୁକନ୍ୟାକୁ କିଏ ଫିଙ୍ଗିଥିଲା, ଏପର୍ଯ୍ୟନ୍ତ ସେ ସଂପର୍କରେ ପୁଲିସ ସୂଚନା ପାଇପାରି ନାହିଁ। ଅପରପକ୍ଷରେ ଗତକାଲି ଖନନ କରାଯାଇଥିବା ଗାତ ପୋତାଯାଇଛି। ଏଥି ସହିତ ସେହି ପରିତ୍ୟକ୍ତ ନଳକୂଅରେ ଏକ ବଡ଼ ଗଛ ଗଣ୍ଡି ପୂରାଇ ତାହାକୁ ବନ୍ଦ କରିଦିଆଯାଇଛି।

ଉଲ୍ଳେଖଯୋଗ୍ୟ ଯେ, ଗତକାଲି ଜଣେ ନବଜାତ ଶିଶୁକନ୍ୟାକୁ କେହି ହତ୍ୟା ଉଦ୍ଦେଶ୍ୟରେ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ଗଭୀର ନଳକୂପ ଭିତରକୁ ଫିଙ୍ଗିଦେଇ ଚାଲିଯାଇଥିଲା। ନୂଳକୂପ ଭିତରେ ଫିଙ୍ଗିଲେ ଶ୍ବାସରୁଦ୍ଧ ହୋଇ ଶିଶୁ ମରିଯିବ ଆଉ ଘଟଣା ବି ସାମ୍‌ନାକୁ ଆସିବ ନାହିଁ, ସେଭଳି ଉଦ୍ଦେଶ୍ୟ ନେଇ ଏହି କାଣ୍ଡ ଭିଆଇଥିଲା। କେବଳ ସେତିକି ନୁହେଁ, ନଳକୂପର ମୁହଁରେ ଏକ ପଥର ରଖିଦେଇଥିଲା। ତେବେ, ଜଣେ ଛେଳି ଚରାଳି ଶିଶୁକନ୍ୟାର କ୍ରନ୍ଦନ ଶବ୍ଦ ଶୁଣିବା ପରେ ଘଟଣାଟି ପ୍ରଘଟ ହୋଇଥିଲା। ପୁଲିସ-ପ୍ରଶାସନ ଘଟଣା ସଂପର୍କରେ ଅବଗତ ହେବା ପରେ ତ୍ବରିତ ପଦକ୍ଷେପ ନେଇଥିଲା। ଅପରାହ୍‌ଣ ୩ଟାରୁ ବିଧିବଦ୍ଧ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରାତି ସାଢ଼େ ୯ଟାରେ ଶିଶୁଟିକୁ ଜୀବତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏଭଳି କାଣ୍ଡ କିଏ ଭିଆଇଥିଲା, ତାହା ଜାଣିବା ପାଇଁ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି। ଘଟଣାରେ ସଂପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।