କାଳିଆପାଣି: କାଳିଆପାଣି ଥାନା ଅଧୀନ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାଙ୍କଡ଼ପାଳସ୍ଥିତ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ବିଶୋଧନ କାରଖାନା ପରିସରରୁ ଲୁଟ୍‌ ହୋଇଥିବା ଟଙ୍କାବାକ୍ସକୁ ପୁଲିସ ଉଦ୍ଧାର କରିଛି। କାରଖାନାରୁ ଦେଢ଼ଶହ ମିଟର ଦୂରରେ ଥିବା ଏକ ଧାନବିଲ ଛଣଗଦା ତଳୁ ଉକ୍ତ ଟଙ୍କାବାକ୍ସ ମିଳିଥିଲା। ଏହି ଘଟଣାରେ ଜଣେ କର୍ମଚାରୀ ସୂର୍ଯ୍ୟକାନ୍ତ ପରିଡ଼ା ଓରଫ୍ ମିଟୁଆ(୨୨)କୁ ପୁଲିସ ଅଟକ ରଖିଛି। ଏନେଇ ଗତକାଲି ପ୍ରକଳ୍ପ ପ୍ରବନ୍ଧକ ବାଲାଇ ପାଲ ଥାନାରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ କେସ୍ ନଂ ୨୧/୨୩ ରୁଜୁ ହୋଇଛି। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଏସ୍‌ପି ଭିନିତ ଅଗ୍ରୱାଲ ଓ କଳିଙ୍ଗନଗର ଏଏସ୍‌ପି ସିଲଭେରିଅସ୍ ଟପ୍ପୋ ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଥିଲେ।

Advertisment

ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ, ଏସ୍‌ଆଇ ସୁଦାମ ଚନ୍ଦ୍ର ନନ୍ଦୀ ଓ ଏଏସ୍‌ଆଇ ତ୍ରିଲୋଚନ ସାହୁ ଆଜି ସକାଳେ କାରଖାନା‌କୁ ଆସି ଘଟଣାସ୍ଥଳ ବୁଲି ଦେଖିଥିଲେ। ଅଫିସ ଘର କବାଟ ଭାଙ୍ଗିବା ଓ ଲୁହାବାକ୍ସ ତାଡ଼ିବା କାମରେ ବ୍ୟବହୃତ ଏକ ଲୁହାରଡ୍‌କୁ ପୁଲିସ ଜବତ କରିଥିଲା। ପାଖରେ ଥିବା ରୋଷେୟା ଏକଲାସ୍ ସେଖଙ୍କୁ ପୁଲିସ ପଚରାଉଚୁରା କରିଥିଲା। ଘଟଣା ଦିନ ଡ୍ୟୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ଡକାଇ ପୁଲିସ ଜେରା କରିବା ସହ ସରପଞ୍ଚ ସଞ୍ଜୟ ପରିଡ଼ା, ଗାଁ ମୁରବି ଗୋପାଳ ଚନ୍ଦ୍ର ପରିଡ଼ା ଓ କିଛି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। କାରଖାନା ସଂଲଗ୍ନ କାଙ୍କଡ଼ପାଳ ଗାଁରେ ରହୁଥିବା ଅଭିଯୁକ୍ତ ମିଟୁଆ ଡ୍ୟୁଟିରେ ଅନୁପସ୍ଥିତ ରହିବା ଓ ପୁଲିସ ତଦନ୍ତରେ ସହଯୋଗ କରୁନଥିବାରୁ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ଆଜି ମିଟୁଆକୁ ତା’ ଘରୁ ଉଠାଇ ନେଇଥିଲା। ଆସନ୍ତାକାଲି ସମସ୍ତ ସୂଚନା ଦିଆଯିବ ବୋଲି ପୁଲିସ କହିଛି।