ମହାନଦୀରୁ ମୃତ କୁମ୍ଭୀର ଉଦ୍ଧାର: ବ୍ଲାଷ୍ଟିଂ ସନ୍ଦେହ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଜଗତି-ଜଗନ୍ନାଥପୁର ନିକଟ ମହାନଦୀରୁ ଏକ ମୃତ କୁମ୍ଭୀରର ଉଦ୍ଧାର ହୋଇଛି। ବନ ବିଭାଗ ଶବ ଜବତ କରି ବାମଣ୍ଡାସ୍ଥିତ ନର୍ସରିରେ ରଖିଛି। କୁମ୍ଭୀର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ମାଛ ଧରିବା ପାଇଁ ବ୍ୟବହୃତ ଅବୈଧ ବିସ୍ଫୋରଣ ଯୋଗୁଁ ଏପରି ହୋଇଥିବା ସାଧାରଣରେ ଆଲୋଚନା ହେଉଛି।

ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁସାରେ, କିଛି ବର୍ଷ ହେଲା ମହାନଦୀର ଜଳସ୍ରୋତ ହ୍ରାସ ପାଇ ଆସୁଛି। ସ୍ଥାନ ବିଶେଷରେ ପ୍ରାୟ ଦୁଇ କିମି ଥିବା ନଦୀରେ କେବଳ ଛୋଟ ଧାରରେ ଜଳ ପ୍ରବାହିତ ହେଉଛି। ହେଲେ ବିଭିନ୍ନ ସ୍ଥାନରେ ଥିବା ଗଣ୍ଡରେ ପାଣି ଜମା ହୋଇ ରହୁଛି। ସେହି ଅଞ୍ଚଳରୁ ମାଛ ଧରି ନଦୀକୂଳିଆ ଲୋକେ ଜୀବିକା ନିର୍ବାହ କରୁଛନ୍ତି। ମାଛ ସଂଖ୍ୟା କମିଯିବା ଯୋଗୁଁ କିଛି ଅସାଧୁ ଲୋକ ବିଭିନ୍ନ ଅବୈଧ ଉପାୟରେ ମାଛ ଧରୁଥିବା ଅଭି‌ଯୋଗ ହୋଇଆସୁଛି।

ନଦୀରେ ବିଷ ପ୍ରୟୋଗ, ବିସ୍ଫୋରଣ ଘଟାଇ ମାଛ ମାରୁଥିବା ଜଣାଯାଇଛି। କିଛି ଲୋକେ ତାବିଜ ଆକୃତିର ଏକ ବିସ୍ଫୋରକ ମଧ୍ୟ ବ୍ୟବହାର କରୁଛନ୍ତି। ବୋତଲରେ ଭରି ଅଗ୍ନି ସଂଯୋଗ କରିବା ଦ୍ବାରା ପାଣିରେ କମ୍ପନ ସୃଷ୍ଟି ହୋଇଥାଏ। ସେହି କମ୍ପନରେ ମାଛ ସହ ଜଳଜୀବଙ୍କ ମୃତ୍ୟୁ ହେଉଥିବା ଜଣାଯାଇଛି। ଏଭଳି ସ୍ଥିତିରେ କୁମ୍ଭୀରର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୃତ କୁମ୍ଭୀର ଲାଞ୍ଜରେ ଏକ ଟ୍ୟାଗ୍‌ ଲାଗିଛି। ସେଥିରେ ଏମ୍‌କେଏମ୍‌ ୧୪୯ ଲେଖାଥିବା ଦେଖାଯାଇଛି। ଅର୍ଥାତ କୁମ୍ଭୀର ପଞ୍ଜୀକରଣ କରି ନଦୀରେ ଛଡ଼ାଯାଇଛି।

ଏଭଳି କୁମ୍ଭୀର ଶରୀରରେ ଜିପିଏସ୍‌ ଡିଭାଇସ୍‌ ରହିଥାଏ। ତେବେ କୌଣସି ଜିପିଏସ୍‌ ଡିଭାଇସ୍‌ ଦେଖାଯାଇ ନାହିଁ। ଏ ବିଷୟରେ ଡିଏଫ୍‌ଓ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ଆଶଙ୍କାକୁ ଅସ୍ବୀକାର କରିଛନ୍ତି। ଶରୀରରେ ବିଶେଷ କ୍ଷତ ନଥିବାରୁ ବିସ୍ଫୋରଣରେ ମୃତ୍ୟୁ ହୋଇଥିବା କହି ହେବ ନାହିଁ। ଭୁବନେଶ୍ବରରୁ ବିଶେଷଜ୍ଞ ଦଳ ଆସି ମୃତ କୁମ୍ଭୀରକୁ ବ୍ୟବଚ୍ଛେଦ କରିବେ। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର