ଚର୍ଚ୍ଚା: ଆତ୍ମହତ୍ୟା ନା ହତ୍ୟା? ଯୁବକ,ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ସାକ୍ଷୀଗୋପାଳ : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ଜୀ ପୁର ଗ୍ରାମ ନିକଟ ଏକ ବଗିଚାରୁ ଆଜି ଜଣେ ଯୁବକ ଓ ଜଣେ ଯୁବତୀଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ପ୍ରଧାନ ସାହିର ବଳିଆ ଓରଫ ବଳଭଦ୍ର ନାୟକ (୨୪) ଓ ଓଲି ଓରଫ ନର୍ମଦା ନାୟକ (୨୦)। ସତ୍ୟବାଦୀ ପୁଲିସ ଶବ ଦୁଇଟିକୁ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛି।

ଆଜି ସକାଳେ ଗ୍ରାମର ବିହାରୀ ନାୟକ ଶୌଚ ପାଇଁ ଯାଇଥିଲେ। ଗଛରେ ଝୁଲନ୍ତା ଶବ ଦ୍ବୟ ଦେଖିବା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଖବର ପାଇ ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଗ୍ରାମ ନିକଟ ଗହୀରରେ ଏକ କୀଟନାଶକ ବୋତଲ ପଡ଼ିଥିବାବେଳେ ସେଠାରେ ବାନ୍ତି ମଧ୍ୟ ହୋଇଛି। ଗହୀର ନିକଟ ବଗିଚାରେ ଥିବା ଏକ ମଲା ଆମ୍ବ ଗଛରେ ଯୁବକ ଜଣକ ନିଜ ପ୍ୟାଣ୍ଟ ବେକରେ ଦେଇ ଓହଳି ପଡ଼ିଥିବାବେଳେ ତାଙ୍କ ହାତ ଏକ ରୁମାଲ୍‌ରେ ପଛ ପଟକୁ ବନ୍ଧା ହୋଇଥିବାର ଦେଖିବାକୁ ମିଳିଛି। ସେହିପରି ଯୁବତୀ ଜଣକ ନିଜ ଓଢ଼ଣୀକୁ ବେକରେ ବାନ୍ଧି ଓହଳି ପଡ଼ିଥିବା ଦେଖାଯାଇଛି। ଗତକାଲି ରାତିରେ ଯୁବକ ଯୁବତୀ ନିଜ ନିଜ ଘରେ ରହିଥିଲେ ବୋଲି ଉଭୟଙ୍କ ପରିବାର ସୂତ୍ରରୁ ଜଣାପଡିଛି। ପ୍ରେମ ସଂପର୍କକୁ ନେଇ ଏହା ଏକ ଆତ୍ମହତ୍ୟା କିମ୍ବା ଯୋଜନାବଦ୍ଧ ହତ୍ୟା ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। କିନ୍ତୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଜାଣି ନ ଥିବା ଉଭୟ ପରିବାର ଲୋକେ ପ୍ରକାଶ କରିଛନ୍ତି। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର