କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ପ୍ରମୋଦ ଜୈନଙ୍କ ନାବାଳକ ପୁଅ ଲଳିତ ଜୈନଙ୍କ ଶବ ମାଟିତଳୁ ଉଦ୍ଧାର ଘଟଣାରେ ପ୍ରତିଦିନ ନୂଆ ତଥ୍ୟ ସାମ୍‌ନାକୁ ଆସୁଛି। ଜିଆର୍‌ପି ଓ କଣ୍ଟାବାଞ୍ଜି ପୁଲିସର ତତ୍ତ୍ୱାବଧାନରେ ଗତ ୧୫ ତାରିଖ ଦିନ ଉଦ୍ଧାର ହୋଇଥିବା ଶବକୁ ନେଇ ସହର ସାରା ନାନା ଚର୍ଚ୍ଚା ଲାଗିରହିଛି। ଦୁଇ ଅଭିଯୁକ୍ତ ବିକାଶ ଅଗ୍ରୱାଲ ଓ ବିଶାଳ ଅଗ୍ରୱାଲ ନାବାଳକ ଲଳିତଙ୍କୁ ନିର୍ଯାତନା ଦେଇଥିବା ଓ ଆତ୍ମହତ୍ୟା କରିବାକୁ ଉସୁକାଇଥିବା ଅଭିଯୋଗରେ ଜେଲ୍‌ରେ ଅଛନ୍ତି। ଏସବୁ ପଛରେ ସୁପାରି କିଲର୍‌ ଥିବା ଏବେ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ପୁଲିସ ସେ ଦିଗରେ ଅଧିକ ତଦନ୍ତ କଲେ ଅସଲ ରହସ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

Advertisment

ସୂଚନାଯୋଗ୍ୟ ଯେ, ସହରର ଆଲିଶାନ୍ ଲାଇଫ୍‌ଷ୍ଟାଇଲ୍‌ରେ ରହୁଥିବା ଦୁଇ ଅଭିଯୁକ୍ତ ବିଶାଳ ଓ ବିକାଶ କଙ୍ଗାରୁ କୋର୍ଟ କରିଥିଲେ। ପୀଡ଼ିତ ପ୍ରମୋଦ ଜୈନଙ୍କ ପୁଅ ଲଳିତଙ୍କୁ ଗତ ୧୧ ତାରିଖ ଡାକି ଟଙ୍କା ନେଣଦେଣ ପାଇଁ ଆଲୋଚନା କରିବା ସହ ଧମକ ଚକମ ଦେଇଥିଲେ। ଏହି ଘଟଣା ପରେ ଆଉ ଲଳିତଙ୍କ ପତ୍ତା ମିଳିନଥିଲା। ପରେ ଲଳିତର ମୃତଦେହ ମାଟିତଳୁ ଉଦ୍ଧାର ହୋଇଥିଲା। ବିଶାଳ ଓ ବିକାଶଙ୍କ ବିରୋଧରେ ଅଭିଯୋଗ ହେବା ପରେ ଏହି ମାମଲାରେ ଏବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ନେତୃତ୍ବରେ ଆଲିଶାନ ଲାଇଫଷ୍ଟାଇଲ୍‌ରେ ରହୁଥିବା ଅନେକ ପରିବାର ଲୋକ ଓ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଛି। ପ୍ରମୋଦ ଓ ତାଙ୍କ ପୁଅ ଲଳିତ ଆଲିଶାନ୍ ଲାଇଫଷ୍ଟାଇଲ୍‌କୁ ଆସି ବିଶାଳ ସହ ଆଲୋଚନା କରିବା ପରେ ଦୁଇଗୋଷ୍ଠୀ ମଧ୍ୟରେ ନେନଦେଣ ଉପରେ ରାଜିନାମା ହୋଇଥିବା ପୁଲିସ ତଦନ୍ତରୁ ଜାଣିପାରିଛି। ମୃତ ଲଳିତ ଓ ଏଥିରେ ସଂପୃକ୍ତ ରହିଥିବା କିଛି ଲୋକଙ୍କ  ମୋବାଇଲ୍ ଫୋନ୍‌ ଜବତ କରି ଯାଞ୍ଚ କରାଯାଉଛି। ଅନ୍ୟପଟେ ପୁଲିସ ଅଧିକାରୀ ଦେଉଥିବା ସୂଚନା ଅନୁସାରେ, ଗତ ୧୩ ତାରିଖ ସକାଳ ୯.୨୫ରେ ଲଳିତ ସ୍ଥାନୀୟ କୁକୁନାହାଡ଼ ଗାଁ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହା ସହ ରେଳବାଇର ଅତିରିକ୍ତ ଲୋକୋ ପାଇଲଟ୍ ଓ ସ୍ଥାନୀୟ କିଛି ଲୋକ ମଧ୍ୟ ଦେଖିଥିବା ପୁଲିସ ଅଧିକାରୀ ଦର୍ଶାଇଥିଲେ। ତେଣୁ ବଲାଙ୍ଗୀର ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହାର ତଦନ୍ତ କଲେ ଅନେକ କିଛି ଭିତିରି ତଥ୍ୟ ପଦାକୁ ଆସିବ ବୋଲି ବିଭିନ୍ନ ମହଲୁ ମତ ପ୍ରକାଶ ପାଉଛି।

ମୋବାଇଲ ଖୋଲିବ ଗୁମର!
ଟଙ୍କା ନେଣଦେଣ ପାଇଁ ନାବାଳକ ଲଳିତ ଜୈନଙ୍କ ଜୀବନ ଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ହେଲେ ଏବେ ବି ମୃତ୍ୟୁ ଘଟଣା ରହସ୍ୟାବୃତ୍ତ ରହିଛି। କଅନେକ ଚର୍ଚ୍ଚା ଆଲୋଚନା ଭିତରେ ପୁଲିସ ଜବତ କରିଥିବା ମୋବାଇଲ୍ ଫୋନ ଉପରକୁ ସଭିଙ୍କ ନଜର ଯାଉଛି। ମୋବାଇଲ୍ ଫୋନ୍‌ ରଖି ପୁଲିସ ତଦନ୍ତ କରୁଛି। ମୃତ୍ୟୁ ପୂର୍ବରୁ କିଏ କାହା ସହ କଥା ହୋଇଥିଲେ ଏବଂ କିଏ ତାଙ୍କୁ ଧମକଚମକ ଦେଇଥିଲେ କି? ଇନ୍‌ଷ୍ଟାଗ୍ରାମ୍‌ରେ ରହିଛିକି କିଛି ତଥ୍ୟ। ନା ଲଳିତ ସହ କିଏ ବିକ୍ତିଗତ ଭାବେ ସୋସିଆଲ୍ ମିଡିଆରେ କିଛି କହିଛି। ଏସବୁ ଦିଗରେ ଠିକ୍‌ ଭାବେ ତଦନ୍ତ ହେଲେ ସତ ବାହାରକୁ ଆସିବ ବୋଲି ଆଲୋଚନା ହେଉଛି।