ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା; ହତ୍ୟା ଅଭିଯୋଗ ଆଣିଲେ ପରିବାର

ହାଟଡ଼ିହି: ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପୁଅ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ତାଙ୍କ ପୁଅକୁ ଝିଅ ଘର ‌ପରିବାର ଲୋକେ ମାରି ଦେଇ ଏହାକୁ ଆତ୍ମହତ୍ୟା ରୂପ ଦେଇଥିବା ପୁଅର ଖୁଡୀ ଅଭିଯୋଗ କରିଛନ୍ତି।

ପାଞ୍ଚଦିନ ତଳୁ ନିଖୋଜ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାପାମା’ ଭାଙ୍ଗିପଡିଛନ୍ତି। ଗତକାଲି ଠାରୁ ଘରେ ଚୁଲି ଜଳିନି।  ବିଦ୍ୟୁତ୍ ବିଭାଗରେ କାମ କରି ଯାହା ପାଉଥିଲା ସେଥିରେ ତାଙ୍କର ଘରଟି ସୁରୁଖୁରୁରେ ଚଳିଯାଉଥିଲା।   ସବୁ ଖୁସି ଆଜି କାନ୍ଦ ବୋବାଳିରେ ମିଳାଇ ଯାଇଛି। ସମଗ୍ର ଗାଁରେ ଆଜି ଶୋକାକୁଳ ପରିବେଶ।

ଦଧିବାନପୁର ଗ୍ରାମର କମଳାକାନ୍ତ ଜେନା ରତକଣା ଗ୍ରାମର ଲିଲି ଜେନାଙ୍କ ସହିତ ମିସ୍ କଲରୁ ପ୍ରେମ ସୃଷ୍ଟି ହୋଇଥିଲା । ଉଭୟ ଉଭୟକୁ  ଭଲପାଇ ବସିଥିଲେ । ଉଭୟ ଏକାଠି ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାର କରିବାକୁ ଲିଲି ଦଧିବାନପୁର ଗାଁକୁ ପଳାଇ ଆସିଥିଲା ।  ଗତ ଅଗଷ୍ଟମାସରେ ସେମାନେ ନିଜ ଘରେ ବୈଦିକ ରୀତିରେ ବିବାହ କରୁଥିବାବେଳେ ପୁଲିସ ଓ ପ୍ରଶାସନ ପହଞ୍ଚି ବାଲ୍ୟ ବିବାହ ବୋଲି ଦର୍ଶାଇ ଏହାକୁ ରୋକିଥିଲା। ଝିଅର ୧୮ବର୍ଷ ପୂରିଗଲେ ବିବାହ କରିବ ବୋଲି ଉଭୟ ପରିବାରକୁ ପରାମର୍ଶ ଦେଇଥିଲା। ସେଥିରେ ଉଭୟ ପରିବାର ମଧ୍ୟ ସହମତି ଦେଇଥିଲେ।

୫ ଦିନ ହେଲା ଉଭୟ ଘରୁ ନିଖୋଜ ହୋଇଯାଇଥିଲେ। ଗତକାଲି ସନ୍ଧ୍ୟାରେ ଦୁଇଟି ମୃତଦେହ ପଚିଶଢ଼ି ଯିବା ଅବସ୍ଥାରେ ତରତରା ଛକ ନିକଟରେ ଏକ ଲିମ୍ବଗଛରେ ଝୁଲୁଥିବା ଖବର ପ୍ରଚାରିତ ହୋଇଯିବାପରେ ଶହଶହ ଲୋକଙ୍କ ଭିଡ଼ ଜମିଥିଲା । ଏହି ମୃତ ଦୁଇଟି କମଳାକାନ୍ତ ଓ ରତକଣା ଗ୍ରାମର ଲିଲି ଯେନାଙ୍କର ବୋଲି ସନ୍ଦେହ କରିଥିଲେ। ରାତି ହୋଇଯାଇଥିବାରୁ ଏହାକୁ ଉଦ୍ଧାର କରାଯାଇ ପାରି ନଥିଲା । ଆଜି ଆନନ୍ଦପୁର ପୁଲିସ ମାଜିଷ୍ଟ୍ରେଟ ଓ ଉଭୟ ପରିବାର ସଦସ୍ୟଙ୍କ  ଉପସ୍ଥିତିରେ ଶବ ଉଦ୍ଧାର କରିଥିଲା।

ଉଭୟ ପରିବାର ସେମାନଙ୍କୁ ଚିହ୍ନଟ କରିଛନ୍ତି।  ଶବ ଗୁଡିକ ପଚିଶଢ଼ି ଯାଇଥିବାରୁ  ସେମାନଙ୍କର   ୪/୫ଦିନ ତଳୁ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରିଛି।  ମୃତ୍ୟୁର କାରଣ ଜଣାପଡି ନଥିଲେ ମଧ୍ୟ ମୃତ କମଳାକାନ୍ତଙ୍କ ପରିବାର ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଝିଅଘର ଲୋକେ ମାରିଥିବା ନେଇ କମଳାକାନ୍ତଙ୍କ ଖୁଡି ଅଭିଯୋଗ କରିଥିବାବେଳେ ମୃତ ଲିଲି ଜେନାଙ୍କ ବାପା ଏହାକୁ ଅସ୍ୱୀକାର କରିଛନ୍ତି।  ଅନ୍ୟପକ୍ଷରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ଦୁଇଟି ବ୍ୟବଚ୍ଛେଦ ପାଇଁ  ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର