କଣ୍ଟାମାଳ/ତରଭା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ପଲଶାଗୋରା ପଞ୍ଚାୟତ ଅଧୀନ ବଘାଡ଼ ଗାଁ ନିକଟ ଏକ ଆମ୍ବଗଛରୁ ଝଲାନ୍ତା ଅବସ୍ଥାରେ ଏକ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରିଛି ମନମୁଣ୍ଡା ଥାନା ପୁଲିସ। ମୃତକ ଦ୍ବୟ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବିଜାପଦର ଗାଁର ବାବୁଲୁ ନାଏକ (୨୧ବର୍ଷ) ଓ ସରସ୍ୱତୀ କହଁର (ଶ୍ରାବଣୀ, ୧୭ବର୍ଷ)। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଅନରକିଲିଂ ବୋଲି ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ଗୁରୁବାର ସକାଳ ୮ଟା ବେଳେ ସେହି ଆମ୍ବଗଛରେ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଝୁଲୁଥିବା ଗ୍ରାମର କେତେକ ଲୋକ ଦେଖିଥିଲେ। ସେମାନେ ତୁରନ୍ତ ମନମୁଣ୍ଡା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବଗଛରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଗତ ପ୍ରାୟ ୫ ଦିନ ହେବ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତ ପ୍ରେମୀ ଯୁଗଳ ଗତ ୭ ତାରିଖରୁ ଘରୁ ଫେରାର୍ ଥିଲେ। ଏନେଇ ଉଭୟଙ୍କ ପରିବାର ଲୋକେ ଗତ ୮ ତାରିଖ ଦିନ ତରଭା ଥାନାରେ ଏତଲା ଦେଇଥିଲେ। ପୁଲିସ ୨ଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ସମ୍ପୃକ୍ତ ଯୁବକ ଯୁବତୀଙ୍କୁ କେହି ହତ୍ୟାକରି ଉକ୍ତ ଆମ୍ବଗଛରେ ଝୁଲାଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି ବୋଲି ସ୍ଥାନୀୟ ଅଞ୍ଚଳରେ ସନ୍ଦେହ ପ୍ରକାଶ ପାଇଛି। ମୃତଦେହ ଦୁଇଟି ଗଳିତ ଅବସ୍ଥାରେ ଥିବାରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।