ନିଖୋଜ ଶିକ୍ଷକଙ୍କ ଦରପୋଡ଼ା ଗଳିତ ଶବ ଉଦ୍ଧାର: ପ୍ରେମ ପାଇଁ ହତ୍ୟା ସନ୍ଦେହ

କଣ୍ଟାମାଳ: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗାଁ ନିକଟରୁ ବୁଧବାର ଏକ ଦରପୋଡ଼ା ଗଳିତ ଶବ ଉଦ୍ଧାର କରାଯାଇଛି। ଶବଟି ଗତ ୧୩ ତାରିଖରୁ ନିଖୋଜ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଉଡ଼େର ଗାଁର ସ୍କୁଲ ଶିକ୍ଷକ ବାସୁଦେବ ଭୋଇଙ୍କ ଏବଂ ପ୍ରେମ ସଂପର୍କକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର କର୍ଲାଖମନ ଗାଁ ନିକଟ ବିରିଘାଟ ଜଂଗଲରେ ଏକ ଦରପୋଡ଼ା ଶବ ପଡ଼ିଥିବା ଅଞ୍ଚଳବାସୀ ଦେଖିଥିଲେ। ଖବର ପାଇ ତୁଷୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲା। ରାତି ହୋଇଯାଇଥିବାରୁ ଶବକୁ ଉଦ୍ଧାର କରାଯାଇପାରି ନାହିଁ। ତଥାପି ପାରିପାର୍ଶ୍ବିକ  ସ୍ଥିତିରୁ ତାଙ୍କୁ ହତ୍ୟା କରି ପୋଡ଼ିଦେବାକୁ ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ ଯେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ଉଡ଼େର ଗାଁର ପ୍ରାଥମିକ ସ୍କୁଲରେ ବାସୁଦେବ ସହକାରୀ ଶିକ୍ଷକ ଭାବେ କାମ କରୁଥିଲେ। ଗତ ୧୨ ତାରିଖ ଦିନ ବାସୁଦେବ ତାଙ୍କ ଜଣେ ସଂପର୍କୀୟ ଭାଇ ସହିତ ତୁଷୁରା ଥାନା ଅନ୍ତର୍ଗତ ସନ୍ଧିସରା ଗାଁକୁ ଯାଇଥିଲେ।

ସେଠାରୁ ୧୩ ତାରିଖ ଦିନ ଏକ ଜରୁରୀ କାମ ଅଛି କହି ନିକଟସ୍ଥ କର୍ଲାଖମନ ଗାଁକୁ ଯାଇଥିଲେ। ତାପରେ ଆଉ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ବାସୁଦେବଙ୍କ କୌଣସି ପତ୍ତା ପାଇ ନଥିଲେ। ଶେଷରେ ବାସୁଦେବଙ୍କ ବିଧବା ମା’ ଏକମାତ୍ର ପୁଅର ନିଖୋଜ ସଂପର୍କରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶିକ୍ଷକ ବାସୁଦେବ କର୍ଲାଖମନ ଗାଁକୁ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଆସିଥିବା ବେଳେ ପ୍ରେମିକା ଘର ଲୋକେ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ସେପଟେ ଆସନ୍ତା ମାର୍ଚ୍ଚ ୯ ତାରିଖରେ ବାସୁଦେବଙ୍କ ବାହାଘର ହେବାର ଥିଲା। ତୁଷୁରା ଥାନା ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର