ଦାନଗଦୀ : ଦାନଗଦୀ ଫାଣ୍ତି ନିକଟ ମହେଶ ଫିଲିଂଷ୍ଟେସନ ନିକଟରୁ ୫ ଦିନ ତଳେ ଚୋରି ହୋଇଥିବା ଏକ ୧୮ ଚକିଆ ହାଇୱା (ଟ୍ରଲର) କୁ ପୁଲିସ ସୋମବାର ସୁକିନ୍ଦାରୁ ଉଦ୍ଧାର କରିଛି। ଚୋରି ଘଟଣାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ସୋମବାର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁକିନ୍ଦା ଥାନା ବଉଳପାଳ ଗାଁର ପ୍ରଦୀପ୍ତ ପ୍ରଧାନ(୨୭) ଓ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କେନ୍ଦୁପଡ଼ା ଗାଁର ପ୍ରିୟରଂଜନ ନାୟକ (୨୪)।
ଦାନଗଦୀର ମହେଶ ଫିଲିଂ ଷ୍ଟେସନ ପଛପଟ ପାର୍କିଂ ଏରିଆ ମଧ୍ୟରେ ୧୮ ଚକିଆ ହାଇୱା ଥିଲାବେଳେ ଗତ ୧୪ ତାରିଖରେ ଚୋରି ହୋଇଥିଲା। ଏନେଇ ଜେ.ଏମ୍.ଡି ଟ୍ରାନ୍ସପୋର୍ଟର କର୍ମଚାରୀ ଅଭିଷେକ କୁମାର ଦାନଗଦୀ ଫାଣ୍ତିରେ ୧୫ ତାରିଖ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଦାନଗଦୀ ପୁଲିସ ୩୫୪/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଫାଣ୍ତି ଅଧିକାରୀ ଅଜୟ କୁମାର ସାହୁ ଘଟଣାସ୍ଥଳକୁ ଯାଇ ପାର୍କିଂ ନିକଟସ୍ଥ ଅନ୍ୟ ଗାଡ଼ିର ଡ୍ରାଇଭରମାନଙ୍କୁ ପଚରାଉଚରା କରିଥିଲେ। ପରେ ସନ୍ଦେହରେ ୨ ଜଣଙ୍କୁ ଧରିନେଇ ଫାଣ୍ତିରେ ଅଟକ ରଖିଥିଲେ। ସେମାନଙ୍କଠାରୁ ଚୋରି ସମ୍ପର୍କରେ କିଛି ତଥ୍ୟ ପାଇବା ସେହି ଗାଡ଼ିର ପୁରୁଣା ଡ୍ରାଇଭର ପ୍ରଦୀପ୍ତ ପ୍ରଧାନକୁ ଗିରଫ କରିଥିଲେ। ବକେୟା ଟଙ୍କା ପାଇବାକୁ ସେ ଗାଡ଼ିଟିକୁ ଚୋରି କରି ନେଇଥିବା ଓ ଗାଡ଼ିଟିକୁ ବିକ୍ରି କରିବା ଉଦ୍ଦେଶ୍ୟରେ ସୁକିନ୍ଦା ହାତିବାଡ଼ି ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ଲୁଚାଇ ରଖିଥିଲା ବୋଲି ସେ ପୁଲିସ ନିକଟରେ ପ୍ରକାଶ କରିଥିଲା। ଏଥିରେ ତାକୁ ଅନ୍ୟ ଜଣେ ଡ୍ରାଇଭର ପ୍ରିୟରଂଜନ ନାୟକକୁ ସହଯୋଗ କରିଥିବା ପୁଲିସକୁ ସୂଚନା ଦେଇଥିଲା। ପୁଲିସ ସୋମବାର ଦିନ ସୁକିନ୍ଦା କାଜୁ ଜଙ୍ଗଲରୁ ଟ୍ରଲରଟିକୁ ଉଦ୍ଧାର କରିଥିବାବେଳେ ଅଭିଯୁକ୍ତ ପ୍ରିୟରଂଜନ ଓ ପ୍ରଦୀପ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6ea81035-69c8-4862-8f95-0541940c13d8.jpg)