କେରଳରେ ଓଡ଼ିଶା ଅଗ୍ନିଶମ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ

କଟକ : କେରଳ ବନ୍ୟା ପରିସ୍ଥିତିର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଓଡ଼ିଶା ଅଗ୍ନିଶମ ସେବା ଦୁଇ ଦିନ ମଧ୍ୟରେ ପାଖାପାଖି ୨୧୦୦ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ପ୍ରଥମ ଦିନରେ ପ୍ରାୟ ୧୮୦୦ ଜଣଙ୍କୁ ଉଦ୍ଧାର କରାଯିବା ପରେ ଆଜିଠୁ ରିଲିଫ୍‌ ବଣ୍ଟା କାର୍ଯ୍ୟ ଆରମ୍ଭ ହୋଇଛି। ଅନେକ ଲୋକ ଏବେବି ପାଣି ଘେରରେ ଅଛନ୍ତି। ହେଲେ ସେମାନେ ନିଜ ଘର ଛାଡ଼ି ଆସିବାକୁ ଚାହୁଁନାହାନ୍ତି। ସେସବୁ ସ୍ଥାନ ମାନଙ୍କରେ ରିଲିଫ୍‌ ପହଞ୍ଚାଇବାକୁ ପଡୁଛି। ଭାଷାଗତ ସମସ୍ୟା ଯୋଗୁଁ ଲୋକଙ୍କୁ ଉଦ୍ଧାର କଲାବେଳେ ସେମାନଙ୍କର କ’ଣ ଆବଶ୍ୟକତା ରହିଛି କିମ୍ବା ସେମାନେ କ’ଣ ଚାହୁଁଛନ୍ତି, ତାହା ଜାଣିବାରେ ସମସ୍ୟା ହେଉଛି। ସେହିପରି ନୂଆ ସ୍ଥାନରେ ଅଜଣା ଅଞ୍ଚଳକୁ ଯାଇ ଫେରିବାରେ ବି ସାମାନ୍ୟ ସମସ୍ୟା ହେଉଛି। ତଥାପି ସ୍ଥାନୀୟ ଅଧିକାରୀଙ୍କ ସହଯୋଗରେ ଓଡ଼ିଶାରୁ ଯାଇଥିବା କର୍ମଚାରୀ ଭୋକଶୋଷ ଭୁଲି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ଟିମ୍‌ର ନେତୃତ୍ୱ ନେଉଥିବା ଓଡ଼ିଶା ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି।

ଆଲପୁଜା ଜିଲ୍ଲାର ଚେଙ୍ଗାନୁର ସହରରରେ ଓଡ଼ିଶା ଅଗ୍ନିଶମର ବେସ୍‌ କ୍ୟାମ୍ପ ଖୋଲାଯାଇଛି। ଏଠାରୁ ବିଭିନ୍ନ ଦଳରେ କର୍ମଚାରୀମାନେ ବିଭକ୍ତ ହୋଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଚାରିଆଡେ ବନ୍ୟା ପାଣି ଭର୍ତ୍ତି ହୋଇଥିବାରୁ କେବଳ ବୋଟ୍‌ ହିଁ ଏକମାତ୍ର ଭରସା। କେରଳ ପ୍ରଶାସନ ପକ୍ଷରୁ ରିଲିଫ୍‌ ସାମଗ୍ରୀ ଓଡ଼ିଶା ଅଗ୍ନିଶମ କ୍ୟାମ୍ପ୍‌ରେ ପହଞ୍ଚିବା ପରେ ସେଠାରୁ ବୋଟ୍‌ ଯୋଗେ ଆଶ୍ରୟ ସ୍ଥଳ ଓ ପ୍ରଭାବିତ ଅଞ୍ଚଳମାନଙ୍କୁ ରିଲିଫ୍‌ ପଠାଯାଉଛି। ମୁରିଆନ୍‌କାରୁ, କୁଚିଆଟୁଡୁ, ମାଡବାନ୍‌, ପ୍ରେୟାର ଇତ୍ୟାଦି ସ୍ଥାନ ମାନଙ୍କରେ ଅଗ୍ନିଶମ କର୍ମଚାରୀଙ୍କୁ ଅଧିକ କସରତ୍‌ କରିବାକୁ ପଡୁଛି। ବତ୍ତର୍ମାନ ବି ସମୁଦ୍ର ଜୁଆରିଆ ଅଛି। ତେଣୁ ସ୍ଥିତି କିଛିଟା ସ୍ୱଭାବିକ୍‌ ହେବାକୁ ଆହୁରି ୧୦ରୁ ୧୫ ଦିନ ସମୟ ଲାଗିବ ବୋଲି ସ୍ଥାନୀୟ ଲୋକ କହୁଛନ୍ତି। ଏହି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଓଡ଼ିଶାର ଅଗ୍ନିଶମ କର୍ମଚାରୀମାନେ ଘଣ୍ଟା ଘଣ୍ଟା ଉପାସ ରହି ସେମାନଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଥିପାଇଁ ସେଠାରେ ନିୟୋଜିତ ଆର୍ମି, ଏନ୍‌ଡିଆର୍‌ଏଫ୍‌, କେରଳ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି।

ଆଇଏଏସ୍‌, ଆଇପିଏସ୍‌ ଅଫିସର୍‌ ଦେବେ ଦିନକର ଦରମା

ଭୁବନେଶ୍ୱର : କେରଳ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର୍‌। ଓଡ଼ିଶା ଆଇଏଏସ୍‌ ଅଫିସର୍ସ ଆସୋସିଏସନ୍‌ ଓ ଆଇପିଏସ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ ଆଜି ଏ ନେଇ ନିଷ୍ପତ୍ତି ନିଆଯାଇଛି। ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ଉଭୟ ସଂଘ ପକ୍ଷରୁ ଶୋକପ୍ରକାଶ କରାଯିବା ସହ କେରଳବାସୀଙ୍କ ସହ ସମସ୍ତେ ଦୃଢ଼ ଭାବେ ଠିଆ ହେଉଛନ୍ତି ବୋଲି କୁହାଯାଇଛି।

ସୁରକ୍ଷିତ ଅଛନ୍ତି ସ୍ୱୟଂ ସହାୟକ ଦଳର ସଦସ୍ୟ

ଭୁବନେଶ୍ୱର : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଆନୁକୂଲ୍ୟରେ କେରଳର ଆଲେପି ଜିଲ୍ଲାରେ ଅନୁଷ୍ଠିତ ସରସ ମେଳାରେ ଭାଗ ନେବାକୁ ଓଡ଼ିଶାର ୧୧ଟି ସ୍ୱୟଂ ସହାୟକ ଗୋଷ୍ଠୀର ୨୧ ଜଣ ସଦସ୍ୟ ଯାଇଥିଲେ। କେରଳରେ ଦେଖାଦେଇଥିବା ପ୍ରଳୟଙ୍କାରୀ ବନ୍ୟାରେ ସେମାନେ ସମସ୍ତେ ସୁରକ୍ଷିତ ଓ ନିରାପଦ ଅଛନ୍ତି। ଆସନ୍ତା ବୁଧବାର ଦିନ ସେମାନେ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଓଡ଼ିଶା ଫେରିବେ। ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, ଓର୍‌ମାସ୍‌ ପକ୍ଷରୁ ଯାଇଥିବା ଏହି ୨୧ ଜଣିଆ ଦଳରେ ୫ ଜଣ ମହିଳା ଓ ୧୬ ଜଣ ପୁରୁଷ ଅଛନ୍ତି। କିନ୍ତୁ ଗତ ୧୫ ତାରିଖରେ ବୃଷ୍ଟିପାତ ଓ ବନ୍ୟା ପାଣି ମାଡ଼ି ଆସିବାରୁ ଏହି ମେଳା ବାତିଲ୍‌ ହୋଇଯାଇଥିଲା। ଏସ୍‌ଏଚ୍‌ଜି ସଦସ୍ୟମାନଙ୍କୁ ଉଦ୍ଧାର କରାଯାଇ ତ୍ରିଭେନ୍ଦ୍ରମ୍‌ରେ ଏକ ସ୍କୁଲ୍‌ ଘରେ ନିରାପଦରେ ରଖାଯାଇଛି। ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଓର୍‌ମାସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି ଏନ୍‌ ଦାସ କେରଳର ସଂପୃକ୍ତ ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ଓ ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ଵିତ କରୁଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟକୁ ଅବଗତ କରି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର