ଜମନକିରା: ବଡରମା - ଓଡ଼ସିଂ ରାସ୍ତା ଖେରିଆକାନି ଜଙ୍ଗଲ ଭିତରୁ ବଡ଼ରମା ଅଞ୍ଚଳର ଆଦିବାସୀ ନେତା ରମେଶ ପଧାନ(୬୫)ଙ୍କ ଶୁକ୍ରବାର ଗଳିତ ଶବ ଉଦ୍ଧାର ହୋଇଛି। ତଳେ ଗାମୁଛା ବିଛାଯାଇ ଶୋଇବା ଅବସ୍ଥାରେ ଗଳିତ ଶବ ଓ ନିକଟରେ ଏକ ସାଇକଲ, ଚପଲ ଓ ଟୋପି ରହିଥିବା ଦେଖାଯାଇଛି। ସେ ୩ ଦିନ ତଳେ ବିଷ ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗୌଡ଼ପାଲି ଫାଣ୍ଡି ପୁଲିସ ଶବକୁ ଜବତ କରି କୁଚିଣ୍ଡା ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଅପରାହ୍ଣ ୩ ଟାରୁ ଜମନକିରା ଥାନା ଅଧୀନ ଗୌଡପାଲି ଫାଣ୍ଡି ଅଞ୍ଚଳ ବଡରମା ଗ୍ରାମର ଆଦିବାସୀ ନେତା ତଥା ବଡରମା ଅଭୟାରଣ୍ୟ ବିକାଶ ପରିଷଦର ସମ୍ପାଦକ ରମେଶ ପଧାନ ନିଖୋଜ ଥିଲେ। କୁଆଡେ ତାଙ୍କ ନାମରେ ସେହି ଗ୍ରାମର ଜଣେ ବ୍ୟକ୍ତି ଏକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଏନେଇ ମଙ୍ଗଳବାର ଅପରାହ୍ଣ ୩ଟାରେ ଗାଁ ମଝିରେ ଗ୍ରାମବାସୀଙ୍କ ଏକ ସଭା ବସିଥିଲା। ପ୍ରଥମ ଶ୍ରେଣୀରେ ପଢୁଥିବା ଶିଶୁକନ୍ୟାକୁ ରମେଶ ଚକୋଲେଟ୍ ପ୍ରଲୋଭନ ଦେଖାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ସଭାରେ ଶିଶୁ କନ୍ୟାଟି ସବୁ କଥା ବଖାଣିଥିଲା। ପରେ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଏହା ଜାଣିବା ପରେ ରମେଶ ଗାଁରେ ସମ୍ମାନହାନି ଓ ଲୋକଲଜ୍ଜା ଭୟରେ ଖେରିଆକାନି ଜଙ୍ଗଲ ଭିତରେ ବିଷ ଖାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-ff.jpg)