ଖରସ୍ରୋତାରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

କୋରେଇ/ପାଣିକୋଇଲି: ଗତକାଲି ଅପରାହ୍‌ଣରେ ୧୬ ନମ୍ବର ଜାତୀୟ ରାଜପଥର ସାହାପୁର ସେତୁ ନିକଟରେ ଖରସ୍ରୋତା ନଦୀରେ ଖସିପଡ଼ି ନିଖୋଜ ଥିବା ଆଦିବାସୀ ମହିଳା କୁନି ମୁଣ୍ଡାଙ୍କ ମୃତଦେହ ଆଜି ସକାଳେ ମସୁଦପୁର ନଦୀପଠାରୁ ଉଦ୍ଧାର କରାଯାଇଛି। କୁନି ମୁଣ୍ଡା ଗତକାଲି ଖରସ୍ରୋତା ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ। ବରୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି କରିବା ପରେ ଠାବ କରିପାରି ନଥିଲେ। ଆଜି ସକାଳେ ମସୁଦପୁ୍ର ଅଞ୍ଚଳର କିଛି ଯୁବକ ମୃତଦେହ ଭାସୁଥିବା ଦେଖି ଉଦ୍ଧାର କରିବା ସହ ପାଣିକୋଇଲି ଥାନାକୁ ଖବର ଦେଇଥିଲେ। ପାଣିକୋଇଲି ପୁଲିସ ଏଏସଆଇ ସତ୍ୟବାନ ଦାଶ, କନେଷ୍ଟବଳ ମନମୋହନ ବାରିକ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତ କୁନି ମୁଣ୍ଡା ମସୁଦପୁର ଡାକ୍ତରଖାନା ନିକଟରେ ତାଙ୍କର ଦୁଇ ନାବାଳିକା ଝିଅ ସହ ରହୁଥିଲେ। ଏବେ ଦୁଇ ଝିଅ ବେସାହାରା ହୋଇପଡିଛନ୍ତି।

ଯାଜପୁର ଜିଲ୍ଲାପରିଷଦ ସଭାପତି ନଳିନୀପ୍ରଭା ଜେନା ଘଟଣାସ୍ଥଳରେ ପହଞ୍ଚି ସବୁ ପ୍ରକାର ସରକାରୀ ସୁବିଧା ଯୋଗାଇଦେବା ପାଇଁ ବନ୍ଦୋବସ୍ତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଦୁଇ କୁନି ପିଲାଙ୍କୁ ସେ କୋଳାଇନେଇ ତୁରନ୍ତ ଥଇଥାନ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ତାଙ୍କ ସହ ​କୋରେଇ ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ଦଳେଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର