ଗଡ଼ପୋଷ: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗୋବିନ୍ଦପୁର ଥାନା ଅନ୍ତର୍ଗତ ପିଣ୍ଡାପଥର ପଞ୍ଚାୟତ ତିତିରିପୋଷ ଗ୍ରାମ ନିକଟ ପତରା ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧନଗ୍ନ ଗଳିତ ଶବ ଉଦ୍ଧାର କରାଯାଇଛି। ପୁଲିସ ସୂଚନାନୁସାରେ ତିତିରିପୋଷ ଗ୍ରାମର ବସନ୍ତ କୁମୁରାଙ୍କ ଝିଅ ରେବତୀ ପଟ୍ଟା (୪୫)ଙ୍କ ବିବାହ କୁଟାରୀମାଲ ନିବାସୀ ଦିବ୍ୟଲୋଚନ ପଟ୍ଟାଙ୍କ ସହ ହୋଇଥିଲେ। ରେବତୀ ରକ୍ଷାବନ୍ଧନ ପାଇଁ ୧୨ ତାରିଖ ଦିନ ନିଜ ଗାଁ କୁ ଆସିଥିଲେ। ତେବେ ମଧ୍ୟାହ୍ନରେ ରେବତୀ ନିଜ ପଡ଼ୋଶୀଙ୍କୁ ଏକ କୁକୁଡ଼ା ଦେଇ ରାନ୍ଧିବାକୁ କହିବା ପରେ ମଦ ନେବାକୁ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ସେ ଆଉ ଘରକୁ କି ପଡ଼ୋଶୀ ଘରକୁ ଫେରି ନଥିଲେ।
ଅନେକ ଖୋଜାଖୋଜି ପରେ ବି ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ବାପ ଘର ଲୋକେ ଖୋଜାଖୋଜି କରି ନ ଥିବାରୁ କାଳେ ରେବତୀ ଶ୍ୱଶୁର ଘରକୁ ଫେରି ଯାଇଥିବ ବୋଲି ସନ୍ଦେହ କରିଥିଲେ। ମାତ୍ର ଆଜି ଅପରାହ୍ଣରେ ନିକଟସ୍ଥ ପତରା ଜଙ୍ଗଲରେ ଏକ ଗଳିତ ଶବ ପଡ଼ିଥିବା ଗଡ଼ପୋଷ ଫାଣ୍ଡିକୁ ପିଣ୍ଡାପଥର ସରପଞ୍ଚ ବିରଞ୍ଚି ମାଝୀ ସୂଚନା ଦେଇଥିଲେ। ଫାଣ୍ଡି ଅଧିକାରୀ ଦେବରାଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଦେଖିବା ପରେ ଗୋବିନ୍ଦପୁର ଥାନାକୁ ଖବର ଦେଇଥିଲେ। ଥାନାଧିକାରୀ ଅଜୟ ଜେନା ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ। ଶବଟି ରେବତୀଙ୍କର ବୋଲି ଜଣାପଡ଼ିଥିଲା। ତେବେ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ବ୍ୟବଛେଦ ପରେ ସ୍ପଷ୍ଟ ହେବ ବୋଲି ପୁଲିସ୍ କହିଛି। ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋବିନ୍ଦପୁର ଡାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହା ଏକ ହତ୍ୟାକାଣ୍ଡ ବୋଲି ଅଂଚଳବାସୀ ସନ୍ଦେହ ପ୍ରକାଶ କରିଛନ୍ତି।