ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ବାଇପାସ୍‌ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାମ ଦୀପ୍ତିଲତା ଦାସ(୧୭) ବୋଲି ପୁଲିସ କହିଛି। ଝିଅର ମୃତ୍ୟୁ ଖବର ପାଇ ପରିବାରବର୍ଗ ଭାଙ୍ଗି ପଡ଼ିଛନ୍ତି। ଝିଅର ମୃତ୍ୟୁ ପାଇଁ ମା’ ଜ୍ୟୋତ୍ସ୍ନାରାଣୀ ଦାସ କଲେଜ କର୍ତ୍ତୃପକ୍ଷ ଓ କିଛି ଛାତ୍ରଙ୍କୁ ଦାୟୀ କରିଥିବା ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁର୍ମୁ କହିଛନ୍ତି। ଅଭିଯୋଗ ଅନୁସାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

Advertisment

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଲୋଚାପଡ଼ା ଗ୍ରାମର ଲକ୍ଷ୍ମୀଚରଣ ଦାସଙ୍କ ଝିଅ ଦୀପ୍ତିଲତା ଲାଞ୍ଜିପଲ୍ଲୀ ବାଇପାସ୍‌ରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୁକ୍ତଦୁଇ ବିଜ୍ଞାନରେ ପାଠ ପଢ଼ୁଥିଲେ। ଗତକାଲି ସେ ପରିବାରବର୍ଗଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ସଂଧ୍ୟାରେ କଲେଜ କର୍ତ୍ତୃପକ୍ଷ ଝିଅ ଗୁରୁତର ହୋଇ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପରିବାରବର୍ଗଙ୍କୁ ଖବର କରିଥିଲେ। ଖବର ପାଇ ମା’ ଜ୍ୟୋତ୍ସ୍ନାରାଣୀ ଓ ଭାଇ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ଦୀପ୍ତିଲତା ରହୁଥିବା ହଷ୍ଟେଲ୍‌ ରୁମ୍‌ରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପରିବାରବର୍ଗଙ୍କୁ କୁହାଯାଇଥିଲା। ପରିବାରବର୍ଗ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ। ଗତକାଲି ସକାଳେ ଝିଅ ଫୋନ୍‌ରେ କଥା ହୋଇଥିଲା। ସବୁ ଠିକ୍‌ ଥିଲା। ହଠାତ୍‌ ସେ କାହିଁକି ଆତ୍ମହତ୍ୟା କଲା ବୋଲି ପରିବାରବର୍ଗ ପ୍ରଶ୍ନ କରିଛନ୍ତି। ଝିଅ ଦୀପ୍ତିଲତାଙ୍କ ମୃତ୍ୟୁ ପାଇଁ ପରିବାରବର୍ଗ କଲେଜ କର୍ତ୍ତୃପକ୍ଷ ଓ କିଛି ଛାତ୍ରଙ୍କୁ ପରୋକ୍ଷରେ ଦାୟୀ କରିଛନ୍ତି। ଏପରିକି ତାଙ୍କୁ ହତ୍ୟା କରାଯାଇଥିବା ମା’ ଅଭିଯୋଗ ଆଣିଛନ୍ତି। ପରିବାରବର୍ଗଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜାରି ରହିଥିବା ଏଏସ୍‌ପି ଅସୀମ ପଣ୍ଡା କହିଛନ୍ତି।

ସେପଟେ ସାଇଣ୍ଟିଫିକ୍‌ ଟିମ୍‌ କଲେଜ ହଷ୍ଟେଲ୍‌ରେ ପହଞ୍ଚି ଦୀପ୍ତିଲତା ରହୁଥିବା ରୁମ୍‌ ଯାଞ୍ଚ କରିଥିଲା। ସେଠାରୁ କୌଣସି ସୁଇସାଇଡ୍‌ ନୋଟ୍‌ ଜବତ ହୋଇ ନାହିଁ। ପୁଲିସ ଦୀପ୍ତିଲତାଙ୍କ ମୋବାଇଲ୍‌ କଲ୍‌ ରେକର୍ଡ଼ ମଧ୍ୟ ଯାଞ୍ଚ କରୁଛି। ସାଇଣ୍ଟିଫିକ୍‌ ଟିମ୍‌ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହିତ ସହପାଠୀଙ୍କ ସହିତ ମଧ୍ୟ ଆଲୋଚନା କରିଛି। ପଞ୍ଚନାମା ବେଳେ ଦୀପ୍ତିଲତାଙ୍କ ବେକରେ ଚିହ୍ନ ରହିଥିବା ପୁଲିସ କହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।