କେନ୍ଦୁଝର/ହରିଚନ୍ଦନପୁର: ରଖେ ହରି ତ ମାରେ କିଏ। ଏହାର ଯଥାର୍ଥତା ଆଜି ପ୍ରମାଣିତ ହୋଇଛି। ଜଣେ ନବଜାତ ଶିଶୁପୁତ୍ରକୁ କେହି ବ୍ୟାଗରେ ପୂରାଇ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ନିକଟସ୍ଥ ନାଳନାଳକୁ ଫିଙ୍ଗି ଦେଇଥିଲା। ସାରା ରାତି ମୃତ୍ୟୁ ସହିତ ସଂଘର୍ଷ କରିବା ପରେ ଆଜି ସକାଳୁ ଶିଶୁଟି ଉଦ୍ଧାର ହୋଇଛି। ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ଏକ ନବଜାତ ଶିଶୁପୁତ୍ରକୁ କେହି ପ୍ଲାଷ୍ଟିକ ବ୍ୟାଗ୍‌ରେ ପୂରାଇ ହରିଚନ୍ଦନପୁର ବ୍ଲକ୍‌ ଗୋପୀନାଥପୁର ଗ୍ରାମ ନିକଟସ୍ଥ ନାଳ ନିକଟରେ ଫିଙ୍ଗି ଦେଇଥିଲା। ଆଜି ସକାଳେ ଶିଶୁଟିର କୁଆଁକୁଆଁ କାନ୍ଦ ଶୁଭିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା।

Advertisment

ସ୍ଥାନୀୟ ଅଞ୍ଚଳର ଯୁବକ ଶୈଳେନ୍ଦ୍ର ମୁଣ୍ଡା ନାଳରେ ପଶି ବ୍ୟାଗ ସହ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଆଶାକର୍ମୀ ତପସ୍ବିନୀ ମହାନ୍ତ, ଅଙ୍ଗନବାଡ଼ି କର୍ମୀ ଦ୍ରୌପଦୀ ମୁଣ୍ଡା ପ୍ଲଷ୍ଟିକ ବ୍ୟାଗକୁ ଖୋଲି ଶିଶୁଟିକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଏନେଇ ସେମାନେ ଚାଇଲ୍ଡଲାଇନ୍‌କୁ ଜଣାଇବା ସହ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ଶୈଳେନ୍ଦ୍ର ନିଜ କାର୍‌ରେ ଶିଶୁଟିକୁ ଆଣି କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଶିଶୁଟିର ଚିକିତ୍ସା ଚାଲିଛି। ତା’ର ଅବସ୍ଥା ଭଲ ଥିବା ସିଡିଏମଓ ଡା. କିଶୋର ପୃଷ୍ଟି କହିଛନ୍ତି।