ନିଖୋଜର ମାସେ ପରେ ମାଟି ତଳୁ କଙ୍କାଳ ଉଦ୍ଧାର

ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ ପଂଚାୟତ ତୁଲିପାଜୁ ଜଙ୍ଗଲ ମାଟି ତଳୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। ଏହି କଙ୍କାଳ ମାସକ ତଳେ ନିଖୋଜ କୁଟିଗୁଡ଼ା ଗ୍ରାମର ଟୁକୁନୁ ଗୌଡ଼(୫୦)ଙ୍କର ବୋଲି ତାଙ୍କ ପୁଅ ଫିରୋଜ୍‌ ଗୌଡ଼ ଚିହ୍ନଟ କରିଛନ୍ତି। ନିଖୋଜ ଟୁକୁନୁଙ୍କ ଲୁଙ୍ଗି, ସାର୍ଟ ଓ ଟାୱେଲ୍‌ ଆଦି ଦେଖି ଜବତ କଙ୍କାଳ ତାଙ୍କ ବାପାଙ୍କର ବୋଲି ସେ କହିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ, ନିଖୋଜ ଟୁକୁନୁଙ୍କୁ କେହି ହତ୍ୟା କରି ମାଟି ତଳେ ପୋତି ଦେଇଛି। ଜବତ କଙ୍କାଳର ହାତଗୋଡ଼ ଲୁଙ୍ଗି ଓ ଟ‌େୱଲ୍‌ରେ ବନ୍ଧାଯାଇଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ବାଲିଗୁଡ଼ା ଥାନାରେ କେସ୍‌ ନମ୍ବର ୫୮/୨୧ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। କଙ୍କାଳ ଜବତ କରି ଅଧିକ ତଦନ୍ତ ପାଇଁ ଫରେନସିକ୍‌ ଲ୍ୟାବ୍‌କୁ ପଠା ଯାଇଥିବା ଥାନାଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ ଆଜି ସ୍ଥାନୀୟ ଲୋକେ ମହୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ଏନେଇ ପୁଲିସକୁ ଜଣାଇଥିଲେ। ପରେ ପୁଲିସ ଜଙ୍ଗଲରେ ପହଞ୍ଚି ଖୋଳି ମାଟି ତଳୁ ଏକ କଙ୍କାଳ  ବାହାର କରିଥିଲା। ଗତ ମାସ ୨୨ ତାରିଖରେ କୁଟିଗୁଡ଼ାର ଟୁକୁନୁ ନିଖୋଜ ହୋଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଗତ ୪ତାରିଖରେ ନିଖୋଜ ଥିବା ନେଇ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ। ଆଜି ମାଟି ତଳୁ ଶବ ମିଳିବା ଖବର ପାଇ ଫିରୋଜ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଚିହ୍ନଟ କରିଥିଲେ।
ସମ୍ବନ୍ଧିତ ଖବର